ଏପ୍ରିଲ ୭ରୁ ଜେଇଇ ମେନ୍:ମାର୍ଚ୍ଚ ୭ ପର‌୍ୟ୍ୟନ୍ତ ଆବେଦନ କରିପାରିବେ ଛାତ୍ରଛାତ୍ରୀ

86

କନକ ବ୍ୟୁରୋ: ଇଞ୍ଜିନିୟରି˚ ଓ ଆର୍କିଟେକ୍ ପାଠ୍ୟକ୍ରମରେ ନାମଲେଖା ପାଇଁ ସର୍ବଭାରତୀୟସ୍ତରରେ ଅନୁଷ୍ଠିତ ଯୁଗ୍ମ ପ୍ରବେଶିକା ପରୀକ୍ଷା(ଜେଇଇ) ମେନର ଦ୍ବିତୀୟ ପର‌୍ୟ୍ୟାୟ ପରୀକ୍ଷା ଏପ୍ରିଲ ୭ରୁ ୨୦ ତାରିଖ ମଧ୍ୟରେ ଅନୁଷ୍ଠିତ ହେବ। ନ୍ୟାସନାଲ ଟେଷ୍ଟି˚ ଏଜେନ୍ସି(ଏନଟିଏ) ଦ୍ବାରା ପରିଚାଳିତ ଏହି ପରୀକ୍ଷାର ପ୍ରଥମ ପର‌୍ୟ୍ୟାୟ ଗତ ଜାନୁଆରି ୮ରୁ ୧୨ ତାରିଖ ମଧ୍ୟରେ ହୋଇଥିଲା। ପେପର-୧ ପରୀକ୍ଷା ଫଳ ଜାନୁଆରି ୧୯ ଓ ପେପର-୨ ପରୀକ୍ଷା ଫଳ ଜାନୁଆରି ୩୧ରେ ପ୍ରକାଶ ପାଇ ସାରିଛି। ଏବେ ଦ୍ବିତୀୟ ପର‌୍ୟ୍ୟାୟ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି ଏନଟିଏ।

ବିଜ୍ଞପ୍ତି ଅନୁଯାୟୀ ଯେଉଁ ଛାତ୍ରଛାତ୍ରୀ ଜାନୁଆରିରେ ଅନୁଷ୍ଠିତ ଜେଇଇ ମେନ୍ ପରୀକ୍ଷା ଦେଇଛନ୍ତି, ସେମାନେ ଆହୁରି ଭଲ କରିବା ପାଇଁ ଏପ୍ରିଲରେ ପରୀକ୍ଷା ଦେଇପାରିବେ। ତାହା ପରୀକ୍ଷାର୍ଥୀଙ୍କ ଇଚ୍ଛା ଉପରେ ନିର୍ଭର କରେ। ଜାନୁଆରିରେ ପରୀକ୍ଷା ଦେଇପାରି ନଥିବା ପରୀକ୍ଷାର୍ଥୀ ବି ଏହି ପରୀକ୍ଷାରେ ଭାଗ ନେଇପାରିବେ। ଯେଉଁମାନେ ଉଭୟ ପରୀକ୍ଷା ଦେଇଥିବେ, ଭଲ କରିଥିବା ପରୀକ୍ଷାର ମାର୍କକୁ ବିଚାରକୁ ନିଆଯାଇ ମେରିଟ୍ ଲିଷ୍ଟ ତଥା ରୢାଙ୍କିଙ୍ଗ୍ ପ୍ରକାଶ କରାଯିବ। ଏପ୍ରିଲରେ ହେବାକୁ ଥିବା ଜେଇଇ ମେନରେ ଭାଗ ନେବାକୁ ଚାହୁଥିବା ଛାତ୍ରଛାତ୍ରୀ ଆଜିଠାରୁ ମାର୍ଚ୍ଚ ୭ ତାରିଖ ମଧ୍ୟରେ ଅନ୍ଲାଇନରେ ଆବେଦନ କରିପାରିବେ। ମାର୍ଚ୍ଚ ୮ ତାରିଖ ସୁଦ୍ଧା ପରୀକ୍ଷା ଫି’ ଦାଖଲ କରିହେବ। ଅଫ୍ଲାଇନରେ କୌଣସି ପ୍ରକାର ଫର୍ମ ଗ୍ରହଣ କରାଯିବ ନାହିଁ। ଏନେଇ ସବିଶେଷ ତଥ୍ୟ ‘www.nta.ac.in’ ଓ ‘www.jeemain.nic.in’ରେ ପାଇପାରିବେ।

ଏଥର ବି ଜେଇଇ ମେନ୍ ପରୀକ୍ଷା କମ୍ପ୍ୟୁଟର ବେସ୍ଡ ଟେଷ୍ଟ(ସିବିଟି) ମାଧ୍ୟମରେ ହେବ। ପେପର-୧(ମ୍ୟାଥମେଟିକ୍, ଫିଜିକ୍ସ ଓ କେମେଷ୍ଟ୍ରି) ପରୀକ୍ଷା ଦୁଇଟି ସିଫ୍ଟ(ସକାଳ ୯ଟା ୩୦ରୁ ୧୨ଟା ୩୦ ଓ ଅପରାହ୍ନ ୨ଟା ୩୦ରୁ ୫ଟ ୩୦)ରେ ଅନୁଷ୍ଠିତ ହେବ। ପେପର୍-୨(ବି ଆର୍କ/ବି ପ୍ଲାନି˚) ପରୀକ୍ଷା ଦୁଇରୁ ଅଧିକ ସିଫ୍ଟରେ ହୋଇପାରେ ବୋଲି କୁହାଯାଇଛି।