ଆର୍ଥକ ସଙ୍କଟ ମଧ୍ୟରେ ଶ୍ରୀଲଙ୍କା । ସହାୟତାର ହାତ ବଢାଇଲା ଭାରତ

714

କନକ ବ୍ୟୁରୋ : ଶ୍ରୀଲଙ୍କାରେ ଆର୍ଥିକ ସଙ୍କଟ ଯୋଗୁ ଦେଶରେ ଜରୁରୀ ପରିସ୍ଥିତି ସୃଷ୍ଟି ହୋଇଛି । ପରିସ୍ଥିତିକୁ ନିୟନ୍ତ୍ରଣରେ ରଖିବା ପାଇଁ ଶ୍ରୀଲଙ୍କା ସରକାର ୩୬ ଘଣ୍ଟିଆ କଫ୍ୟୁ ଲାଗୁ କରିଛନ୍ତି । ପୋଲିସ ଏବଂ ସେନାକୁ ଅଖଣ୍ଡ କ୍ଷମତା ଦିଆଯାଇଛି । ଦେଶରେ ଏବେ ଲୋକେ ଭୋକ ଉପାସରେ ଆଉଟପାଉଟ୍ ହେଉଛନ୍ତି । ଆର୍ଥିକ ସ୍ଥିତି ଖରାପ ଥିବାରୁ ଦରଦାମ ଆକାଶ ଛୁଆଁ ରହିଛି । ରାଜରାସ୍ତାକୁ ଲୋକେ ଓହ୍ଲାଇବା ପରେ ହିଂସା ଦେଖିବାକୁ ମିଳିଛି । ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟବାୟା ରାଜପକ୍ଷଙ୍କ ବାସଭବନ ଆଗରେ ଲୋକେ ବସ ଜାଳିଦେଇଛନ୍ତି ।
ପରିସ୍ଥିତି ଅଣାୟତ ହେଉଥିବା ଔଷଧ ଦର ୩୦ ପ୍ରତିଶତ ମହଙ୍ଗା ହୋଇଥିବା ବେଳେ ପେଟ୍ରୋଲ ଓ ଡିଜେଲ ଦର ୩ରୁ ୪ ଗୁଣା ବୃଦ୍ଧି ପାଇଛି । ପ୍ରାୟ ପେଟ୍ରୋଲ ପମ୍ପ ବନ୍ଦ ହୋଇଯାଇଥିବା ବେଳେ ପଟ୍ରୋଲ ପମ୍ପରେ ସେନାର ଯବାନ ମୁତୟନ କରଯାଇଛି । ଚାଉଳ କିଲୋ ୫ ଶହ ଟଙ୍କା, ଚିନି କିଲୋ ୨୯୦ ଟଙ୍କା, ଚା କପ ପାଇଁ ଶହେ ଟଙ୍କା ଦେବାକୁ ପଡୁଛି । ବିଦେଶୀ ରୁଣ ବୋଝ ଏତେ ମାତ୍ରାରେ ବଢି ଯାଇଛି ଯେ, ରୁଣ ସୁଝିବାକୁ ଶ୍ରୀଲଙ୍କା ସରକାରଙ୍କ ପାଖରେ ଅର୍ଥ ନାହିଁ । ଏପରି ସ୍ଥଲେ ଶ୍ରୀଲଙ୍କାକୁ ସହଯୋଗର ହାତ ବଢାଇଛି ଭାରତ । ଭାରତ ଶ୍ରୀଲଙ୍କାକୁ ୪୦ ହଜାର ଟନ ଡିଜେଲ ପଠାଇଥିବା ବେଳେ ୪୦ ହଜାର ମେଟ୍ରିକ୍ ଟନ ଚାଉଳ, ଔଷଧ ଆଦି ପଠାଇଛି ।