ତିବ୍ଦତ ସରକାରଙ୍କ କାର୍ଯ୍ୟକ୍ରମରେ ଭାରତୀୟ ସାଂସଦଙ୍କ ସାମିଲ ନେଇ ବଡ ବିବାଦ : ଚିଠି ଲେଖିଲା ଚୀନ ଦୂତାବାସ; କହିଲା ଅନୈତିକ ସଙ୍ଗଠନ ସହ ସାମିଲ ଗ୍ରହଣୀୟ ନୁହଁ

କଡ଼ା ଭାଷାରେ ନିନ୍ଦା କଲେ ସାଂସଦ ସୁଜିତ କୁମାର; ଡିସେମ୍ବର ୧୨ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ସୁଜିତଙ୍କ ସହ ଅନେକ ସାଂସଦ

164

କନକ ବ୍ୟୁରୋ : ଭାରତୀୟ ସାଂସଦଙ୍କ ଏକ ପ୍ରତିନିଧି ଦଳ ନିର୍ବାସନରେ ଥିବା ତିବ୍ଦତ ସରକାରଙ୍କ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ନେଇ ବଡ ବିବାଦ ସାମ୍ନାକୁ ଆସିଛି । ଏ ନେଇ ଚୀନ ଦୂତାବାସ ପକ୍ଷରୁ ଭାରତୀୟ ସାଂସଦଙ୍କୁ କଡା ଭାଷାରେ ଚିଠି ଲେଖିଛି । ଡିସେମ୍ବର ୨୨ରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଭାରତୀୟ ସାଂସଦଙ୍କ ପ୍ରତିନିଧି ଦଳରେ ବିଜେଡିର ରାଜ୍ୟସଭା ସାଂସଦ ସୁଜିତ କୁମାରଙ୍କ ସହ ଜୟରାମ ରମେଶ, ମେନକା ଗାନ୍ଧି, ମନୀଷ ତିୱାରୀ ଓ ରାମଦାସ ଅଠାବଲେ ସାମିଲ ହୋଇଥିଲେ ।

ଭାରତରେ ଅବସ୍ଥାପିତ ଚୀନ ଦୂତାବାସର ରାଜନୈତିକ ପରାମର୍ଶଦାତା ଏ ନେଇ ସାଂସଦଙ୍କୁ ଚିଠି ଲେଖିଛି । ଏଥିରେ କୁହାଯାଇଛି, ଏକ ଅନୈତିକ ସଙ୍ଗଠନ ସହ ଭାରତୀୟ ସାଂସଦଙ୍କ ଏଭଳି ସାମିଲ ହେବା ଗ୍ରହଣୀୟ ନୁହେଁ । କୌଣସି ସଙ୍ଗଠନର ଚୀନ ବିରୋଧୀ ଗତିବିଧିକୁ ବେଜିଂ ଦୃଢ ବିରୋଧ କରୁଛି । ଆପଣ ଜଣେ ବରିଷ୍ଠ ରାଜନୈତିକ ନେତା ଭାବେ ଚୀନ-ଭାରତ ସମ୍ପର୍କକୁ ଜାଣିଛନ୍ତି । ଆଶା କରୁଛୁ ଘଟଣାର ସମ୍ବେଦନଶୀଳତା ବିଷୟ ବୁଝିବେ ଓ ତିବତର ସ୍ୱତନ୍ତ୍ରତା ପାଇଁ ଲଢୁଥିବା ସଙ୍ଗଠନଗୁଡିକୁ ପ୍ରୋତ୍ସାହନ ଦେବାରୁ ନିବୃତ ରହିବେ ।

ତେବେ ଚୀନର ଏହି ପତ୍ରର ଜବାବରେ ସାଂସଦ ସୁଜିତ କୁମାର କହିଛନ୍ତି, ଦୂତାବାସ ଭାରତୀୟ ସାଂସଦଙ୍କୁ ଏଭଳି ଚିଠି ଦୂତାବାସ ଲେଖିପାରିବ ନାହିଁ । ଯଦି କୌଣସି ପ୍ରତିକ୍ରିୟା ଥାଏ ତାହାହେଲେ ଅଧିକାରୀ ସ୍ତରରେ ଏହି ପ୍ରସଙ୍ଗକୁ ଉଠାଯାଇପାରେ । ସେପଟେ ନିର୍ବାସନରେ ଥିବା ତିବତ ସରକାରଙ୍କ ପକ୍ଷରୁ ବି ଏନେଇ ପ୍ରତିକ୍ରିୟା ପ୍ରକାଶ କରାଯାଇଛି । କେନ୍ଦ୍ରୀୟ ତିବ୍ଦତ ଆଡମିନିଷ୍ଟ୍ରେସନ ମୁଖପାତ୍ର କହିଛନ୍ତି, ତିବତ ଚୀନର ଆଭ୍ୟନ୍ତରୀଣ ପ୍ରସଙ୍ଗ ନୁହେଁ ।