ଆଗାମୀ ୨ ଦିନରେ ପାରା ହେବ ଉପରମୁହାଁ! ମଙ୍ଗଳବାରଠାରୁ ରାତିରେ ବଢିବ ତାତି

126

କନକ ବ୍ୟୁରୋ: ଉପରମୁହାଁ ହୋଇଛି ପାରଦ । ଗରମ ଓ ତାତିରେ ସିଝିଛନ୍ତି ରାଜ୍ୟବାସୀ । ୩ଟି ସହରରେ ତାପମାତ୍ରା ଆଜି ୪୦ ଡିଗ୍ରୀ ଅତିକ୍ରମ କରିଛି । ବାରିପଦା ଓ ଝାରୁସୁଗୁଡାରେ ତାପମାତ୍ରା ୪୦.୪ ଡିଗ୍ରୀ ରେକର୍ଡ କରାଯାଇଛି । ୫ଟି ସ୍ଥାନରେ ତାପମାତ୍ରା ୪୦ଡିଗ୍ରୀ ରହିଛି । ଆଜି ଦିନ ସାଢେ ଦୁଇଟା ସୁଦ୍ଧା ତାପମାତ୍ରା ପାଖାପାଖି ୪୦ ଡିଗ୍ରୀ ରହିଥିଲା । ଆସନ୍ତା ୨ ଦିନରେ ତାପମାତ୍ରା ବଢିବ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି । କାଲିଠୁ ରାତିରେ ତାତି ବଢିବ । ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ଅଙ୍ଗନୱାଡି କେନ୍ଦ୍ରଗୁଡିକୁ ସକାଳୁଆ କରାଯାଇଛି । ଲଗାତାର ଦୁଇ ଦିନ ଧରି ସର୍ବାଧିକ ତାପମାତ୍ରା ରେକର୍ଡ ହୋଇଛି । ଶନିବାର ମାଲକାନଗିରିରେ ତାପମାତ୍ରା ୪୧ ଡିଗ୍ରୀ ଓ ରବିବାର ୩୯. ୭ ଡିଗ୍ରୀ ରେକର୍ଡ ହୋଇଥିଲା ।

ମାଲକାନଗିରି ତାପମାତ୍ରା
ଶନିବାର: ୪୧ ଡିଗ୍ରୀ
ରବିବାର:୩୯.୭ ଡିଗ୍ରୀ
ଏବେ ଏଭଳି ଗରମ ଯୋଗୁଁ ଦିନ ୧୧ ଟା ପରେ ରାସ୍ତା ଘାଟ ଏକ ପ୍ରକାର ଶୁନ୍ଶାନ୍ ହୋଇ ପଡିଛି । ଅସହ୍ୟ ତାତି ଯୋଗୁ ଲୋକେ ଘରୁ ବାହାରିବାକୁ ଉଚିତ ମନେ କରୁ ନାହାନ୍ତି । ଥଣ୍ଡା ପାନୀୟ ସାଙ୍ଗକୁ ରାସ୍ତା କଡ ରେ ପଇଡ, କାକୁଡି, ତାଳ ସଜ ଦୋକାନ ରେ ଲୋକଙ୍କ ଭିଡ ଜମୁଛି ।

ଶନିବାର ରବିବାର ଭଳି ସୋମବାର ବି ଦିନ ସାଢେ ଦୁଇଟା ସୁଦ୍ଧା ପ୍ରବଳ ଗରମ ଅନୁଭୂତ ହୋଇଥିଲା । ଏପରିକି ଚାନ୍ଦବାଲି, ଭୁବନେଶ୍ୱର, ଝାରୁସୁଗୁଡା, ବାଲେଶ୍ୱର ସମ୍ବଲପୁର ଭଳି ସ୍ଥାନରେ ତାପମାତ୍ରା ୩୮ ଡିଗ୍ରୀ ଉପରେ ରହିଥିଲା ।

ପାଣିପାଗ ବିଭାଗର ସୂଚନା ଅନୁସାରେ, ଆଗକୁ ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ଉପମୁହାଁ ହେବ
-୨ ଦିନ ଯାଏଁ ଆଭ୍ୟନ୍ତରୀଣ ଓ ଉପକୂଳରେ ତାପମାତ୍ରା ୨ରୁ ୪ ଡିଗ୍ରୀ ବଢିପାରେ
-୩ ଦିନ ଯାଏଁ ଶୁଖିଲା ପାଗ ସମ୍ଭାବନା
-ଏପ୍ରିଲ ୪ରୁ ୬ ଯାଏଁ ଆଭ୍ୟନ୍ତରୀଣ ଓ ଉପକୂଳ ଓଡିଶାରେ ଉଷ୍ମପ୍ରବାହ
-କାଲିଠାରୁ ଉପକୂଳ, ଆଭ୍ୟନ୍ତୀରଣ ଓ ଉତ୍ତର ଓଡିଶାରେ ଉଷ୍ମ ରାତ୍ରୀ ଅନୁଭୂତ ହେବ

ପ୍ରବଳ ଗ୍ରୀଷ୍ମ ପ୍ରବାହ ନେଇ ସତର୍କ କରିଛନ୍ତି ରାଜ୍ୟ ସରକାର । ଅଂଶୁଘାତ ଓ ଡାଇରିଆ ବ୍ୟାପିବାର ଆଶଙ୍କା ଥିବାରୁ ଏହାର ମୁକାବିଲା ପାଇଁ ପଦକ୍ଷେପ ନେବାକୁ ସ୍ୱାସ୍ଥ୍ୟ ବିଭାଗକୁ ନିର୍ଦେଶ ଦେଇଛନ୍ତି । ଖରା ଗରମକୁ ଦୃଷ୍ଟିରେ ରଖି ବଦଳିଛି ଅଙ୍ଗନବାଡ଼ି ସମୟ । ଏଣିକି ସକାଳ ୭ଟାରୁ ୧୧ଟା ୩୦ଯାଏ ଖୋଲାରହିବ କେନ୍ଦ୍ର । ଅଙ୍ଗନବାଡ଼ି କେନ୍ଦ୍ରରେ ଶୁଦ୍ଧ ପାନୀୟଜଳ ସହ ଯଥେଷ୍ଟ ପରିମାଣରେ ଓଆରଏସ ପ୍ୟାକେଟ ମହଜୁଦ ରଖିବାକୁ ଅଙ୍ଗନବାଡ଼ି କେନ୍ଦ୍ର ଗୁଡିକୁ ନିର୍ଦ୍ଦେଶ ଦିଆଯାଇଛି ।