ବିଶ୍ୱକପର ବଦଲା ବିଶ୍ୱକପରେ: ୩୬୪ ଦିନ ପରେ ପାକିସ୍ତାନଠୁ ପ୍ରତିଶୋଧ ନେଲା ଭାରତ

167

କନକ ବ୍ୟୁରୋ: ପୂରା ହେଲା ବଦଲା । ୩୬୪ ଦିନ ପରେ ପାକିସ୍ତାନଠୁ ପ୍ରତିଶୋଧ ନେଲା ଭାରତ । ବର୍ଷେ ପୂର୍ବେ ପାକିସ୍ତାନ ଯେଉଁ ଦୁଃଖ ଦେଇଥିଲା ତାକୁ ପରିଶୋଧ କରିଛି ଭାରତ । ୨୦୨୧ ବିଶ୍ୱକପରେ ପାକିସ୍ତାନଠାରୁ ପରାଜୟର ଦୁଃଖ, ବର୍ତ୍ତମାନର ବିଜୟର ଖୁସିକୁ ଦୁଇ ଗୁଣା କରିଦେଇଛି ।

୨୦୨୧ ମସିହା ଅକ୍ଟୋବର ୨୪ ତାରିଖ । ଟି-୨୦ ବିଶ୍ୱକପର ସପ୍ତମ ସଂସ୍କରଣ । ସେଦିନ ବି ଥିଲା ଭାରତ-ପାକିସ୍ତାନର ପ୍ରଥମ ମ୍ୟାଚ । ଦୁଇ ଦଳ ପ୍ରସ୍ତୁତ ହୋଇ ମୈଦାନକୁ ଓହ୍ଲାଇ ସାରିଥିଲେ । ଆଉ ମ୍ୟାଚ ପାଇଁ ଦର୍ଶକମାନଙ୍କ ମଧ୍ୟରେ ଉତ୍କଣ୍ଠା ମଧ୍ୟ ବଢିବାରେ ଲାଗିଥିଲା । ଏହି ମ୍ୟାଚରେ ଟସ ଜିତି ପାକିସ୍ତାନ ବୋଲିଂ ନିଷ୍ପତ୍ତି ନେଇଥିଲା । ଆଉ ବ୍ୟାଟିଂ କରିଥିଲା ଭାରତ । ପାକିସ୍ତାନ ବୋଲିଂ ଆଗରେ ବେଶୀ ସମୟ ତିଷ୍ଠି ପାରିନଥିଲେ ଭାରତୀୟ ବ୍ୟାଟ୍ସମ୍ୟାନ ।

ଗୋଟିଏ ପରେ ଗୋଟିଏ ଗଳି ପଡିଥିଲା । ହେଲେ ବିରାଟ କୋହଲି ପାଳି ସମ୍ଭାଳିଥିଲେ । ୫୭ ରନର ଇଂନିସ ଖେଳି ଦଳକୁ ୧୫୧ ରନରେ ପହଞ୍ଚାଇଥିଲେ । ହେଲେ ପାକିସ୍ତାନର ଦୁଇ ଓପନର ବାବର ଆଉ ରିଜୱାନ ଏକାକୀ ପାକିସ୍ତାନକୁ ବିଜୟୀ କରାଇଥିଲେ ।

ବିଶ୍ୱକପ ଇତିହାସରେ ଏହା ପ୍ରଥମ ଘଟଣା ଥିଲା ଯେଉଁଥିରେ ଭାରତ ପାକିସ୍ତାନଠାରୁ ପରାଜିତ ହୋଇଥିଲା । ଯେଉଁ ଘଟଣା ଅନେକ ଭାରତୀୟଙ୍କୁ ନିରାଶ କରିଥିଲା । ଆଉ ଏଥିପାଇଁ ଭାରତୀୟ କ୍ରିକେଟରଙ୍କୁ ସମାଲୋଚନାର ଶିକାର ହେବାକୁ ପଡିଥିଲା ।

୨୦୨୨ ମସିହା ଅକ୍ଟୋବର ୨୩ ତାରିଖ । ପୁଣି ସେହି ଦିନ ଫେରିଲା । ବିଶ୍ୱକପର ଅଷ୍ଟମ ସଂସ୍କରଣ । ଆଉ ଭାରତ ପାକିସ୍ତାନର ପ୍ରଥମ ମ୍ୟାଚ । ଯେଉଁଥିରେ ବିରାଟଙ୍କ ଧୂଆଁଧାର ବ୍ୟାଟିଂରେ ଧରାଶାୟୀ ହୋଇଯାଇଛି ପାକିସ୍ତାନ । ଏହି ମ୍ୟାଚରେ ଭାରତ ପ୍ରଥମେ ଟସ ଜିତି ବୋଲିଂ କରିଥିଲା । ପାକିସ୍ତାନର ଟପ ଅର୍ଡରକୁ ଧ୍ୱସଂ କରିଦେଇଥିଲେ ଭାରତୀୟ ବୋଲର । ହେଲେ ମିଡିଲ ଅର୍ଡରରେ ସାନ ମସୁଦ, ଇଫତିକାର ଅହମ୍ମଦଙ୍କ ଅର୍ଦ୍ଧଶତକୀୟ ପାଳି ଦଳକୁ ଦୃଢ ସ୍ଥିତିରେ ପହଞ୍ଚାଇଥିଲା ।

ହେଲେ ବିରାଟଙ୍କ ବ୍ୟାଟର ଗର୍ଜନରେ ସବୁ ଚୁପ ହୋଇଯାଇଥିଲେ । ଗୋଟିଏ ପରେ ଗୋଟିଏ ୱିକେଟ ଯାଇଥିଲା ବେଳେ ୨୦୨୧ ପରି ଏଥର ବି ଦଳକୁ ସମ୍ଭାଳିଥିଲେ ବିରାଟ । ଆଉ ଛକା ଚୌକାର ବର୍ଷା କରିଥିଲେ । ମ୍ୟାଚକୁ ଶେଷ ଓଭର ଯାଏଁ ନେଇ ଭାରତକୁ ରୋମାଞ୍ଚକର ବିଜୟ ଦେଇଥିଲେ । ଆଉ ବିଜୟର ଖୁସିରେ ଦିପାବଳୀର ଗୋଟିଏ ଦିନ ପୂର୍ବରୁ ଭାରତରେ ଫୁଟିଥିଲା ବାଣ ।

ଲଗାତାର ଭାବେ ଫର୍ମ ଯୋଗୁଁ ସଂଘର୍ଷ କରୁଥିବା କ୍ୟାପଟେନ କୋହଲିଙ୍କ ଏଭଳି ଦମଦାର ଇଂନିସ ଖେଳି ସମାଲୋଚକଙ୍କ ପାଟି ଚୁପ କରିଦେଇଥିଲେ । ଯେଉଁମାନେ ବିରାଟଙ୍କ ଫର୍ମକୁ ନେଇ ତାଙ୍କୁ ଟ୍ରୋଲ କରୁଥିଲେ ସେ ଦେଖାଇଦେଇଥିଲେ ବିରାଟ କଣ କରିପାରନ୍ତି । ଆଉ ଏହି ବିଜୟ ସହ ପାକିସ୍ତାନଠାରୁ ବିଶ୍ୱକପ ୨୦୨୧ର ପ୍ରତିଶୋଧ ନେଇଛି ଭାରତ ।