ଚର୍ଚ୍ଚାରେ ସାଲେପୁରର ଶଢ଼େଇ କଳା…ଚାକିରି ଚାଲିଯିବା ପରେ ବଞ୍ଚିବା ଶିଖାଇଲା ଶଢେଇ କଳା…ଯୁବପୀଢିଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି ଯାମିନୀ ମୋହନ

547

କନକ ବ୍ୟୁରୋ: ରୋଜଗାର ଯୋଗାଇଛି ଶଢେଇ କଳା । ଭଙ୍ଗା ଶଢେଇକୁ ସୁନ୍ଦର ରୂପ ଦେଉଛନ୍ତି କାରିଗର । ଯାହାକୁ ଆଖିରେ ନଦେଖିଲେ ଆପଣ ବିଶ୍ୱାସ କରିପାରିବେ ନାହିଁ । ଚର୍ଚ୍ଚାରେ ସାଲେପୁରର ଶଢ଼େଇ କଳା । ଚାକିରି ଚାଲିଯିବା ପରେ ଯୁବକଙ୍କୁ ବଂଚିବାର ରାହା ଦେଖାଇଛି ଶିଖାଇଲା ଶଢେଇ କଳା । ଯୁବପୀଢିଙ୍କ ପାଇଁ ପ୍ରେରଣାର ଉତ୍ସ କିଶନନଗରର ଯାମିନୀ ମୋହନ ସାହୁ ।

ଶଢ଼େଇରେ ଜଗନ୍ନାଥ, ଶଢ଼େଇରେ ମନ୍ଦିର, ଶଢ଼େଇରେ ମୟୂର ଆହୁରି କେତେ କ’ଣ ଜିନିଷ । ଆପଣଙ୍କୁ ଅଦରକାରୀ ମନେ ହେଉଥିବା ନଡିଆ ସଢେଇ ବି ନେଇ ପାରେ ସୁନ୍ଦର ରୂପ । ଏଥିପାଇଁ ଆବଶ୍ୟକ କେବଳ ଜଣେ ଶିଳ୍ପୀର କଳ୍ପନା । ଏହି ସବୁ ସାମଗ୍ରୀ ସେହି ସଢେଇରୁ ହିଁ ତିଆରି ହୋଇଛି । ନଡିଆକୁ ବ୍ୟବହାର କରିବା ପରେ ଲୋକେ ତାର ସଢେଇକୁ ବାହାରେ ଫିଙ୍ଗି ଦେଇଥାନ୍ତି ବା ଜାଳେଣି ଭାବେ ବ୍ୟବହାର କରିଥାନ୍ତି । ହେଲେ ସେହି ସଢେଇକୁ ସୁନ୍ଦର ରୂପ ଦେଇ ସ୍ୱାବଲମ୍ବୀ ହୋଇପାରିଛନ୍ତି ଯାମିନୀ ।

ନିଜ ପ୍ରଚେଷ୍ଟାରେ କିଛି କରିବା ନିଶା ଆଜି ଯାମିନୀଙ୍କୁ ସଢ଼େଇ ଶିଳ୍ପୀ ଭାବେ ସ୍ୱତନ୍ତ୍ର ପରିଚୟ ଦେଇଛି । ଗାଁ ଗହଳି ଓ ଦେବାଳୟରୁ ସଢ଼େଇ ସଂଗ୍ରହ କରିଥାନ୍ତି । ପରେ ସେହି ଶଢ଼େଇକୁ ନିଜସ୍ୱ କାରିଗରୀ ବିଦ୍ୟା ବଳରେ ନିର୍ମାଣ କରୁଛନ୍ତି ଇଂରାଜୀ ଅକ୍ଷର ଲେଖା ଥିବା ସୁନ୍ଦର ସୁନ୍ଦର ଚାବି ରିଂ, ପିଲାଙ୍କ ଗିଫ୍ଟ ଆଇଟମ୍ ଓ ବିଭିନ୍ନ ପ୍ରକାର ଘର କରଣା ସାମଗ୍ରୀ । ଆଉ ଏହି ସାମଗ୍ରୀକୁ ନେଇ ବିଭିନ୍ନ ମେଳା ମହୋତ୍ସବରେ ଷ୍ଟଲ ଖୋଲି ବିକ୍ରୀ କରିବା ସହ ବେଶ୍ ଦୁଇ ପଇସା ରୋଜଗାର କରି ପରିବାର ପ୍ରତିପୋଷଣ କରୁଛନ୍ତି ଯାମିନୀ ମୋହନ ଆଉ ଏଥିରେ ତାଙ୍କୁ  ସହଯୋଗ କରୁଛନ୍ତି ପତ୍ନୀ ସସ୍ମିତା ସାହୁ ।

ଦିନକୁ ଦିନ ନଡ଼ିଆ ଶଢ଼େଇ ସାମଗ୍ରୀର ଚାହିଦା ବଢୁଛି । ତେଣୁ ନିଜ ଉଦ୍ୟମରେ ଯାମିନୀ ଘରେ ଏକ ଶଢେଇ କଟା ଓ ପଲିସ ମେସିନ ବସାଇଛନ୍ତି । ସରକାରୀ ସୂତ୍ରରୁ କିଛି ପ୍ରୋତ୍ସାହନ ଓ ଶଢ଼େଇ କଳାକୁ କୁଟୀର ଶିଳ୍ପର ମାନ୍ୟତା ମିଳିଲେ ଏହାର ବିକାଶ ହୋଇପାରନ୍ତା ଏବଂ ବେକାର ଯୁବକ ଯୁବତୀଙ୍କୁ ଶଢ଼େଇ କଳାର ପ୍ରଶିକ୍ଷଣ ଦିଆଗଲେ ସେମାନେ ରୋଜଗାରକ୍ଷମ ହୋଇପାରନ୍ତେ ବୋଲି ମତ ଦିଅନ୍ତି ସ୍ଥାନୀୟ ବାସିନ୍ଦା ।