ଜାହାଙ୍ଗିରପୁରୀ ସାମ୍ପ୍ରଦାୟିକ ହିଂସାର ଖୋଲୁଛି ଗୁମର: ପୋଲିସ ହାତରେ ଲାଗିଲା ଦଙ୍ଗା ପୂର୍ବ ରାତିର ସିସିଟିଭି ଫୁଟେଜ୍

177

କନକ ବ୍ୟୁରୋ: ଦିଲ୍ଲୀ ଜାହାଙ୍ଗିରପୁରୀ ସାମ୍ପ୍ରଦାୟିକ ହିଂସାକାଣ୍ଡର ଖୋଲୁଛି ଗୁମୁର । ପୋଲିସର ତଦନ୍ତ ଯେତେ ଆଗଉଛି, ସେତିକି ନୂଆ ନୂଆ ତଥ୍ୟ ପୋଲିସ ହାତରେ ଲାଗୁଛି । ଏହାରି ଭିତରେ ହିଂସାକାଣ୍ଡ ପୂର୍ବଦିନ ରାତି ଅଧିଆ ସିସିଟିଭି ଫୁଟେଜ ପୋଲିସର ହସ୍ତଗତ ହୋଇଛି । ଯେଉଁଠିରେ କିଛି ବ୍ୟକ୍ତି ଠେଙ୍ଗା, ବାଡି ସଂଗ୍ରହ କରୁଥିବା ଦେଖିବାକୁ ମିଳିଛି । ଏହି ଭିଡିଓକୁ ଦେଖି ଲାଗୁଛି ଯେ, ହନୁମାନଜୟନ୍ତୀ ହିଂସାକାଣ୍ଡ ଏକ ପୂର୍ବ ପ୍ରୟୋଜିତ ହିଂସାକାଣ୍ଡ ।

ଦିଲ୍ଲୀ ଜାହାଙ୍ଗିରପୁରୀ ହନୁମାନ ଜୟନ୍ତୀ ଶୋଭାଯାତ୍ରାରେ ହୋଇଥିବା ଦଙ୍ଗାରେ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ପୋଲିସ ହାତରେ ଲାଗିଛି ଦଙ୍ଗା ଦିନର ସିସିଟିଭି ଫୁଟେଜ୍ । ଏହାକୁ ନେଇ ଅଧିକ ତଥ୍ୟ ସଂଗ୍ରହ କରିବାରେ ଲାଗିପଡିଛି କ୍ରାଇମ୍ବ୍ରାଂଚ । ମିଳିଥିବା ସୂଚନା ଅନୁସାରେ ପୋଲିସ ପାଖରେ ଥିବା ସିିସିଟିଭି ଫୁଟେଜ୍ଟି ୧୫ ଅପ୍ର୍ରେଲ ରାତି ପାଖାପାଖି ୨ ଟା ସମୟର । ଯେଉଁଥିରେ କିଛି ଲୋକ ଲାଠି ଏକାଠି କରୁଥିବାର ସ୍ପଷ୍ଟ ଜଣାପଡ଼ୁଛି । ଏହି ସିସିଟିଭି ଫୁଟେଜ୍ ଦେଖିବା ପରେ ହନୁମାନ ଜୟନ୍ତୀରେ ହୋଇଥିବା ଦଙ୍ଗା ଏକ ପୂର୍ବ ପ୍ରାୟୋଜିତ ହିଂସାକାଣ୍ଡ ବୋଲି ଅନୁମାନ କରୁଛି ପୋଲିସ ।

ପୁଲିସ ସ୍ଥାନୀୟ ବାସିନ୍ଦାଙ୍କ ବୟାନ ରେକର୍ଡ ସଂଗ୍ରହ କରୁଛି । ଯାହା ଫଳରେ କୋର୍ଟରେ କେସର ପ୍ରମାଣ ସବୁକୁ ଦୃଢ଼ ଭାବେ ଉପସ୍ଥାପନ କରିହେବ । ଏହାସହ ଦଙ୍ଗା ସମୟର ଭିଡ଼ିଓକୁ ମଧ୍ୟ ପୁଲିସ ଚାଂଜ କରୁଛି । ସେପଟେ ପୁଲିସ ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ଅନସାର ସମେତ ୨୧ ଜଣଙ୍କୁ ଗିରଫ କରି ତଦନ୍ତ ଜାରି ରଖିଛି । ଏହା ସହ ୨ ନାବାଳକଙ୍କୁ ମଧ୍ୟ ପୋଲିସ ଏ ଘଟଣାରେ ଗିରଫ କରିଛି । ଅଂସାର ଓ ତାଙ୍କ ସାଥିମାନେ ଶୋଭାଯାତ୍ରା ସମୟରେ ବିବାଦ ଆରମ୍ଭ କରିଥିଲେ । ଅନ୍ୟପଟେ ଜାହାଙ୍ଗିରପୁରୀ ହିଂସାକାଣ୍ଡକୁ ନେଇ ସାରା ଦେଶରେ ରାଜନୀତି ଜୋର ଧରିଛି । ଦେଶରେ ସାମ୍ପ୍ରଦାୟିକ ହିଂସାକୁ ପ୍ରୋତ୍ସାହନ ଦିଆଯାଉଥିବା ବିରୋଧୀ ଅଭିଯୋଗ କରୁଛନ୍ତି ।

ସିସିଟିଭି ଫୁଟେଜରେ ଠେଙ୍ଗା, ବାଡି ଏକାଠି କରୁଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରିବାକୁ ପୋଲିସ ଚେଷ୍ଟା ଜାରି ରଖିଛି । ଖୁବ ଶୀଘ୍ର ଏନେଇ ବଳିଷ୍ଠ ପ୍ରମାଣ ମିଳିବ ବୋଲି ସୂଚନା ଦେଇଛି ପୋଲିସ ।