ଆସିଲା ପଞ୍ଚାୟତ ନିର୍ବାଚନର ପୂର୍ଣ୍ଣାଙ୍ଗ ରିପୋର୍ଟ: ୭୬୬ ଜିଲ୍ଲାପରିଷଦ ଆସନରେ ବିଜୟୀ ବିଜେଡି, ୪୨ରେ ବିଜେପି ଓ ୩୭ରେ କଂଗ୍ରେସ ସୀମିତ

224

କନକ ବ୍ୟୁରୋ: ଓଡିଶା ରାଜନୈତିକ ଇତିହାସରେ ସବୁଠାରୁ ବଡ ସଫଳତା ହାସଲ କରିଛି ବିଜେଡି ଯେତେବେଳେ ନିର୍ବାଚନ ହୋଇଥିବା ୮୫୨ଜିଲ୍ଲା ପରିଷଦ ଆସନରୁ ୯୦ ପ୍ରତିଶତ ଆସନରେ ଦଳୀୟ ପ୍ରାର୍ଥୀ ବାଜିମାତ୍ କରିଛନ୍ତି । ୨୨ ବର୍ଷର ରାଜନୈତିକ ଅଧ୍ୟାୟରେ ଏହି ସଫଳତା ବିରଳ । ଖାଲି ଆସନ ନୁହେଁ ବରଂ ଦଳର ଭୋଟ୍ ହାର ମଧ୍ୟ ୫୦ ପ୍ରତିଶତ ଅତିକ୍ରମ କରିଛି । ଯାହା ୨୦୧୯ ନିର୍ବାଚନ ତୁଳନାରେ ମଧ୍ୟ ଅଧିକ । ୨୦୧୭ରେ ଦଳ ୪୭୬ ଆସନ ପାଇଥିବା ବେଳେ ୨୦୨୨ରେ ୭୬୬ ଆସନରେ ବାଜିମାତ୍ କରିଛି । ଏହି ସଫଳତାର ସମୀକ୍ଷା ଭିନ୍ନ ଭିନ୍ ଦୃଷ୍ଟିକୋଣରୁ ଜାରି ରହିଥିବା ବେଳେ ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ଚୁଡାନ୍ତ ତାଲିକା ସାମ୍ନାକୁ ଅଣାଯାଇଛି ।

୮୫୨ ରୁ ୭୬୬ ଆସନରେ ଜିତିଛନ୍ତି ବିଜେଡି ପ୍ରାର୍ଥୀ । ଏଥିସହ ଦଳ ୨୦୧୨ରେ ପାଇଥିବା ସଫଳତାକୁ ମଧ୍ୟ ଅତିକ୍ରମ କରିଛି । ଖାଲି ଏତିକି ନୁହେଁ ୨ କୋଟି ୧୦ ଲକ୍ଷ ଭୋଟ୍ ମଧ୍ୟରୁ ଦଳ ପାଖାପାଖି ୧ କୋଟି ୧୧ ଲକ୍ଷ ଭୋଟ୍ ନିଜ ସପକ୍ଷକୁ ଆଣିବାରେ ସକ୍ଷମ ହୋଇଛି ।

୨୦୨୨ ପଂଚାୟତ ନିର୍ବାଚନରେ ଉଭୟ ବିରୋଧୀ ଦଳଙ୍କୁ କିନ୍ତୁ ଜୋରଦାର ଝଟକା ଲାଗିଛି । ପୁଂଜା ପୁଂଜା ପ୍ରସଙ୍ଗକୁ ଧରି ସରକାରଙ୍କୁ ଅଡୁଆରେ ପକାଇବା ପାଇଁ ରଣନୀତି ପ୍ରସ୍ତୁତ କରିଥିବା ଉଭୟ ବିଜେପି ଓ କଂଗ୍ରେସ ଏବେ ପରାଜୟର ସମୀକ୍ଷା କରିବା କଥା କହୁଛନ୍ତି । ୨୦୧୭ରେ ସଫଳତା ପାଇ ରାଜ୍ୟରେ କ୍ଷମତା ହାସଲ କରିବାକୁ ଲକ୍ଷ୍ୟ ରଖିଥିବା ବିଜେପିର ପ୍ରଦର୍ଶନ ନିମ୍ନଗାମୀ ହୋଇଛି । ୨୦୧୭ରେ ୨୯୬ ଆସନରୁ ଦଳ ୨୦୨୨ରେ ୪୨କୁ ଖସିଆସିଛି । ଦଳର ଭୋଟ୍ ହାର ୩୦ ପ୍ରତିଶତକୁ ଖସିଛି ।

ବଡ କଥା ହେଉଛି, ୧୦ଟି ଜିଲ୍ଲାରେ ବିଜେପି ଖାତା ଖୋଲିନି । ଗୋଟିଏ ବି ଜିଲ୍ଲାରେ ଦଳର ଆସନ ଦୁଇ ସଂଖ୍ୟା ଛୁଇଁନି । ୨୦୧୭ରେ ଦଳ ୮ଟି ଜିଲ୍ଲାରେ ପରିଷଦ ଗଠନ କରିଥିଲେ ବି ଏଥର ଗୋଟିଏ ବି ଜିଲ୍ଲାରେ ଏହି ସଫଳତା ଦଳ ପାଇନାହିଁ ।

ସେହିଭଳି କଂଗ୍ରେସ ମାତ୍ର ୧୪ ପ୍ରତିଶତ ଭୋଟ୍ ସହ ୩୭ ଆସନରେ ସୀମିତ ରହିଛି । ଯଦିଓ ୨୦୧୭ ତୁଳନାରେ କଂଗ୍ରେସର ପ୍ରଦର୍ଶନ ଖରାପ ହୋଇଛି, ହେଲେ ସିଟ୍ ହରାଇବା ହାରରେ କଂଗ୍ରେସ, ବିଜେପି ଠାରୁ ଭଲ ପ୍ରଦର୍ଶନ କରିଛି । ୧୮ ଜିଲ୍ଲାରେ ଦଳ ଖାତା ଖୋଲିନି, କେବଳ କୋରାପୁଟରେ ଜିଲ୍ଲା ପରିଷଦ ବିଜୟୀ ପ୍ରାର୍ଥୀଙ୍କ ସଂଖ୍ୟା ଦୁଇ ଅଙ୍କ ଅତିକ୍ରମ କରିଛି ।

ପଂଚାୟତ ନିର୍ବାଚନ ଫଳ ଏକତରଫା ହୋଇଥିବା ବେଳେ ଏବେ ପୈାର ପାଇଁ ସବୁ ରାଜନୈତିକ ଦଳ ପାଗଭିଡିବା ଆରମ୍ଭ କରିଛିନ୍ତି । ଚଳିତ ମାସର ଶେଷ ସପ୍ତାହରେ ହେବାକୁ ଥିବା ଏହି ନିର୍ବାଚନ କଣ ସଂକେତ ଦେଉଛି, ତାକୁ ଅପେକ୍ଷା ।