ଆଶ୍ଚର୍ଯ୍ୟ କଲେ ଭୋଟର: ବିଜେପୁରରେ ଶାସକ ଦଳକୁ ଟକ୍କର ଦେଲା ବିଜେପି, ସେପଟେ କଳାହାଣ୍ଡିରେ କାମ ଦେଲାନି ମମିତା ପ୍ରସଙ୍ଗ

234

କନକ ବ୍ୟୁରୋ: ସାରାରାଜ୍ୟରେ ବିଜେଡିର ହାୱା ବହୁଥିବାବେଳେ ବରଗଡର ବିଜେପୁର ନିର୍ବାଚନ ମଣ୍ଡଳୀ ଶାସକ ଦଳ ପାଇଁ ଆହ୍ୱାନ ସୃଷ୍ଟି କରିଛି । ଏହି ନିର୍ବାଚନ ମଣ୍ଡଳୀ ଅଧିନରେ ଆସୁଥିବା ୮ ଟି ଜିଲ୍ଲାପରିଷଦ ଜୋନ ମଧ୍ୟରୁ ୩ଟି ଜୋନକୁ ଦଖଲ କରିଛି ବିଜେପି । ସେଥିରୁ ଗାଇସିଲେଟ ବ୍ଲକରେ ଥିବା ୨ଟି ଜୋନରୁ ଗୋଟିଏ, ବିଜେପୁର ବ୍ଲକରେ ଥିବା ୩ଟି ଜୋନରୁ ଗୋଟିଏ, ବରପାଲି ବ୍ଲକର ୩ଟି ଜୋନରୁ ଗୋଟିଏ ଦଖଲ କରିଛି ବିଜେପି । ୨୦୧୯ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ହିଞ୍ଜିଳି ସହ ଏହି ଆସନରୁ ପ୍ରତିଦ୍ୱନ୍ଦିତା କରିଥିବାରୁ ଏହାର ଫଳ ଉପରେ ସମସ୍ତଙ୍କ ନଜର ରହିଥିଲା ।

ମମିତା ମେହେର ପ୍ରସଙ୍ଗ ସାରା ରାଜ୍ୟରେ ହଇଚଇ ସୃଷ୍ଟି କରିଥିଲେ ବି କଳାହାଣ୍ଡି ଓ ବଲାଙ୍ଗୀରରେ ବିଜେଡି ବାଜିମାତ କରିଛି । ଗତ ନିର୍ବାଚନରେ ଉଭୟ ଜିଲ୍ଲାରେ ବିଜେପି ଜବରଦସ୍ତ ପ୍ରଦର୍ଶନ ଦେଇଥିଲା । ହେଲେ ସମ୍ବେଦଶୀଳ ପ୍ରସଙ୍ଗକୁ ମୁଦା କରି ଦଳ ଭୋଟ ମଇଦାନକୁ ଓହ୍ଲାଇଥିଲେ ବି ଜନତାଙ୍କ ବିଶ୍ୱାସ ଜିତି ପାରିନି । କଳାହାଣ୍ଡିରେ ଗତଥର ବିଜେପି ୯୫ ପ୍ରତିଶତ ଆସନରେ ସଫଳତା ପାଇଥିଲା । ହେଲେ ଏଥର ବିଜେଡି ପୂରା ଫଳକୁ ଓଲଟାଇ ଦେଇଛି । ୩୬ ଜିଲ୍ଲାପରିଷଦ ଆସନରୁ ୩୩ଟି ଆସନକୁ ଦଳ ଅକ୍ତିଆରକୁ ନେଇଛି । ସେହିପରି ବଲାଙ୍ଗୀରରୁ ୩୪ରୁ ୨୬ ଆସନରେ ଜିତି ପରିଷଦକୁ ନିଜ ଅକ୍ତିଆରକୁ ନେଇଛି ।

ସେହିଭଳି କଟକ ରାଜନୀତିରେ ମାହାଙ୍ଗା ଡବଲ ମର୍ଡରକୁ ନେଇ ହଟଚମଟ ସୃଷ୍ଟି ହୋଇଥିଲା । ଯେଉଁଠି ମନ୍ତ୍ରୀ ପ୍ରତାପ ଜେନାଙ୍କ ବିବାଦୀୟ ଭୂମିକାକୁ ନେଇ ଥାନାରୁ କୋର୍ଟ ଯାଏ ରାଜନୀତି ଘୁରି ବୁଲିଥିଲା । ହେଲେ, ମାହାଙ୍ଗା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଜିଲ୍ଲାପରିଷଦ ଜୋନରେ ବିଜେଡି ବିଜୟ ବାନା ଉଡାଇଛି । ହେଲେ ଆଶ୍ଚର୍ଯ୍ୟଜନକ ଭାବେ କୂଳମଣି ବରାଳଙ୍କ ପୁଅ ନୃତାଙ୍ଗ ଗ୍ରାମପଂଚାୟତରୁ ସମିତି ସଭ୍ୟ ଭାବେ ନିର୍ବାଚିତ ହୋଇଛନ୍ତି ।

ରାଜନୀତିରେ ଏହି ତିନୋଟି ଘଟଣାର ଏକ ବଡ ବାର୍ତା ରହିଛି । ପ୍ରସଙ୍ଗ ଭିତିରେ ଯେତିକି ଭୋଟ ହୋଇ ନାହିଁ ବରଂ ସ୍ଥାନୀୟ ଚେହେରାଙ୍କୁ ଲୋକେ ଅଧିକ ଭରଷା କରିଛନ୍ତି । ସେଥିପାଇଁ ସରକାରଙ୍କ ଫୋକସରେ ଥିବା ନିର୍ବାଚନମଣ୍ଡଳୀରେ ବିଜେଡି ହାରୁଛି କିନ୍ତୁ ମମିତା ଭଳି ପ୍ରସଙ୍ଗ ଥିବା ସ୍ଥାନରେ ବିଜେଡି ଜିତୁଛି ।