ରାଜରାସ୍ଥାରେ ଜିନ୍ସ ପିନ୍ଧା ଭିକାରୀ ! ୧୦ କି ୨୦ ନୁହଁ ଏକାଥରେ ମାଗୁଛନ୍ତି ୧୦୦ ରୁ ୨୦୦ ଟଙ୍କା ।

42

କନକ ବ୍ୟୁରୋ : କଥାରେ କୁହନ୍ତି ଅଳସୁଆ ପ୍ରବୃତିର ଲୋକଙ୍କ ପାଇଁ ରୋଜଗାର କରିବାର ପନ୍ଥା ହେଲା ଭିକ୍ଷାବୃତ୍ତି କରିବା । ଭାରତରେ ଏଭଳି ଅନେକ ଲୋକ ଅଛନ୍ତି ଯେଉଁମାନେ ଭିକ୍ଷାବୃତ୍ତିକୁ ସର୍ବୋକୃଷ୍ଟ ବୃତ୍ତି ମାନନ୍ତି । କିନ୍ତୁ ଏବେକାର ଭିକାରୀଙ୍କୁ ଦେଖିଲେ କିଛି ସମୟ ପାଇଁ ଭାବିବାକୁ ପଡେ ଯେ ଏ ସତରେ ଭିକାରୀ ନା ଭିକାରୀ ହେବାର ନାଟକ କରୁଛନ୍ତି ।

ଏଭଳି ଆଉ ଏକ ଘଟଣା ଏବେ ସମ୍ବଲପୁରରେ ଦେଖିବାକୁ ମିଳିଛି । ସମ୍ବଲପୁର ସହର ଉପକଣ୍ଠସ୍ଥ ମାନେଶ୍ୱର ଏବଂ ନକ୍ସାପାଲି ଅଞ୍ଚଳରେ କିଛି ଯୁବତୀଙ୍କୁ ଏଭଳି ଭିକ ମାଗୁଥିବାର ଦେଖିବାକୁ ମିଳିଛି । ତେବେ ଆପଣ ଭାବୁଥିବେ ଏଥିରେ ନୂଆ କଥା କ’ଣ ଅଛି । ନୂଆ କଥା ଅଛି ଆଜ୍ଞା ଏହି ଯୁବତୀମାନଙ୍କୁ ଦେଖିଲେ ଆପଣଙ୍କ ଆଖି ମଧ୍ୟ ଚକ୍କର ଖାଇଯିବ । ଜିନ୍ସ ପ୍ୟାଣ୍ଟ ସାଙ୍ଗକୁ ଫରମାଲ୍ ସାର୍ଟ ଏବଂ ଆଉ କିଛି ଯୁବତୀ ଟି-ସାର୍ଟ,ବ୍ରାଣ୍ଡେଡ୍ ଜୋତା ପିନ୍ଦି ଭିକ ମାଗୁଥିବାର ଦେଖାଯାଇଥିଲା । ସମ୍ବଲପୁର – କଟକ ରାଜରାସ୍ତାରେ ଏଭଳି ପ୍ରାୟ ୭ ଜଣ ଯୁବତୀ ଏବଂ ସେମାନଙ୍କ ସହ ୩ ଜଣ ବୟସ୍କ ବୃକ୍ତିଙ୍କୁ ଦେଖିବାକୁ ମିଳିଥିଲା । ଏହି ଯୁବତୀମାନେ ବାଟରେ ଯାଉଥିବା ଲୋକଙ୍କୁ ଅଟକାଇ କିଛି ଖାଇବାକୁ ପାଉନଥିବା କହି ଟଙ୍କା ମାଗୁଥିଲେ ଏବଂ ଯେ ଯାହା ଦେଲା ସେଥିରେ ସନ୍ତୁଷ୍ଟି ନପାଇ ଏମାନେ ୧୦୦ ରୁ ୨୦୦ ଟଙ୍କା ପର୍ଯ୍ୟନ୍ତ ଟଙ୍କା ମାଗୁଥିଲେ । ଯାହା ସେଠାରେ ଯାଉଥିବା ଲୋକଙ୍କୁ ଚକିତ କରିଥିଲା । ଆଖପାଖର ଲୋକମାନେ ପୋଲିସକୁ ଏନେଇ ଖବର ଦେବାରୁ ପୋଲିସ୍ ଆସି ଯୁବତୀମାନଙ୍କୁ ପଚରାଉଚରା କରିଥିଲା ।

ତେବେ ଯୁବତୀମାନଙ୍କ କହିବାନୁସାରେ ସେମାନେ ହେଉଛନ୍ତି ଗୁଜୁରାଟର । ସେଠାରେ ଖାଇବାକୁ ନପାଇ ସେମାନେ ଓଡିଶା ଚାଲିଆସିଛନ୍ତି ଏବଂ ସେମାନଙ୍କ ସହ ଆଉ ୧୫୦ ଯୁବତୀ ମଧ୍ୟ ଓଡିଶାର ବିଭିନ୍ନ ଅଞ୍ଚଳରେ ଭିକ୍ଷାବୃତ୍ତି କରୁଛନ୍ତି । ତେବେ ଏଠାରେ ପ୍ରଶ୍ନ ଉଠୁଛି ସମ୍ଭ୍ରାନ୍ତ ପରିବାରରୁ ଆସିଥିବା ଭଳି ଦେଖାଯାଉଥିବା ଯୁବତୀମାନେ କ’ଣ ସତରେ ଖାଦ୍ୟ ଅଭାବରୁ ଭିକ ମାଗୁଛନ୍ତି ନା ଏହା ପଛରେ ଅନ୍ୟ କିଛି କାରଣ ରହିଛି । ତେବେ ପୋଲିସ୍ ଏହି ଯୁବତୀମାନଙ୍କୁ ୨ ଘଣ୍ଟା ମଧ୍ୟରେ ସମ୍ବଲପୁର ସୀମା ପାର କରିବାକୁ ଆଦେଶ ଦେଇଥିଲେ ।