ବାହାନଗା ରେଳ ଦୁର୍ଘଟଣାକୁ ନେଇ ସାରା ଦେଶରେ ଶୋକ । ଜାଣନ୍ତୁ ଦେଶରେ କେବେ ହୋଇଥିଲା ପ୍ରଥମ ରେଳ ଦୁର୍ଘଟଣା ?

894

କନକ ବ୍ୟୁରୋ : ରେଳଯାତ୍ରାକୁ ଆଜି ବି ଦେଶର ସମସ୍ତ ନାଗରିକ ସୁରକ୍ଷିତ ଯାତ୍ରା ବୋଲି ଭାବିଥାନ୍ତି । ମାତ୍ର ବାଲେଶ୍ୱର ଜିଲ୍ଲା ବାହାନଗା ଠାରେ କରମଣ୍ଡଳ ଏକ୍ସପ୍ରେସ ଯେଭଳି ଭାବେ ଦୁର୍ଘଟଣାରେ ଶିକାର ହେଲା ତାହା ପୁଣିଥରେ ଲୋକଙ୍କୁ ରେଳଯାତ୍ରା ନେଇ ଭାବିବାକୁ ବାଧ୍ୟ କରିଛି । ଏହି ଦୁର୍ଘଟଣାରେ ୨୭୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧ହଜାରରୁ ଅଧିକ ଲୋକ ଆହତ ହୋଇ ଚିକିତ୍ସିତ ହେଉଛନ୍ତି । ଏହି ଦୁର୍ଘଟଣାକୁ ନେଇ ଏବେ ସିବିଆଇ ଯାଂଚ ଆରମ୍ଭ ହୋଇଯାଇଛି । ସିବିଆଇର ଟିମ୍ ଘଟଣା ସ୍ଥଳରେ ପହଂଚି ଦୁର୍ଘଟଣାର କାରଣ ଖୋଜୁଛି ।

ସେପଟେ ରେଳ ଦୁର୍ଘଟଣାର ଇତିହାସ ଦେଶରେ ପୁରୁଣା । ୧୯୮୧ ମସିହାରେ ବିହାରର ବାଗମତୀ ନଦୀର ପୋଲ ଉପରେ ହୋଇଥିବା ଯାତ୍ରୀବାହୀ ଟ୍ରେନ ଦୁର୍ଘଟଣା ପୁରା ଦେଶକୁ ଚମକାଇ ଦେଇଥିଲା । ଏହି ଦୁର୍ଘଟଣାରେ ୮୦୦ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ ।

ଯଦି ଦେଶର ରେଳ ଦୁର୍ଘଟଣାର ଇତିହାସକୁ ଦେଖିବା ତେବେ ୧୧୬ ବର୍ଷ ତଳେ ଦେଶରେ ପ୍ରଥମ ରେଳ ଦୁର୍ଘଟଣା ଘଟିଥିଲା । ପ୍ରଥମଥର ୧୯୦୭ ମସିହାରେ ଦୁଇଟି ଟ୍ରେନ୍ ମୁହାଁମୁହିଁ ଧକ୍କା ହୋଇଥିଲା । ଏଥିରେ ୧୧ଜଣ ଲୋକଙ୍କ ଜୀବନ ଯାଇଥିଲା । ୧୯୦୭ ମସିହା ଅକ୍ଟୋବର ୨୪ ତାରିଖରେ କୋଟ ଲଖପତ (ଏବେ ପାକିସ୍ତାନରେ ଅବସ୍ଥିତ) ଷ୍ଟେସନ ନିକଟରେ ଏକ ଯାତ୍ରୀବାହୀ ଟ୍ରେନ୍ ମାଲଗାଡିକୁ ଧକ୍କା ଦେଇଥିଲେ । ଯାତ୍ରୀବାହୀ ଟ୍ରେନରେ କିଛି ବଗି ଅନ୍ୟ ବଗି ଉପରେ ଚଢିଯାଇଥିଲା । ଏହି ଦୁର୍ଘଟଣାରେ ୧୧ଜଣ ଲୋକଙ୍କ ଜୀବନ ଯାଇଥିବା ବେଳେ ୨୭ ଜଣ ଲୋକ ଆହତ ହୋଇଥିଲେ ।

ରେଳ ଦୁର୍ଘଟଣାରେ ଲୋକଙ୍କ ଜୀବନ ଯିବା ଏକ ଗମ୍ଭୀର ମାମଲା । ପ୍ରଶ୍ନ ଉଠୁଛି କି ଗୋଟିଏ ଟ୍ରେନ ଟ୍ରାକରେ ଠିଆ ହୋଇଥିବା େବେଳ ସେହି ଟ୍ରାକରେ ଯିବା ପାଇଁ ଅନ୍ୟ ଟ୍ରେନକୁ କିଭଳି ଅନୁମତି ମିଳୁଛି । ଗତ ୮ବର୍ଷ ମଧ୍ୟରେ ଏଭଳି ୨ଟି ଟ୍ରେନ ମଧ୍ୟରେ ଧକ୍କା ହେବା ନେଇ ୨୨ ଟି ମାମଲା ସାମ୍ନାକୁ ଆସିଛି । ଏବେ ଦେଖିବାକୁ ବାକି ରହିଲା କି ଏଭଳି ଦୁର୍ଘଟଣାକୁ ରୋକିବାକୁ ରେଳ ବିଭାଗ କି ପଦକ୍ଷେପ ନେଉଛି ?