ଅନ୍ଧାର ରାତିରେ କୋଇଲାର କଳା କାରବାର ! ପ୍ରଶାସନର ନାକ ତଳେ କୋଟି କୋଟି ଟଙ୍କାର ଲୁଟ୍, ପୋଖରୀ ଭିତରେ ପାଣି ବଦଳରେ କୋଇଲା ଭର୍ତ୍ତି

39

କନକ ବ୍ୟୁରୋ : ଖଣି ଦୁର୍ନୀତିକୁ ନେଇ ଓଡିଶାରେ ହଇଚଇ ସୃଷ୍ଟି ହେବା ପରେ ଏବେ ବି ଚାଲିଛି ଚୋରା ଖଣି କାରବାର । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ କୋଟି କୋଟି ଟଙ୍କାର କୋଇଲାକୁ ଖଣିରୁ ଉତୋଳନ କରି ବେଶ୍ ଆରାମରେ ବିକ୍ରି କରୁଛନ୍ତି ମାଫିଆ । ସୁନ୍ଦରଗଡ଼ର ରମ୍ପିଆ କୋଲ୍ ବ୍ଳକରେ ଏଭଳି ଚୋରି ସାମ୍ନାକୁ ଆସିଛି । ଏହି କୋଲ୍ ବ୍ଲକର ସ୍ଥିତି ଦେଖିଲେ ଆପଣ ସହଜରେ ଜାଣିପାରିବେ ଯେ, ବର୍ଷ ବର୍ଷ ଧରି ବେଧଡ଼କ ଭାବେ ଚାଲିଛି ଏହି ଖଣି ଖନନ ଓ ବେଆଇନ କୋଇଲା ଚାଲଣ । ସ୍ଥିତି ପରଖିବାକୁ ଗ୍ରାଉଣ୍ଡ ଜିରୋରେ ପହଞ୍ଚିଥିଲା କନକ ନ୍ୟୁଜ ଟିମ୍ । ଅନ୍ଧାର ରାତିରେ ଦେଖିବାକୁ ମିଳିଥିଲା କଳା କାରବାରର ଚିତ୍ର । ଦିନରେ ଖଣି ଖୋଳା, ଅନ୍ଧାର ରାତିରେ ଚୋରା ଚାଲଣ ।
ସୁନ୍ଦରଗଡ଼ ରଂପିଆ କୋଲ୍ ବ୍ଳକ୍ ଉପରେ ମାଫିଆଙ୍କ ଆଖି । ବେଧଡ଼କ ଚାଲିଛି ବେଆଇନ ଖଣି ଖୋଳା । ଛତିଶଗଡ଼ ସୀମାନ୍ତ ସୁନ୍ଦରଗଡ଼ର ହେମଗିରି ଅଂଚଳର ଧୋବାସୁରୁଆ ଜଙ୍ଗଲ । ଅନ୍ଧାର ରାତିରେ ସ୍ଥିତି ପରଖିବାକୁ କନକ ନ୍ୟୁଜ ଟିମ୍ ପହଁଚିଥିଲା ଏହି ଅଂଚଳରେ । ଜଙ୍ଗଲ ଭିତରେ ୫ କିଲୋମିଟର ଯିବା ପରେ ଚୋରା କୋଇଲା ଚାଲଣର ସ୍ପଷ୍ଟ ଚିତ୍ର ସାମନାକୁ ଆସିଥିଲା । ଏପରିକି ପୋଖରୀ ଭିତରେ ପାଣି ବଦଳରେ କୋଇଲା ଭରି ରହିଥିବା ଦେଖିବାକୁ ମିଳିଥିଲା । ବିଭିନ୍ନ ସ୍ଥାନରେ ଗଦା ଗଦା କୋଇଲା ଗଚ୍ଛିତ ରଖାଯାଇଥିଲା । ଏହି ଅଂଚଳରେ ଫୁଟେ ଦୁଇ ଫୁଟେ ତଳେ କୋଇଲା ଥିବାରୁ ମାଫିଆଙ୍କ ନିର୍ଦ୍ଦେଶରେ କୋଇଲା ଖୋଳନ୍ତି ଗ୍ରାମବାସୀ, ଅଧ ରାତିରେ ଡମ୍ପର ଓ ଟ୍ରାକ୍ଟର ଜରିଆରେ ପଡୋଶୀ ଛତିଶଗଡ଼ ଓ ଅନ୍ୟ ଜିଲ୍ଳାର ଇଟା ଭାଟି ଓ ଅନ୍ୟ ଶିଳ୍ପ ସଂସ୍ଥାକୁ ଚାଲଣ ହୋଇଥାଏ କୋଇଲା ।

ରାତି ଆରମ୍ଭ ହୋଇଗଲେ ଆରମ୍ଭ ହୋଇଯାଏ ମାଫିଆଙ୍କ ରାଜୁତି । ବାହାର ରାଜ୍ୟକୁ ଅନ୍ଧାର ରାତିରେ ଚାଲିଥାଏ କୋଟି କୋଟି ଟଙ୍କାର କୋଇଲା ଚୋରାଚାଲଣ । ଦିନରେ ବେଆଇନ୍ ଖଣି ଖୋଲା, ରାତିରେ ଚାଲିଛି ବେଆଇନ୍ ଚାଲଣ । ବର୍ଷବର୍ଷ ଧରି ଉନ୍ନତ ମାନର କୋଇଲାକୁ ଲୁଟିନେଉଛନ୍ତି ମାଫିଆ । ମାତ୍ର ସବୁ ଦେଖି ଆଖିବୁଜି ଦେଇଛି ଖଣି ବିଭାଗ ଓ ଜିଲ୍ଲା ପ୍ରଶାସନ । ୧୯୯୨ ମସିହାରେ ସୁନ୍ଦରଗଡ଼ ଅଂଚଳରେ ୯ଟି କୋଲ୍ ବ୍ଲକ ଚିହ୍ନଟ ହୋଇଥିଲା । ଦୁଇଟି ବ୍ଳକରୁ କୋଇଲା ଉତୋଳନ କରୁଛି ଏମସିଏଲ୍ । ଗୋଟିଏ ବ୍ଳକ ଏନଟିପିସି ଓ ଆଉ ଗୋଟିଏ ବ୍ଳକ ଦିଆଯାଇଛି ଓପିଟିସିଏଲକୁ । ତେବେ ଆବଂଟନ ହୋଇନଥିବା ଅନ୍ୟ ବ୍ଳକଗୁଡିକ ମଧ୍ୟରୁ ରଂପିଆ କୋଇଲା ବ୍ଳକ,୍ ମାଫିଆ କବଜାରେ । ଯେଉଁଠି ସବୁଠାରୁ ଭଲ ଗ୍ରେଡର କୋଇଲା ମିଳିଥାଏ ।

ନିର୍ଭୟରେ ମାଫିଆମାନେ ମୂଲ୍ୟବାନ କଳାହୀରାର କଳା କାରବାର କରୁଥିବା ବେଳେ ପ୍ରଶାସନଠାରୁ ଖଣିବିଭାଗ ସମସ୍ତେ ଚୁପ୍ । ଏପରିକି ଏହି ବିଷୟରେ ମୁହଁ ଖୋଲିବାକୁ ମଧ୍ୟ ନାରାଜ । କୋଇଲା ମାଫିଆଙ୍କ ସହ ବଡ ବଡ ଅଧିକାରୀଙ୍କ ମଧୁଚନ୍ଦ୍ରିକା ଫଳରେ ବେଆଇନ କୋଇଲା ଖୋଳା ହେଉଛି ବୋଲି ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି ।