ଗିରଫ ହୋଇପାରନ୍ତି ପାକିିସ୍ତାନର ପୂର୍ବ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ, ଘରେ ପହଞ୍ଚିଲା ପୋଲିସ ଟିମ୍

113

କନକ ବ୍ୟୁରୋ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପାଇଁ ଅଡୁଆ ବଢିବାରେ ଲାଗିଛି । ତାଙ୍କୁ ଗିରଫ କରିବାକୁ ୱାରେଣ୍ଟ ଧରି ତାଙ୍କ ବାସଭବନରେ ପହଞ୍ଚିଛି ପୋଲିସ । ତୋଷଖାନା ମାମଲାରେ ଇସଲାମାବାଦ ପୋଲିସ ୱାରେଣ୍ଟ ଧରି ପିଟିଆଇର ଅଧ୍ୟକ୍ଷ ଇମ୍ରାନ ଖାନଙ୍କ ଜମା ପାର୍କ ସ୍ଥିତି ବାସଭବନରେ ପହଞ୍ଚି ସାରିଛି । ସେସନ କୋର୍ଟର ଜଜ୍ ଜଷ୍ଟିସ ଜଫର ଇକବାଲ ଫେବୃଆରୀ ୨୮ ତାରିଖରେ ଇମ୍ରାନ ଖାନଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା ଜାରି କରିଥିଲେ ।

ସୂଚନା ଥାଉକି ଫେବୃଆରୀ ୨୮ ତାରିଖରେ ଅନେକ ମାମଲାରେ କୋର୍ଟରେ ହାଜର ହୋଇଥିଲେ ଇମ୍ରାନ ଖାନ । ଶୁଣାଣି କ୍ରମରେ ଅନେକ ମାମଲାରେ ତାଙ୍କୁ ଆସ୍ୱସ୍ଥି ମିଳିଥିବା ବେଳେ ତୋଷଖାନା ମାମଲାରେ ତାଙ୍କ ଉପରେ ୱାରେଣ୍ଟ ଜାରି କରାଯାଇଥିଲା । ସମାନ ଦିନରେ ୪ଟି ମାମଲାର ଶୁଣାଣି ହୋଇଥିବା ବେଳେ ଇମ୍ରାନ ଖାନ ୩ଟି କୋର୍ଟରେ ହାଜର ହୋଇଥିଲେ ବି ତୋଷଖାନା ମାମଲାର ବିଚାର କରୁଥିବା କୋର୍ଟରେ ହାଜର ହୋଇନଥିଲେ ଇମ୍ରାନ ଖାନ୍ ।

କହିରଖୁ କି ତୋଷଖାନା କ୍ୟାବିନେଟର ଏକ ବିଭାଗ । ଯେଉଁଠାରେ ଅନ୍ୟ ଦେଶର ସରକାର, ଓ ବିଦେଶୀ ଅତିଥିଙ୍କ ଦ୍ୱାରା ଦିଆଯାଉଥିବା ପୁରସ୍କାରକୁ ରଖାଯାଇଥାଏ । ନିୟମ ମୁତାବକ କୌଣସି ଅନ୍ୟଦେଶ କିମ୍ବା ପ୍ରମୁଖଙ୍କ ଦ୍ୱାରା ମିଳିଥିବା ପୁରସ୍କାର ତୋଷଖାନାରେ ରଖାଯିବା ଜରୁରୀ । ଇମ୍ରାନ ଖାନ ୨୦୧୮ ମସିହାରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ହୋଇଥିଲେ । ସେ ଆରବ ଦେଶ ଗସ୍ତ କରିଥିବା ବେଳେ ତାଙ୍କୁ ଅନେକ ଦାମୀ ପୁରସ୍କାର ମିଳିଥିଲା । ଏହାସହ ୟୁରୋପୀୟ ଦେଶର ଅନେକ ରାଷ୍ଟ୍ରମୁଖ୍ୟ ମଧ୍ୟ ଇମ୍ରାନ ଖାନଙ୍କୁ ଅନେକ ଦାମୀ ଉପହାର ଦେଇଥିଲେ । ଏହାକୁ ଇମ୍ରାନ ଖାନ୍ ତୋଷଖାନାରେ ଜମା କରିଥିଲେ । କିଛିଦିନ ପରେ ଇମ୍ରାନ ଖାନ୍ ତୋଷଖାନାରୁ ଏହି ଉପହାରଗୁଡିକୁ ଶସ୍ତା ଦାମରେ କିଣି ତାକୁ ପୁଣି ଉଚ୍ଚା ଦାମରେ ବିକ୍ରି କରିଦେଇଥିଲେ । ଏସବୁ କରିବା ପାଇଁ ଇମ୍ରାନ ଖାନ ସରକାର ତାଙ୍କୁ ପୂର୍ଣ୍ଣ ଅନୁମତି ଦେଇଥିଲା ।