ମଶାଣିକୁ ପାର୍କ ବନାଇ ଚର୍ଚ୍ଚାରେ ଖୋର୍ଦ୍ଧାର ମଶାଣି ମଣିଷ ବିଶ୍ୱନାଥ । ଅନ୍ଧବିଶ୍ୱାସ ଦୁରେଇବା ପାଇଁ ନିଆରା ପ୍ରୟାସ, ଦୂର କଲେ ଲୋକଙ୍କ ମନର ଭୟ ।

773

କନକ ବ୍ୟୁରୋ : କୁହାଯାଏ ମଣିଷର ଶେଷ ସ୍ଥାନ ମଶାଣିରେ କିନ୍ତୁ ଏହି ଜାଗାକୁ ଯିବା ପାଇଁ ସମସ୍ତଙ୍କ ମନରେ ଥାଏ ଘୋର ଭୟ । ମଣିଷ ଯେତେ ଆଧୁନିକ ହେଲେ ମଧ୍ୟ ମୃତ୍ୟୁ ଏବଂ ମଶାଣିକୁ ଡ଼ରିଥାଏ । ଲୋକଙ୍କ ମନରୁ ଏସବୁ ଅନ୍ଧବିଶ୍ୱାସ ଦୁରେଇବା ପାଇଁ ମଶାଣିରେ ଲାଗିଛି ଫୁଲ ଗଛ ଓ ଔଷଧୀୟ ବୃକ୍ଷ । ଆଉ ସୃଷ୍ଟି ହୋଇଛି ନୂତନ ଉଦ୍ୟାନ । ଏଭଳି ଏକ ନିଆରା ପ୍ରୟାସ କରିଛନ୍ତି ଖୋର୍ଦ୍ଧା ଜିଲ୍ଳା ବେଗୁନିଆ ବ୍ଲକ ଡ଼ିଙ୍ଗର ଗାଁର ବିଶ୍ୱନାଥ ମାର୍ଥା ।

ଅନ୍ଧବିଶ୍ୱାସ ଦୁରାଇବା ପାଇଁ ନିଆରା ପ୍ରୟାସ । ମଶାଣିକୁ ପାର୍କ ବନାଇଲେ ବିଶ୍ୱନାଥ । ସବୁଜିମା ଘାସ ଗାଲିଚା ଓ ଫୁଲ ବଗିଚାରେ ହସୁଛି ମଶାଣି । ଫୁଲ, ଫଳ ଓ ଔଷଧୀୟ ବୃକ୍ଷରେ ଭରିଛି ଶ୍ମଶାନ । ପାର୍କର ଭ୍ରମ ସୃଷ୍ଟି କରୁଥିବା ଏହି ପରିବେଶ ପଛରେ ରହିଛି ଜଣେ ସମାଜସେବୀଙ୍କ ଅକ୍ଲାନ୍ତ ପରିଶ୍ରମ । ଯାହାଙ୍କୁ ସ୍ଥାନୀୟ ଲୋକ କୁହନ୍ତି ଶ୍ମସାନ ମଣିଷ । ଶ୍ମସାନର ଟାଙ୍ଗରା ଭୁଇଁକୁ ବୃକ୍ଷଲତାରେ ପରିପୂର୍ଣ୍ଣ କରିଛନ୍ତି ଖୋର୍ଦ୍ଧା ବେଗୁନିଆ ବ୍ଲକ ଡ଼ିଙ୍ଗର ଗାଁର ବିଶ୍ୱନାଥ ମାର୍ଥା । ମଶାଣିକୁ ନେଇ ଲୋକଙ୍କ ମନରେ ଥିବା ଭ୍ରାନ୍ତ ଧାରଣାକୁ ଦୂରେଇବା ହେଉଛି ବିଶ୍ୱନାଥଙ୍କ ମୁଖ୍ୟ ଉଦ୍ଦେଶ୍ୟ । ମଶାଣିକୁ ପବିତ୍ର ସ୍ଥାନ କହିବା ସହ ଏହା ପୂର୍ବଜଙ୍କ ଅନ୍ତେଷ୍ଟି ସ୍ଥାନ ବୋଲି କହିଛନ୍ତି ବିଶ୍ୱନାଥ ।

ମଶାଣି ପାଲଟିଲା ଉଦ୍ୟାନ । ଦୂର ହେଲା ଲୋକଙ୍କ ମନର ଭୟ । ଯେଉଁଠିକୁ ଯିବା ପାଇଁ ସାଧାରଣତଃ ଲୋକେ ଭୟ କରନ୍ତି, ମନରେ ଥାଏ ଛୁଆଁ ଅଛୁଆଁର ଭେଦଭାବ, ସେଇଠି ସୃଷ୍ଟି ହୋଇଛି ଏକ ନିଆରା ପରିବେଶ । ମଶାଣିରେ ଫୁଲ ଗଛ ଲଗାଇବାରୁ ପ୍ରଥମେ ପ୍ରଥମେ ଲୋକେ ତାଙ୍କୁ ପାଗଳ ବୋଲି କହିବା ସହ ବିରୋଧ କରୁଥିଲେ । କିନ୍ତୁ ଲୋକଙ୍କ ମନରୁ ଅନ୍ଧବିଶ୍ୱାସ ଦୁରେଇବା ପାଇଁ ନିରନ୍ତର ପ୍ରୟାସ ଜାରି ରଖିଥିଲେ ବିଶ୍ୱନାଥ । ଆଉ ତାଙ୍କ ପରିଶ୍ରମର ଫଳ ସୂରୁପ ଏହି ସ୍ଥାନ ଏବେ ଲୋକଙ୍କ ମନକୁ ଶାନ୍ତି ଦେବା ସହ କ୍ଲାନ୍ତି ଦୂର କରୁଛି ।