ଚୀନ୍ ସୀମା ନିକଟରେ ପଇଁତରା ମାରିବ ଭାରତର ଲଢୁଆ ଯୁଦ୍ଧ ବିମାନ, ହେଲିକପ୍ଟର ଓ ଡ୍ରୋନ । ଆସନ୍ତାକାଲି ଠାରୁ ବଡ ସୈନ୍ୟ ଅଭ୍ୟାସ କରିବ ଭାରତୀୟ ବାୟୁସେନା । 

94

କନକ ବ୍ୟୁରୋ : ତୱାଙ୍ଗ ସେକ୍ଟରରେ ଭାରତ-ଚୀନ ସେନା ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜିବା ପରେ ଆଲର୍ଟ ମୋଡରେ ରହିଛି ଭାରତୀୟ ସ୍ଥଳସେନା ଓ ବାୟୁସେନା । ଏପରିକି ଭାରତୀୟ ବାୟୁସେନା ଆସନ୍ତା ୪୮ ଘଣ୍ଟାରେ ଚୀନ୍ ସୀମାକୁ ଲାଗି ରହିଥିବା ୪ଟି ଏୟାରବେସର ନିଜର ସୈନ୍ୟଅଭ୍ୟାସ କରିବ । ଏହି ଯୁଦ୍ଧାଭ୍ୟାସରେ ଲଢୁଆ ଯୁଦ୍ଧ ବିମାନ, ହେଲିକପ୍ଟର ଓ ଅତ୍ୟାଧୁନିକ ଡ୍ରୋନ ସାମିଲ ହେବ ।

ସୂଚନା ମୁତାବକ, ଆସନ୍ତା ୧୫ ଓ ୧୬ ତାରିଖରେ ଅଥାର୍ତ ଗୁରବାର ଓ ଶୁକ୍ରବାର ଚୀନ୍ ସୀମାକୁ ଲାଗି ରହିଥିବା ଭାରତୀୟ ଏୟାରବେସରେ ଏହି ଯୁଦ୍ଧାଭ୍ୟାସ ହେବ । ତୱାଙ୍ଗରେ ଉତ୍ତେଜନାମୂଳକ ସ୍ଥିତି ରହିଥିବା ବେଳେ ଭାରତୀୟ ବାୟୁସେନାର ଏହି ଯୁଦ୍ଧାଭ୍ୟାସ ବେଶ ଗୁରୁତ୍ୱ ବହନ କରୁଛି । ତେବେ ବାୟୁସେନା ପକ୍ଷରୁ ଏହାକୁ ନିୟମିତ ଯୁଦ୍ଧାଭ୍ୟାସ ବୋଲି କୁହାଯାଉଛି । କାରଣ ପୂର୍ବରୁ ଏହି ତାରିଖରେ ଯୁଦ୍ଧାଭ୍ୟାସ ହେବ ବୋଲି ନିର୍ଦ୍ଧାରିତ ହୋଇଥିଲା । ତେଣୁ ତୱାଙ୍ଗ ଘଟଣା ସହ ଯୁଦ୍ଧାଭ୍ୟାସର କୌଣସି ସମ୍ପର୍କ ନଥିବା କହିଛନ୍ତି ବାୟୁସେନାର ଅଧିକାରୀ ।

ଏହି ଯୁଦ୍ଧାଭ୍ୟାସର ଜରିଆରେ ପୂର୍ବ ସୀମାରେ ଭାରତୀୟ ବାୟୁସେନା ନିଜର କ୍ଷମତା ପରୀକ୍ଷଣ କରିବ । କାରଣ ପୂର୍ବସୀମାକୁ ଲାଗି ଚୀନ୍, ବାଂଲାଦେଶ, ମିଆଁମାର ଭଳି ଦେଶ ରହିଛନ୍ତି । ତେଣୁ ଏହି ଦେଶର ସୀମାବର୍ତ୍ତୀ ଅଞ୍ଚଳରେ ନଜର ରଖିବା ଭାରତ ପାଇଁ ଆବଶ୍ୟକୀୟ ହୋଇପଡିଛି ।