ଅନ୍ତର୍ଜାତୀୟ ମହିଳା ଦିବସରେ ଦୁଇ ମହିଳାଙ୍କ ସଫଳତାର କାହାଣୀ ! ଦୁର୍ଯ୍ୟୋଧନ ଭୂମିକା ତୁଲାଇ ନାଁ କରିଛନ୍ତି ବ୍ରହ୍ମପୁରର କାମେଶ୍ୱରୀ,ସଂଘର୍ଷ କରି ସଫଳ ବ୍ୟବସାୟୀ ହୋଇଛନ୍ତି ବାଲିଶଙ୍କରାର ଶାସ୍ତ୍ରୀ ଷଣ୍ଡ

36

କନକ ବ୍ୟୁରୋ : ସମଗ୍ର ବିଶ୍ୱରେ ମହିଳାମାନଙ୍କ ପ୍ରତି ସମ୍ମାନ ଓ ଭଲପାଇବା ଜଣାଇବା ପାଇଁ ପାଳନ କରାଯାଇଥାଏ ଅନ୍ତର୍ଜାତୀୟ ମହିଳା ଦିବସ । ପ୍ରତି ବର୍ଷ ମାର୍ଚ୍ଚ ୮ ତାରିଖକୁ ମହିଳା ଦିବସ ଭାବେ ପାଳନ କରାଯାଇଥାଏ । ଏହି ଦିନ ମହିଳାମାନଙ୍କୁ ସମ୍ମାନ ଜଣାଇବା ସହ ସେମାନଙ୍କର ତ୍ୟାଗ ଏବଂ ପରିଶ୍ରମକୁ ସ୍ୱୀକୃତି ଓ ସମ୍ବର୍ଦ୍ଧନା ଦିଆଯାଇଥାଏ । ଆଜି ଅନ୍ତର୍ଜାତୀୟ ମହିଳା ଦିବସରେ ଆମେ ଆଲୋଚନା କରିବା ଦୁଇ ସଫଳ ମହିଳାଙ୍କ କାହାଣୀ ବିଷୟରେ । ଖଳନାୟକ ଭୂମିକା ସବୁବେଳେ ପୁରୁଷମାନେ ତୁଳାଉଥିବା ବେଳେ ଦୁର୍ଯ୍ୟୋଧନ ଭୂମିକାରେ ନିଖୁଣ ଅଭିନୟ ଦେଖାଇ ନାଁ କରିଛନ୍ତି ବ୍ରହ୍ମପୁରର କାମେଶ୍ୱରୀ । ସେପଟେ ସୁନ୍ଦରଗଡ ବାଲିଶଙ୍କରାର ଶାସ୍ତ୍ରୀ ଷଣ୍ଡ । ଜଣେ ସଫଳ ମହିଳା ବ୍ୟବସାୟୀ  । କିନ୍ତୁ ତାଙ୍କର ଏହି ସଫଳତା ପଛରେ ରହିଛି ଅନେକ ସଂଘର୍ଷ  ।

ବ୍ରହ୍ମପୁରର କାମେଶ୍ୱରୀ, ଲେଡ଼ି ଦୁର୍ଯ୍ୟୋଧନ ନାମରେ ପରିଚିତ । ଖଳନାୟକ ଅଭିନୟରେ ପ୍ରାୟତଃ ପୁରୁଷଙ୍କୁ ଦେଖିବାକୁ ମିଳୁଥିବା ବେଳେ ନାଟକରେ ଦୁର୍ଯ୍ୟୋଧନ ଭୂମିକାକୁ ନିଖୁଣ ଭାବେ ତୁଳାଉଛନ୍ତି କାମେଶ୍ୱରୀ  । କେବଳ ରାଜ୍ୟ ନୁହେଁ ମୁମ୍ବାଇ, ହାଇଦ୍ରାବାଦ, ଚେନ୍ନାଇ ଓ ଆମେରିକାରେ ସେ ପ୍ରାୟ ୨୫ଟି ମଂଚରେ ନିଜର କଳା ପ୍ରଦର୍ଶନ କରି ନାଁ କରିଛନ୍ତି  । ଛୋଟବେଳୁ ଅଭିନୟ ପ୍ରତି ଦୁର୍ବଳତା ଥିବା ବେଳେ ବିବାହ ପରେ ଆଉ ସୁଯୋଗ ମିଳିନଥିଲା  । ତେବେ ୧୦ବର୍ଷ ପରେ ପୁଣି ସ୍ୱାମୀଙ୍କ ପ୍ରେରଣାରେ ଆଉଥରେ ମଂଚକୁ ଆସିବା ସୁଯୋଗ ପାଇଲେ  ।

ସୁନ୍ଦରଗଡ ବାଲିଶଙ୍କରାର ଶାସ୍ତ୍ରୀ ଷଣ୍ଡ  । ଆଜି ଜଣେ ସଫଳ ମହିଳା ବ୍ୟବସାୟୀ । କିନ୍ତୁ ତାଙ୍କର ଏହି ସଫଳତା ପଛରେ ରହିଛି ଅନେକ ସଂଘର୍ଷ  । ବିବାହ ବିଚ୍ଛେଦ ପରେ ଜୀବନ ସଂଘର୍ଷରେ ହାରିଯାଇନଥିଲେ ଶାସ୍ତ୍ରୀ । ନିଜ ବାପ ଘରକୁ ଫେରି ମାତ୍ର ୨ଶହ ଟଙ୍କାରେ ଆରମ୍ଭ କରିଥିଲେ ଏକ ଛୋଟିଆ ତେଜରାତି ଦୋକାନ । ଆଖପାଖ ହାଟକୁ ଯାଇ ମଧ୍ୟ ଜିନିଷ ବିକ୍ରି କଲେ  । ପରିବା ଚାଷ ମଧ୍ୟ କଲେ । ଆଦିବାସୀ ଅଂଚଳର ମହିଳା ପୁଣି ସ୍ୱାମୀ ପରିତ୍ୟକ୍ତା ହୋଇଥିବାରୁ ଅନେକ ଟାହିଟାପରା ଶୁଣିବାକୁ ପଡିଥିଲା  । କିନ୍ତୁ ସେ ସବୁକୁ ଖାତିର ନକରି ଦୃଢ ସଂକଳ୍ପ ଓ କଠିଣ ପରିଶ୍ରମ ବଳରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ଆଉ ୭ କୁଟୁମ୍ବ ପରିବାରର ଭରଣ ପୋଷଣ କରୁଛନ୍ତି  । ସମାଜର ଅନେକ କ୍ଷେତ୍ରରେ ଆଜି ନାରୀମାନେ ନିଜକୁ ପ୍ରତିଷ୍ଠିତ କରାଇଛନ୍ତି । ଆଉ ଏଥିରେ ପଛରେ ପଡିନାହାନ୍ତି କାମେଶ୍ୱରୀ ଓ ଶାସ୍ତ୍ରୀ ।  ଏମାନଙ୍କ ସଫଳତା କେବଳ ନାରୀଜାତି ନୁହେଁ ସମସ୍ତଙ୍କ ପାଇଁ ଏକ ପ୍ରେରଣା  ।