ଜେଲରେ ପହଁଚିଲେ ଜୟନାରାୟଣ: ଯୁବମୋର୍ଚ୍ଚା କର୍ମୀଙ୍କୁ ଭେଟିଲେ ବିଜେପି ବିଧାୟକ

74

କନକ ବ୍ୟୁରୋ: ଜେଲରେ ପହଁଚିଥିଲେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ସମେତ, ବିଜେପି ବିଧାୟକ ଦଳ । ଆଉ ଜେଲ ଭିତରକୁ ଯାଇ, ଜେଲରେ ଥିବା ବିଜେପି ଯୁବ ମୋର୍ଚ୍ଚାର କର୍ମୀଙ୍କୁ ଭେଟିଥିଲେ । ଭେଟିବା ପରେ ବାହାରକୁ ଆସି ଜୟନାରାୟଣ ଅଭିଯୋଗ କରି କହିଛନ୍ତି, ଯୁବ ମୋର୍ଚ୍ଚାର କର୍ମୀଙ୍କୁ ବଦନାମ କରିବା ପାଇଁ ଚେଷ୍ଟା କରାଯାଉଛି । ପୋଲିସ ବିଜେଡିର କର୍ମୀ ଭଳି କାମ କରୁଛି । ତେଣୁ ସେ ପୋଲିସର କାର୍ଯ୍ୟକୁ ନିନ୍ଦା କରୁଛନ୍ତି ।

ବିଜେପି ବିଧାୟକମାନେ ଜେଲକୁ ଯିବା ସମୟରେ ଦେଖିବାକୁ ମିଳିଥିଲା ଏକ ରୋଚକ ଦୃଶ୍ୟ । ସେମାନଙ୍କ ହାତରେ ଥିଲା ଏକ ବଡ ବ୍ୟାଗ୍ । ଯେଉଁ ବ୍ୟାଗରେ ସେମାନେ ଜେଲରେ ଥିବା ଯୁବମୋର୍ଚ୍ଚାର କର୍ମୀଙ୍କ ପାଇଁ କିଛି ଜିନିଷ ନେଇଥିଲେ ବୋଲି କୁହାଯାଉଛି । ସୂଚନା ଅନୁସାରେ, ଜେଲରେ ଥିବା ଯୁବ ମୋର୍ଚ୍ଚାର କର୍ମୀଙ୍କ ପାଇଁ ଦଳ ପକ୍ଷରୁ, ଚାଦର, ଗାମୁଛା, ବ୍ରସ, ପେଷ୍ଟ ଭଳିି ଅତ୍ୟାବଶ୍ୟକ ସାମଗ୍ରୀ ଦିଆଯାଇଛି ।

ଗାନ୍ଧୀମାର୍ଗରେ ଖଣ୍ଡଯୁଦ୍ଧ ପରେ, ବିଜେପି ଯୁବ ମୋର୍ଚ୍ଚାର ୨୨ ଜଣଙ୍କୁ ଗିରଫ କରି ଜେଲ ପଠାଇଛି ପୋଲିସ । ହେଲେ, ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ବିରୋଧରେ ବିଜେପି ପକ୍ଷରୁ ଦିଆଯାଇଥିବା ଏତଲାକୁ ଗ୍ରହଣା କରାଯାଇନଥିବା ଅଭିଯୋଗ କରି, ଶୁକ୍ରବାର ରାଜ୍ୟର ସବୁ ଥାନାରେ. ପୋଲିସ ଡିଜି, ପୋଲିସ କମିଶନର ଏବଂ ଭୁବନେଶ୍ୱର ଡିସିପିଙ୍କ ବିରୁଦ୍ଧରେ ଏଫଆଇଆର ଦେବାକୁ ଚେତାବନୀ ଦେଇଛି ଦଳ । ୪ ତାରିଖରେ ରାଜ୍ୟର ସମସ୍ତ ଏସପି ଅଫିସ ଆଗରେ ଦଳ ବିକ୍ଷୋଭ ପ୍ରଦର୍ଶନ କରିବ ବୋଲି ଦଳ ପକ୍ଷରୁ କୁହାଯାଇଛି । ଆଉ ଯଦି ଏଫଆଇଆର ଥାନାରେ ଗ୍ରହଣ କରାନଯାଏ କୋର୍ଟଙ୍କ ଦ୍ୱାରସ୍ଥ ହେବେ ବୋଲି ଚେତାବନୀ ଦେଇଛି ଭାରତୀୟ ଜନତା ପାର୍ଟି ।

ଆଇନଶୃଂଖଳା ପରିସ୍ଥିତି ଭୁଶୁଡି ପଡିଥିବା ଅଭିଯୋଗ ଆଣି ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ମଂଗଳବାର ବିଧାନସଭା ଘେରାଉ କରାଯାଇଥିଲା । ସେହି ସମୟରେ ପୋଲିସ ଓ ବିଜେପି ଯୁବ ମୋର୍ଚ୍ଚା କର୍ମୀଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ ହୋଇଥିଲା ।