ଲୋକସଭା ନିର୍ବାଚନ ପାଇଁ ବିଜେପିର ରଣନୀତି । ଇଣ୍ଡିଆ ମେଣ୍ଟ ଫର୍ମୁଲା ଆପଣାଉଛି ଏନଡିଏ!

239

କନକ ବ୍ୟୁରୋ: ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଲେଣି ସବୁ ରାଜନୈତିକ ଦଳ । ଏଥର ତୃତୀୟ ପାଳିରେ ସରକାର ଗଢିବାକୁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଛି ଭାରତୀୟ ଜନତା ପାର୍ଟି । ଏଥିପାଇଁ ବିଜେପି ସମଗ୍ର ଦେଶରେ ୩୭୦ଟି ଆସନ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରିଛି । ଏହାସହ ଏନଡିଏ ପାଇଁ ‘ମିଶନ୍-୪୦୦’ର ଟାର୍ଗେଟ ଧାର୍ଯ୍ୟ କରାଯାଇଛି । ଆଉ ଏହି ଟାର୍ଗେଟ ପୂରଣ କରିବା ପାଇଁ ବିରୋଧୀଙ୍କ ଫର୍ମୁଲା ବି ଆପଣାଇବାକୁ ପଛାଉ ନାହିଁ ଏନଡିଏ ।

  • ଲୋକସଭା ନିର୍ବାଚନ ପାଇଁ ବିଜେପିର ରଣନୀତି
  • ଇଣ୍ଡିଆ ମେଣ୍ଟଫର୍ମୁଲା ଆପଣାଉଛି ଏନଡିଏ!

ଶେଷରେ ବିରୋଧୀ ଇଣ୍ଡିଆ ମେଣ୍ଟର ଫର୍ମୁଲାକୁ କାମରେ ଲଗାଇଛି ଏନଡିଏ । ଲୋକସଭା ନିର୍ବାଚନ ପାଇଁ ବିରୋଧୀଙ୍କ ରଣନୀତିକୁ ଆପଣାଇଛି ଭାରତୀୟ ଜନତା ପାର୍ଟି । ଲୋକସଭା ନିର୍ବାଚନ ପାଇଁ ଏନଡିଏ ‘ମିଶନ୍-୪୦୦’ର ଟାର୍ଗେଟ୍ ଧାର୍ଯ୍ୟ କରିଛି । ଏହି ଲକ୍ଷ୍ୟ ପୂରଣ କରିବା ପାଇଁ ପ୍ରତ୍ୟେକ ଆସନରେ ବିଜେପି ରଣନୀତି ପ୍ରସ୍ତୁତ କରିଛି । ବିଶେଷ କରି ଦେଶର ଉତ୍ତର-ପୂର୍ବ ରାଜ୍ୟ ଗୁଡିକ ପାଇଁ ବିଜେପି ନିଜ ସହଯୋଗୀ ଦଳଗୁଡିକୁ ପ୍ରାଧାନ୍ୟ ଦେବା ଆରମ୍ଭ କରିଦେଇଛି । ଗତ ନିର୍ବାଚନରେ ବିଜେପି କିଛି ଆସନରେ ସହଯୋଗୀ ଦଳ ସହ ବନ୍ଧୁତ୍ୱପୂର୍ଣ୍ଣ ଲଢେଇ କରିଆସୁଥିଲା । ହେଲେ ଚଳିତ ନିର୍ବାଚନରେ ବିଜେପି ଅଧିକରୁ ଅଧିକ ଆସନ ଜିତିବା ପାଇଁ ଏହାକୁ ଏଡାଇବାକୁ ପ୍ରୟାସ କରିଛି । ମାତ୍ର ଉତ୍ତର-ପୂର୍ବ ରାଜ୍ୟ ଗୁଡିକରେ ‘ବନ୍ଧୁତ୍ୱପୂର୍ଣ୍ଣ ଲଢେଇ’କୁ ଗୁରୁତ୍ୱ ଦେଇଛି ବିଜେପି । ଇଣ୍ଡିଆ ମେଣ୍ଟ ଏହି ଫର୍ମୁଲାରେ ବିଭିନ୍ନ ରାଜ୍ୟରେ ଆସନ ବୁଝାମଣା କରିଛି । ଯେଉଁ ଆସନରେ ଇଣ୍ଡିଆ ମେଣ୍ଟର ଯେଉଁ ଦଳ ଅଧିକ ଶକ୍ତିଶାଳୀ ରହିଛି, ସେଠାରେ ତାଙ୍କୁ ନିର୍ବାଚନ ଲଢିବାକୁ ନିଷ୍ପତି ହୋଇଛି । ଆଉ ଇଣ୍ଡିଆ ମେଣ୍ଟର ଏହି ଫର୍ମୁଲା ଏବେ ଏନଡିଏ ଆପଣାଉଥିବା ଦେଖିବାକୁ ମିଳୁଛି ।

  • ଏନଡିଏ’ର ‘ମିଶନ୍-୪୦୦’ ଲକ୍ଷ୍ୟ
  • ସହଯୋଗୀ ଦଳକୁ ପ୍ରାଧାନ୍ୟ ଦେଉଛି ବିଜେପି

ମିଶନ୍ ୪୦୦ ଟାର୍ଗେଟ୍ ପୂରଣ କରିବା ପାଇଁ ଦୁର୍ବଳ ଆସନ ଉପରେ ଅଧିକ ଫୋକସ୍ କରୁଛନ୍ତି ବିଜେପିର ଶୀର୍ଷ ନେତୃତ୍ୱ । ଏହାକୁ ନେଇ ପ୍ରଧାନମନ୍ତ୍ରୀ ମୋଦୀ, ଗୃହମନ୍ତ୍ରୀ ଅମିତ୍ ଶାହ, ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଭଳି ଶୀର୍ଷ ନେତୃତ୍ୱ ସବୁ ଦିଗକୁ ଗୁରୁତ୍ୱ ଦେଉଛନ୍ତି । ବିଶେଷ କରି ଉତ୍ତର-ପୂର୍ବର ସମସ୍ତ ୨୬ଟି ଲୋକସଭା ଆସନକୁ ନେଇ ବନ୍ଧୁତ୍ୱପୂର୍ଣ୍ଣ ଲଢେଇ କରିବାକୁ ରଣନୀତି ପ୍ରସ୍ତୁତ କରାଯାଇଛି । ମେଘାଲୟ ମୁଖ୍ୟମନ୍ତ୍ରୀ ତଥା ଏନପିପି ମୁଖ୍ୟ କାରନାଡ୍ ସାଙ୍ଗମା କହିଛନ୍ତି, ଲୋକସଭା ନିର୍ବାଚନ ପାଇଁ ଉତ୍ତର-ପୂର୍ବାଞ୍ଚଳରେ ଏନଡିଏ ଦଳଗୁଡିକ ନିଜ ସହଯୋଗୀ ଦଳଗୁଡିକୁ ସମର୍ଥନ କରିବାକୁ ଯୋଜନା କରିଛନ୍ତି । ମେଘାଳୟରେ ଏନଡିଏ, ଏନପିପିକୁ ସମର୍ଥନ କରୁଛି । ମଣିପୁରରେ ବିଜେପି ଓ ଏନପିପି, ଏନପିଏଫକୁ ସମର୍ଥନ କରୁଛି ।

ତେବେ ରାଜନୀତି ସମୀକ୍ଷକଙ୍କ କହିବା କଥା, ଶାସକ ମେଣ୍ଟ ବିରୋଧୀ ଇଣ୍ଡିଆ ମେଣ୍ଟଠାରୁ ଶିକ୍ଷା ନେଇ ଗୋଟିଏ ଆସନରେ ଜଣେ ପ୍ରାର୍ଥୀଙ୍କ ଫର୍ମୁଲା ଗ୍ରହଣ କରିଛି । ବିଶେଷ କରି ଉତ୍ତର-ପୂର୍ବ ରାଜ୍ୟରେ ଏଭଳି ବନ୍ଧୁତ୍ୱପୂର୍ଣ୍ଣ ଲଢେଇ ନେଇ ପ୍ରସ୍ତୁତ ହୋଇଛି ବିଜେପି । ଇଣ୍ଡିଆ ମେଣ୍ଟର ଅନେକ ଦଳ କଂଗ୍ରେସକୁ ପରାମର୍ଶ ଦେଇଥିଲେ ଯେ, ସହଯୋଗୀ ଦଳର ଶକ୍ତି ଆଧାରରେ ଆସନ ବଣ୍ଟନ କରାଯିବା ଉଚିତ୍ । ମାତ୍ର ସେଭଳି ହୋଇନାହିଁ । ହେଲେ ବିଜେପି କିନ୍ତୁ ଏହି ରଣନୀତିକୁ ଅଧିକ ଗୁରୁତ୍ୱ ଦେଇଛି । ଉତ୍ତର-ପୂର୍ବ ପାଇଁ ବିଜେପି ଏହି ରଣନୀତି ଆପଣାଇଛି ସତ । କିନ୍ତୁ ଅଧିକାଂଶ ସ୍ଥାନରେ ଦଳ ଏକାକୀ ଲଢିବାକୁ ଯାଉଛି । ଏକାକୀ ୩୭୦ ଆସନରେ ବିଜୟ ଲକ୍ଷ୍ୟ ରଖିଛି ଭାରତୀୟ ଜନତା ପାର୍ଟି ।