କିଏ ନେବ ବୁମରାଙ୍କ ସ୍ଥାନ? ଏହି ୨ ବୋଲରଙ୍କୁ ନେଇ ଚର୍ଚ୍ଚା…

266

କନକ ବ୍ୟୁରୋ: ଟି-୨୦ ବିଶ୍ୱକପ ପୂର୍ବରୁ ଭାରତୀୟ ଦଳକୁ ଶକ୍ତ ଝଟକା ଲାଗିଛି । ଦଳର ଅନୁଭବୀ ଦ୍ରୁତ ବୋଲର ଯଶପ୍ରୀତ ବୁମରା ଆହତ କାରଣରୁ ଟୁର୍ଣ୍ଣାମେଣ୍ଟରୁ ବାଦ ପଡିଛନ୍ତି । ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚ ପୂର୍ବରୁ ଅଭ୍ୟାସ ବେଳେ ତାଙ୍କ ପିଠିରେ ଯନ୍ତ୍ରଣା ହୋଇଥିଲା । ଏହା ପରେ ସେ ମ୍ୟାଚରୁ ବାଦ ପଡିଥିଲେ । ତେବେ ବର୍ତ୍ତମାନ ଏନେଇ ସ୍ପଷ୍ଟ କରାଯାଇଛି ଯେ, ଅକ୍ଟୋବର ୧୬ ଅଷ୍ଟ୍ରେଲିଆରେ ହେବାକୁ ଥିବା ବିଶ୍ୱକପ ସେ ଖେଳିବେ ନାହିଁ ।

ବୁଧବାର ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ସିରିଜ ପ୍ରଥମ ମ୍ୟାଚ ଖେଳାଯାଇଥିଲା । ତେବେ ବୁମରା ଅଭ୍ୟାସ ବେଳେ ପିଠିରେ ଯନ୍ତ୍ରଣା ପରେ ମ୍ୟାଚ ଖେଳିପାରିନଥିଲେ । ଆଉ ଏହାର ଗୋଟିଏ ଦିନ ପରେ ବୋର୍ଡ ପକ୍ଷରୁ ଆହତ ନେଇ ସ୍ପଷ୍ଟ କରାଯାଇଛି । ବର୍ତ୍ତମାନ ଡାକ୍ତରୀଟିମ ତାଙ୍କ ଉପରେ ସମ୍ପୂର୍ଣ୍ଣ ନଜର ରଖିଥିବା କୁହାଯାଉଛି ।

ପୂର୍ବରୁ ଏସିଆ କପରୁ ସେ ବାଦ ପଡିଥିଲେ । ନିକଟରେ ଅଷ୍ଟ୍ରେଲିଆ ସିରିଜରେ ଦଳକୁ ପ୍ରତ୍ୟାବର୍ତ୍ତନ କରି ୩ଟି ମ୍ୟାଚରୁ ୨ ମ୍ୟାଚ ଖେଳିଥିଲେ । ପୁଣି ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ମ୍ୟାଚ ପୂର୍ବରୁ ଅଭ୍ୟାସ ବେଳେ ପିଠିରେ ଯନ୍ତ୍ରଣା ନେଇ ଅଭିଯୋଗ ପରେ ସେ ମ୍ୟାଚରୁ ବାଦ ପଡିଥିଲେ । ଏବେ ସେ ସମ୍ପୂର୍ଣ୍ଣ ବିଶ୍ୱକପରୁ ବାଦ ପଡିଛନ୍ତି । ଆଘାତ ସମସ୍ୟା ଗୁରୁତର ଥିବା କାରଣରୁ ସେ ୪ରୁ ୬ ମାସ ପଡିଆରୁ ବାହାରେ ରହିପାରନ୍ତି ।

ଭାରତୀୟ ଦଳ ପାଇଁ ବର୍ତ୍ତମାନ ଚିନ୍ତାର କାରଣ ଯେ କିଏ ବୁମରାଙ୍କ ସ୍ଥାନ ନେବ? ପୂର୍ବରୁ ଘୋଷଣା ହୋଇଥିବା ଦଳରେ ଷ୍ଟାଣ୍ଟବାଏ ଖେଳାଳୀ ଅଛନ୍ତି ଦୀପକ ଚହର ଏବଂ ମହମ୍ମଦ ସାମି । ତେଣୁ ଏମାନଙ୍କ ମଧ୍ୟରୁ ଜଣଙ୍କୁ ମୁଖ୍ୟ ଦଳରେ ସ୍ଥାନ ମିଳିପାରେ । ଆଇସିସିର ନିୟମ ମୁତାବକ ଅକ୍ଟୋବର ୧୫ ଯାଏ ମୁଖ୍ୟ ସ୍ୱାର୍ଡରେ ପରିବର୍ତ୍ତନ କରାଯାଇପାରିବ । ପ୍ରଥମେ ରବିନ୍ଦ୍ର ଜାଡେଜା ତାଙ୍କ ପରେ ଦୀପକ ହୁଦା ଆଉ ବର୍ତ୍ତମାନ ଯଶପ୍ରୀତ ବୁମରା ଆହତ ସମସ୍ୟା କାରଣରୁ ମ୍ୟାଚରୁ ବାଦ ପଡିଛନ୍ତି । ଦଳ ପାଇଁ ଆହତ ସମସ୍ୟା ଏକ ଚିନ୍ତାର କାରଣ ପାଲଟିଛି । ପ୍ରଶ୍ନ ଉଠୁଛି ଯେ କଣ ବୁମରା ଆହତ ଥାଇ ମଧ୍ୟ ଦଳକୁ ପ୍ରତ୍ୟାବର୍ତ୍ତନ କରିଥିଲେ କି?