ମୌସୁମୀ ଅଧିବେଶନ : ବିରୋଧୀମାନଙ୍କ ଆଚରଣ ସମ୍ବିଧାନ ଓ ଲୋକତନ୍ତ୍ର ପ୍ରତି ଅପମାନ ବୋଲି କହିଲେ ପ୍ରଧାନମନ୍ତ୍ରୀ

119

କନକ ବ୍ୟୁରୋ : ମୌସୁମୀ ଅଧିବେଶନରେ ଉଭୟ ଗୃହରେ ବିରୋଧୀଙ୍କ ହଙ୍ଗାମାକୁ ପ୍ରଧାନମନ୍ତ୍ରୀ ଲୋକତନ୍ତ୍ର ଓ ସମ୍ବିଧାନ ପ୍ରତି ଅପମାନ ବୋଲି କହିଛନ୍ତି । ମଙ୍ଗଳବାର ଦିନ ସଂସଦୀୟ ଦଳ ବୈଠକରେ ପ୍ରଧାନମନ୍ତ୍ରୀ ବିରୋଧୀଦଳ ମାନଙ୍କ ଦ୍ୱାରା ସଂସଦ ନଚଳାଇ ଦେବାକୁ ଲୋକତନ୍ତ୍ର ତଥା ସମ୍ବିଧାନ ପ୍ରତି ଅପମାନ ବୋଲି କହିଛନ୍ତି । ସେ କହିଛନ୍ତି ସରକାର ଓ ସାଂସଦ ମାନଙ୍କ ଦ୍ୱାରା ଏଭଳି ପଦକ୍ଷେପ ନିଆଯିବା ଦରକାର, ଯେଭଳି ସଂସଦ ସୂଚାରୁରୂପେ ଚାଲି ପାରିବ । ଏହି ବୈଠକରେ ମେଡିକାଲ ପାଠ୍ୟକ୍ରମରେ ଓବିସି ବର୍ଗଙ୍କୁ ସଂରକ୍ଷଣ ଦେଇଥିବାରୁ ବିଜେପି ସାଂସଦମାନେ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି ।

ବୈଠକ ପରେ କେନ୍ଦ୍ରମନ୍ତ୍ରୀ ବି, ମୂରଲୀଧରନ ସୂଚନା ଦେଇ କହିଥିଲେ କି ସଂସଦୀୟଦଳ ବୈଠକ ପ୍ରଧାନମନ୍ତ୍ରୀଙ୍କ  ଭାଷଣରୁ ଆରମ୍ଭ ହୋଇଥିଲା । ଏଥିରେ ଜିଏସଟି ଆଦାୟ, ଟୋକିଓ ଅଲମ୍ପିକ୍ସ ଉପରେ ପ୍ରଧାନମନ୍ତ୍ରୀ କହିଥିଲେ । ଏହି ବୈଠକରେ ପ୍ରଧାନମନ୍ତ୍ରୀଙ୍କ ସହ ଗୃହମନ୍ତ୍ରୀ ଅମିତ ଶାହା, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ପ୍ରମୁଖ ଯୋଗ ଦେଇଥିଲେ ।

କହିରଖୁ କି ଉଭୟ ସଂସଦରେ ମୌସୁମୀ ଅଧିବେଶନ ଆରମ୍ଭ ହେବା ଦିନରୁ ଗୋଟିଏ ବି ଦିନ ପୁରା ଆଲୋଚନା ହୋଇ ନାହିଁ । ପେଗାସସ୍, କୋଭିଡ ପରିଚାଳନା ଓ ଦରବୃଦ୍ଧିକୁ ନେଇ ସରକାରଙ୍କୁ ବାରମ୍ବାର ଘେରିଛନ୍ତି ବିରୋଧୀ । ବିରୋଧୀଙ୍କ ହୋ ହାଲ୍ଲା ଯୋଗୁଁ ବାଚଷ୍ପତ୍ତିଙ୍କୁ ବାରମ୍ବାର ଗୃହ ମୁଲତବି କରିବାକୁ ପଡୁଛି ।

ଏହି କ୍ରମରେ ଆଜି କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ୧୪ ଟି ବିରୋଧୀ ରାଜନୈତିକ ଦଳ ଏକାଠି ହୋଇ ସଂସଦ ପରିସରକୁ ସାଇକେଲରେ ଯାତ୍ରା କରିଥିଲେ ।