ବର୍ଷା ପାଇଁ ସରକାର ଆଲର୍ଟ: ଛାତ୍ରଛାତ୍ରୀଙ୍କୁ ଆଜି ପରେଡ୍ ମନା, ପରେଡ୍ ସ୍ଥଳରେ କରାଯିବନି କୌଣସି ବି ସାଂସ୍କୃତିକ ଓ କ୍ରୀଡ଼ା ପ୍ରଦର୍ଶନ

19

କନକ ବ୍ୟୁରୋ: ଆଜି ୭୨ ତମ ସ୍ୱାଧୀନତା ଦିବସ । ଏହି ଅବସରରେ ସାରା ଦେଶରେ ପୁରପଲ୍ଲୀ ହୋଇ ଉଠିଛି ଉତ୍ସବମୁଖର । ସ୍ୱାଧୀନତାର ବର୍ଷ ପୂର୍ତି ଅବସରରେ ଦେଶବ୍ୟାପୀ ଉତ୍ସବର ମାହୋଲ ଦେଖିବାକୁ ମିଳିଛି । ସ୍ୱାଧୀନତା ପାଇଁ ପ୍ରାଣବଳୀ ଦେଇଥିବା ସଂଗ୍ରାମୀଙ୍କୁ ମନେ ପକାଇ ଶ୍ରଦ୍ଧାଂଜଳି ଜ୍ଞାପନ କରୁଛନ୍ତି ଦେଶବାସୀ । ସେପଟେ, ଦିଲ୍ଲୀ ଲାଲକିଲ୍ଲାରୁ ଜାତୀୟ ପତାକା ଉତୋଳନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସ୍ୱାଧୀନତା ଦିବସ ଅବସରରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ । ଏହି ଅବସରରେ ସ୍ୱାଧିନ ଭାରତର ସବୁଠୁ ବଡ ଜନ କଲ୍ୟାଣ ଯୋଜନା କୁହାଯାଉଥିବା ଆୟୁଷ୍ମାନ ଭାରତ ଯୋଜନାର ଶୁଭାରମ୍ଭ ନେଇ ଘୋଷଣା କରିପାରନ୍ତି ପ୍ରଧାନମନ୍ତ୍ରୀ ମୋଦି ।

ଏପଟେ ରାଜ୍ୟରେ ବି ସ୍ୱାଧୀନତା ଦିବସ ପାଇଁ ପୁରପଲ୍ଲୀ ଉତ୍ସବମୁଖର ହୋଇଉଠିଛି । ଭୁବନେଶ୍ୱରରେ ରାଜ୍ୟସ୍ତରୀୟ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାତୀୟ ପତାକା ଉତୋଳନ କରିବେ । ତେବେ ଏଥର ସ୍ୱାଧୀନତା ଦିବସ ପରେଡ୍ରେ ଛାତ୍ରଛାତ୍ରୀ ଭାଗ ନେବେନାହିଁ। ପରେ଼ଡ୍ ପରେ କୌଣସି ସାଂସ୍କୃତିକ କାର୍ଯ୍ୟକ୍ରମ ବା ଖେଳକୁଦ ଆଦି କରାଯିବ ନାହିଁ।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶ କ୍ରମେ ଗତକାଲି ଗୃହ ବିଭାଗ ପକ୍ଷରୁ ଏଭଳି କଟକଣା ଜାରି କରାଯାଇଛି। ଗତକାଲି ଅପରାହ୍ନରେ ଗୃହ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ସନ୍ତୋଷ ବାଲା ସମସ୍ତ ଆର୍ଡିସି ଓ ଜିଲ୍ଲାପାଳଙ୍କୁ ଏଭଳି ନିର୍ଦେଶ ଦେଇଛନ୍ତି। କେବଳ ସେତିକି ନୁହେଁ, ଏହା ନିଶ୍ଚିତ ପାଳନ ହେଉଛି କି ନାହିଁ, ତାହା ଦେଖିବା ଲାଗି ମଧ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି।

ଉଲ୍ଲେଖଯୋଗ୍ୟ, ଆସନ୍ତା ୪୮ ଘଣ୍ଟା ମଧ୍ୟରେ ରାଜ୍ୟରେ ବଡ଼ଧରଣର ବର୍ଷା ସମ୍ଭାବନା ରହିଛି। ବଜ୍ରପାତ ଆଶଙ୍କାକୁ ମଧ୍ୟ ଏଡାଇ ଦେଇ ହେବନାହିଁ। ପାଣିପାଗ ବିଭାଗର ଏଭଳି ପୂର୍ବାନୁମାନ ସରକାରଙ୍କୁ ବିଚଳିତ କରିଛି। ରାଜ୍ୟରେ ସମ୍ଭାବ୍ୟ ପ୍ରବଳ ବର୍ଷାଜନିତ ପରିସ୍ଥିତିର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଚିବାଳୟରେ ଉଚ୍ଚ ପଦାଧିକାରୀଙ୍କୁ ଡାକି ପୂର୍ବାହ୍ନରେ ଏକ ବୈଠକ ନେଇଥିଲେ। ବୈଠକରେ ପାଣିପାଗ ବିଭାଗର ଅଧିକାରୀମାନେ ଭୟାବହ ବର୍ଷା ସ୍ଥିତି ସଂପର୍କରେ ସୂଚାଇଥିଲେ। ଏହାର ମୁକାବିଲା ପାଇଁ ସବୁ ଜିଲ୍ଲାପାଳଙ୍କୁ ପ୍ରସ୍ତୁତ ରହିବା ଲାଗି ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଥିଲେ। ସେତେବେଳେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆଜି ବିଦ୍ୟାଳୟର ଛାତ୍ରଛାତ୍ରୀ ସ୍ୱାଧୀନତା ଦିବସ କାର୍ୟ୍ୟକ୍ରମରେ ଭାଗ ନେବେ। ଯେହେତୁ ବଡ଼ ବର୍ଷା ଓ ବଜ୍ରପାତ ପୂର୍ବାନୁମାନ ରହିଛି, ଏଣୁ ଛାତ୍ରଛାତ୍ରୀମାନେ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି, ସେଥିପାଇଁ ସ୍ୱତନ୍ତ୍ର ଧ୍ୟାନ ଦିଆଯିବା ଦରକାର।

ଅପରାହ୍ନରେ କିନ୍ତୁ ସରକାରଙ୍କ ନିଷ୍ପତ୍ତି ବଦଳିଥିଲା। ଗୃହ ବିଭାଗ ପକ୍ଷରୁ କୁହାଯାଇଛି ଯେ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ରାଜ୍ୟର ଅଧିକାଂଶ ଅଞ୍ଚଳରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ। କେତେକ ସ୍ଥାନରେ ଘଡ଼ଘଡ଼ି ସହ ବଜ୍ରପାତର ଆଶଙ୍କା ରହିଛି। ତେଣୁ ଅଗଷ୍ଟ ୧୫ରେ ସ୍ୱାଧୀନତା ଦିବସ ସମାରୋହ ଅବସରରେ ପାଳିତ ହେବାକୁ ଥିବା ରାଜ୍ୟସ୍ତରୀୟ, ଜିଲ୍ଲାସ୍ତରୀୟ ଓ ସବ୍ ଡିଭିଜନ୍ସ୍ତରୀୟ ପରେଡ୍ରେ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଅଂଶଗ୍ରହଣ କରିବେ ନାହିଁ। କେବଳ ପୁଲିସ ଓ ଅର୍ଦ୍ଧସାମରିକ ବାହିନୀ ସାମିଲ ହୋଇପାରିବେ। ସ୍ୱାଧୀନତା ଦିବସ ପାଳନ ଅବସରରେ ପରେଡ୍ ପଡ଼ିଆରେ କୌଣସି ସାଂସ୍କୃତିକ କାର୍ୟ୍ୟକ୍ରମ କିମ୍ବା କ୍ରୀଡ଼ାନୈପୁଣ୍ୟ ପ୍ରଦର୍ଶିତ ହେବ ନାହିଁ। ପରେଡ୍ରେ ଅଂଶଗ୍ରହଣ କରୁଥିବା ଅତିଥିଙ୍କ ସୁରକ୍ଷା ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେବାକୁ ମଧ୍ୟ ନିର୍ଦେଶ ଦିଆଯାଇଛି।