ରୁଷ ବୋମାମାଡରେ ଗଲା ଜଣେ ଭାରତୀୟ ଛାତ୍ରଙ୍କ ଜୀବନ । ଟ୍ୱିଟ୍ କରି ସୂଚନା ଦେଲା ବୈଦେଶିକ ମନ୍ତ୍ରାଳୟ ।

141

କନକ ବ୍ୟୁରୋ : ୟୁକ୍ରେନ-ରୁଷ ଯୁଦ୍ଧରେ ଜଣେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ହୋଇଛି । ୟୁକ୍ରେନ ଉପରେ ଆକ୍ରମଣ ପରେ ଭାରତୀୟ ନାଗରିକଙ୍କୁ ସୁରକ୍ଷାକୁ ନେଇ ଯେଉଁ ଆଶଙ୍କା କରାଯାଉଥିଲା, ତାହା ସତ ହୋଇଛି । ଖାରକିଭରେ ଡ୍ରୋନ ଆକ୍ରମଣରେ ଜଣେ ଭାରତୀୟ ମେଡିକାଲ ଛାତ୍ରଙ୍କ ଜୀବନ ଯାଇଛି । ବଙ୍କରରେ ଲୁଚି ରହିଥିବା ଭାରତୀୟ ଛାତ୍ର ଜଣକ ଖାଦ୍ୟ ସଂଗ୍ରହ କରିବାକୁ ବାହାରକୁ ଆସିଥିବା ବେଳେ ଏହି ଅଘଟଣ ଘଟିଛି । ମୃତ ଛାତ୍ର କର୍ଣ୍ଣାଟକର, ତାଙ୍କ ପରିବାର ଲୋକଙ୍କ ସହ କଥା ହୋଇ ସମବେଦନା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅନ୍ୟପଟେ ୟୁକ୍ରେନ ରାଷ୍ଟ୍ରଦୂତଙ୍କ ସହ ବୈଦେଶିକ ମନ୍ତ୍ରାଳୟ ସଚିବ କଥା ହୋଇ ଭାରତ ନାଗରିକଙ୍କ ସୁରକ୍ଷା ସୁନିଶ୍ଚିତ କରିବାକୁ କହିଛନ୍ତି ।

ୟୁକ୍ରେନ-ରୁଷ୍ ଯୁଦ୍ଧ: ଭାରତୀୟ ଛାତ୍ର ମୃତ । ରୁଷ୍ ବୋମାମାଡରେ ଯାଇଛି ଜୀବନ । ନବୀନ ଶେଖରଗୌଡା । ଘର କର୍ଣ୍ଣାଟକ । ଡାକ୍ତର ହେବାର ସ୍ୱପ୍ନ ନେଇ, ଘର ଠାରୁ ହଜାର ହଜାର କିଲୋମିଟର ଦୂର ୟୁକ୍ରେନରେ ରହି, ଖାରକିଭ୍ ମେଡିକାଲ କଲେଜରେ ଡାକ୍ତରୀ ପାଠ ପଢ଼ୁଥିଲେ । ୪ବର୍ଷ ବିଦେଶ ମାଟିରେ ରହି ଡାକ୍ତରୀ ପାଠ ବି ପଢ଼ିଥିଲେ । ହେଲେ, ୟୁକ୍ରେନ ଓ ରୁଷ୍ ମଧ୍ୟରେ ଚାଲିଥିବା ଯୁଦ୍ଧ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଯାଇଛି । ରୁଷର ଆକ୍ରମଣ ପରେ ଜୀବନ ବଞ୍ଚାଇବା ପାଇଁ ବଙ୍କର ଭିତରେ ରହୁଥିବା ନବୀନ, ଖାଦ୍ୟ ସଂଗ୍ରହ ପାଇଁ ପଦାକୁ ଆସିଥିଲେ । ଏହି ସମୟରେ ରୁଷ୍ ପକ୍ଷରୁ ଆକାଶ ମାର୍ଗରୁ କରାଯାଇଥିବା ଆକ୍ରମଣରେ ନବୀନଙ୍କର ମୃତ୍ୟୁ ହୋଇଛି । ଏନେଇ ଭାରତୀୟ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଭାରତୀୟ ଦୂତାବାସ ପକ୍ଷରୁ ଟୁଇଟ୍ କରି କୁହାଯାଇଛି,
– ବଡ ଦୁଃଖର ସହ ଏହି ସୂଚନା ଦେଉଛି ଯେ, ୟୁକ୍ରେନର ଖାରକିବ୍ ଉପରେ ଯେଉଁ ଆକାଶମାର୍ଗରୁ ଆକ୍ରମଣ ହୋଇଥିଲା, ସେଥିରେ ଜଣେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ହୋଇଛି । ବର୍ତମାନ ମନ୍ତ୍ରଣାଳୟ ଛାତ୍ରଙ୍କ ପରିବାର ସହ ସମ୍ପର୍କରେ ଅଛନ୍ତି । ତାଙ୍କ ପରିବାର ସହ ଆମ ସମବେଦନା ଅଛି ।

ଆକ୍ରମଣର ଶିକାର ହେବା ପୂର୍ବରୁ ସକାଳୁ ସକାଳୁ ଘରକୁ ଫୋନରେ ଭିଡିଓ କଲ କରି କଥା ହୋଇଥିଲେ ନବୀନ । ଅତି ବିପଦଜନକ ଭାବେ ବଙ୍କର ଭିତରେ ରହିଥିବା କଥା ପରିବାର ଲୋକଙ୍କୁ କହିଥିଲେ । ପାଖରେ ଖାଦ୍ୟ ସରିଯାଇଥିବାରୁ ବାହାରକୁ ଯିବେ ବୋଲି କହିଥିଲେ । ହେଲେ ଅଚାନକ ଭାରତୀୟ ଦୂତାବାସରୁ ପୁଅର ମୃତ୍ୟୁ ଖବର ଆସିବା ସମସ୍ତଙ୍କୁ ସ୍ତବ୍ଧ କରି ଦେଇଛି ।

ୟୁକ୍ରେନରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ହେଉଥିବାବେଳେ ଆସୁଛି ଛାତି ଥରାଇ ଦେବା ଭଳି ଦୃଶ୍ୟ । ଅପରେସନ ଗଙ୍ଗାରେ ଭାରତୀୟଙ୍କ ଉଦ୍ଧାରକାର୍ଯ୍ୟ ଚାଲିଥିଲେ ବି ହଜାର ହଜାର ଛାତ୍ର ଅତି ଦୟନୀୟ ଅବସ୍ଥାରେ ଫଶି ରହିଛନ୍ତି । କେଉଁଠି ବଙ୍କର ଭିତରେ ବିନା ଖାଦ୍ୟ, ବିନା ପାଣିରେ ଦେଶକୁ ଫେରିବା ପାଇଁ ଚାହିଁ ରହିଛନ୍ତି । ତ ଆଉ କେଉଁଠି ଦେଶକୁ ଫେରିବା ପାଇଁ ମାଇନସ ୪ଡିଗ୍ରୀ ତାପମାତ୍ରାରେ ତୁଷାରପାତ ଭିତରେ ରୋମାନିଆ ଓ ପୋଲାଣ୍ଡ ସୀମାରେ ଅପେକ୍ଷା କରିଛନ୍ତି । ଯେଉଁମାନେ ଜୀବନକୁ ବାଜି ଲଗାଇ ଫେରିବାକୁ ସୀମାକୁ ଆସୁଛନ୍ତି ଆସିବା ବାଟରେ ଅକଥନୀୟ ନିର୍ଯ୍ୟାତନାର ଶିକାର ହେଉଛନ୍ତି । ଏପରିକି ଭାରତ ରୁଷ୍ ବିରୋଧରେ ନୀରବ ଥିବାରୁ ଭାରତୀୟ ଛାତ୍ରମାନେ ଆକ୍ରୋଶର ଶିକାର ହେଉଥିବା ଅଭିଯୋଗ ହୋଇଛି ।

ୟୁକ୍ରେନ ଛାଡିବାକୁ ଭାରତୀୟ ଦୂତାବାସ ପକ୍ଷରୁ କୁହାଯାଇଥିଲେ ବି ଭାରତର ବହୁ ଛାତ୍ରଛାତ୍ରୀ ରାଜଧାନୀ କିଭ୍, ଖାରକିଭ୍, ସୁମି ଭଳି ଯୁଦ୍ଧ ପ୍ରବଣ ଅଞ୍ଚଳରେ ଥିବାରୁ ସେମାନେ ଘରୁ ବାହାରିବା କଷ୍ଟକର ହୋଇପଡିଛି । ପ୍ରତି ମୁହୂର୍ତ୍ତରେ ସେମାନେ ଭୟ ଭିତରେ ରହୁଛନ୍ତି ଓ ଉଦ୍ଧାର କରିବା ପାଇଁ ନିବେଦନ କରିଛନ୍ତି ।

ଅପରେସନ ଗଙ୍ଗାରେ ୧୫ଶହରୁ ଅଧିକ ଭାରତୀୟ ଛାତ୍ରଛାତ୍ରୀ ଭାରତକୁ ଫେରିଲେଣି । ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ବାୟୁସେନାର ସ୍ୱତନ୍ତ୍ର ବିମାନକୁ ନିୟୋଜିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ହେଲେ ସମସ୍ତଙ୍କୁ ସୁରକ୍ଷିତ ଫେରାଇ ଆଣିବା ଭାରତ ସରକାରଙ୍କ ପାଇଁ ବଡ ଚ୍ୟାଲେଞ୍ଜ ହୋଇଛି ।