ଅନ୍ୟ ଜାତିର ଝିଅକୁ ବିବାହ କରିବାରୁ ୨୫ଲକ୍ଷ ୬୦ ହଜାର ଟଙ୍କାର ଜରିମାନା କଲା ଗ୍ରାମସଭା : କେନ୍ଦୁଝର ନିଆଳୀଝରଣ ଗାଁରୁ ଆସିଲା ଅଭାବନୀୟ ଖବର

253

କନକ ବ୍ୟୁରୋ : ଭିନ୍ନ ଜାତିରେ ବିବାହ କରିବାକୁ ଜରିମାନା । ଅନ୍ୟ ଜାତିର ଝିଅକୁ ବିବାହ କରିବାରୁ ଗ୍ରାମସଭାରେ ଯୁବକଙ୍କୁ ୨୫ ଲକ୍ଷ ୬୦ ହଜାର ଟଙ୍କାର ଜୋରିମାନା କରାଯାଇଛି । ଏହା ବ୍ୟତୀତ ସଂପୃକ୍ତ ଯୁବକଙ୍କ ପରିବାରକୁ ନିଆଁ ପାଣି ବାସନ୍ଦ କରାଯାଇଛି । ଜାତିପ୍ରଥା ଭଳି କୁତ୍ସିତ ପରମ୍ପରା ସଂପର୍କୀତ ଏହି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ ଖାଳିଆମେଂଟା ପଂଚାୟତ ନିଆଳିଝରଣ ଗାଁରେ । ଏହି ଗାଁର ମହେଶ୍ୱର ବାସ୍କେ ନାମକ ଯୁବକ ନାଗାଡାହି ଗାଁର ଜଣେ ଯୁବତୀଙ୍କୁ ୬ ମାସ ତଳେ ବିବାହ କରିଛନ୍ତି ।

ତେବେ ଯୁବତୀ ଜଣଙ୍କ ଭିନ୍ନ ଜାତିର ହୋଇଥିବାରୁ ମହେଶ୍ୱରଙ୍କୁ, ଗ୍ରାମବାସୀ ନିଆଁପାଣି ବାସନ୍ଦ କରିବା ସହ ୨୫ ଲକ୍ଷ ୬୦ ହଜାର ଟଙ୍କାର ଜୋରିମାନା କରିଛନ୍ତି । ଯାହା ଭରଣା କରିବା ମହେଶ୍ୱରଙ୍କ ପାଇଁ ସମ୍ଭବ ନୁହେଁ । ତେଣୁ ତାଙ୍କ ପରିବାର ଗାଁ ଛାଡି ଦେଇଛନ୍ତି । ସ୍ତ୍ରୀ ଓ ମାଆଙ୍କୁ ନେଇ ମହେଶ୍ୱର ସଂପର୍କୀୟଙ୍କ ଘରେ ରହୁଥିବା ବେଳେ ଏନେଇ ଥାନାରେ ଅଭିଯୋଗ ହୋଇନାହିଁ । ହେଲେ ଯୁବତୀଙ୍କ ଭାଇ ଆନନ୍ଦପୁର କୋର୍ଟରେ ମାମଲା ଦାଏର କରିବା ପରେ ତଦନ୍ତ ଆରମ୍ଭ ହୋଇଛି ।