ମୁହାଣ ମୁହାଁ ଇଲିସି । ପାରାଦୀପ ମୁହାଣରେ ଇଲିସି ମାରୁଛନ୍ତି ମତ୍ସ୍ୟଜୀବୀ, ଯୋଡାକୁ ୨ଶହରୁ ୪ଶହ ଟଙ୍କାରେ କିଣୁଛନ୍ତି ଗ୍ରାହକ ।

1,747

କନକ ବ୍ୟୁରୋ : ପାରାଦୀପ ବଜାରରେ ଗ୍ରାହକଙ୍କ ପ୍ରଥମ ପସନ୍ଦ ଇଲିସି ମାଛ । ଗତ ବର୍ଷ କିଲୋ ପ୍ରତି ୧୨୦୦ ରୁ ୨ ହଜାର ଟଙ୍କାରେ ବିକ୍ରି ହେଉଥିବା ଇଲିସି ମାଛ ଚଳିତ ବର୍ଷ କିଲୋ ପ୍ରତି ୬୦୦ ରୁ ୧୫୦୦ ଟଙ୍କାରେ ବିକ୍ରି ହେଉଛି । ଗତ ୨ବର୍ଷରେ ଇଲିସି ମାଛ ଅଧିକ ପରିମାଣରେ ଆମଦାନୀ ହୋଇଥିବାରୁ ମତ୍ସ୍ୟଜୀବିମାନେ ଭଲ ବ୍ୟବସାୟ କରିବା ସହ ଖାଉଟିମାନେ ଏହାର ସ୍ୱାଦ ଚାଖିଥିଲେ । ତେବେ ଚଳିତ ବର୍ଷ ମଧ୍ୟ ଭଲ ଆମଦାନୀ ହେବ ବୋଲି ଆଶା ରଖିଛନ୍ତି ମତ୍ସ୍ୟଜୀବୀ ଓ ବ୍ୟବସାୟୀ ।

ମୁହାଣ ମୁହାଁ ଇଲିସି । ଦୁଇ ଦିନ ହେବ ପାରାଦୀପ ମୂହାଣରେ ମତ୍ସ୍ୟଜୀବୀମାନେ କିଛି ପରିମାଣର ଇଲିସି ମାଛ ମାରିଛନ୍ତି । ପାରାଦୀପ ମତ୍ସ୍ୟ ବ୍ୟବସାୟ ପେଣ୍ଠସ୍ଥଳି ଅଠରବାଙ୍କୀ ବାଲିପ୍ଲଟରେ ଇଲିସି ବିକ୍ରି ହେଉଥିବାର ଦେଖିବାକୁ ମିଳିଛି । ଗତ ବର୍ଷ ଏହି ସମୟରେ ଇଲିସି ଦର ୧୨ ଶହରୁ ୨ ହଜାର ଥିବା ବେଳେ ଚଳିତ ବର୍ଷ କିଲୋ ପ୍ରତି ୬ ଶହରୁ ୧୫ ଶହ ଟଙ୍କା ରହିଛି । ଯୋଡାକୁ ୨ଶହରୁ ୪ ଶହ ଟଙ୍କାରେ କିଣି ନେଉଛନ୍ତି । କାଲିଠୁ ଶ୍ରାବଣ ମାସ ଶେଷ ହୋଇଥିବାରୁ ଏବେ ମାଛ ବେପାର ବେଶ ଭଲ ହେବ ବୋଲି ମତ୍ସ୍ୟ ବ୍ୟବସାୟୀ ଆଶା ରଖିଛନ୍ତି ।

ପାରାଦୀପରେ ଗଢି ଉଠିଥିବା ବିଭିନ୍ନ ଶିଳ୍ପ କାରଖାନାର ପ୍ରଦୂଷଣ ଯୋଗୁଁ ୬-୭ ବର୍ଷ ହେବ ଇଲିସି ଆମଦାନୀ କମ ଥିବାରୁ ମୂଲ୍ୟ ଅଧିକ ରହିଥିଲା । କିନ୍ତୁ ଚଳିତ ବର୍ଷର ବନ୍ୟା ଜଳ ପାରାଦୀପ ମୁହାଣରେ ପ୍ରବେଶ କରିବା ପରେ ଅଧିକ ପରିମାଣର ଇଲିସି ମାଛ ଆମଦାନୀ ହେବ ବୋଲି ଆଶା ରଖିଛନ୍ତି ମତ୍ସ୍ୟଜୀବି । ପାରାଦୀପ ଇଲିସି ମାଛର ବେଶ ଚାହିଦା ଥିବା ବେଳେ ଖାଉଟିମାନେ ଅପେକ୍ଷା କରିଛନ୍ତି କେବେ ଶସ୍ତା ହେବ ସୁଆଦିଆ ମାଛର ଦର ।