ବିବାଦରେ ବଲିଉଡର ହ୍ୟାଣ୍ଡସମ୍ ହଙ୍କ୍ । ‘ମହାକାଳଙ୍କ ଥାଳି’ ବିଜ୍ଞାପନକୁ ନେଇ ବିବାଦରେ ରିତିକ୍ ରୋସନ୍ ।

218

କନକ ବ୍ୟୁରୋ: ପୁଣି ବିବାଦରେ ବଲିଉଡ୍ ହଙ୍କ୍ ରିତିକ ରୋସନ୍ । ଏକ ଖାଦ୍ୟ ଡେଲିଭରୀ ବିଜ୍ଞାପନ କରି ଅଡୁଆରେ ରିତିକ୍ । ଅନ୍‌ଲାଇନ୍‌ ଫୁଡ୍‌ ଡେଲିଭରୀ କମ୍ପାନୀ ଜୋମାଟୋର ବିଜ୍ଞାପନକୁ ନେଇ ବିବାଦ ଦେଖାଦେଇଛି। ବିଜ୍ଞାପନରେ ରିତିକ୍ ଅଭିନୟ କରିବା ସହ ଉଜ୍ଜୟିନୀର ପ୍ରସିଦ୍ଧ ମହାକାଳେଶ୍ୱର ମନ୍ଦିରକୁ ଦର୍ଶାଉଥିବା ଦେଖିବାକୁ ମିଳିଛି। ଯାହାକୁ ନେଇ ମହାକାଳ ମନ୍ଦିରର ପୂଜାରୀମାନେ ତୀବ୍ର ବିରୋଧ କରିଛନ୍ତି। ରିତିକ ଧାର୍ମିକ ଭାବନାକୁ ଆଘାତ ପହଞ୍ଚାଇଥିବା ଅଭିଯୋଗ ହୋଇଛି।

ବିଜ୍ଞାପନରେ ଏହି ଭିଡିଓରେ ରିତିକ୍ ଅଭିନୟ କରି କହୁଛନ୍ତି, ‘ମୋତେ ଭୋକ ଲାଗୁଥିଲା, ତେଣୁ ମୁଁ ମହାକାଳରୁ ଏକ ଥାଳି ମାଗିଲି।’ ଉଜ୍ଜୟନୀ ମହାକଲେଶ୍ୱର ମନ୍ଦିର ନାଁରେ ରିତିକ୍ ରୋସନଙ୍କ ବିଜ୍ଞାପନର ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଯେଉଁ କାରଣରୁ ବିବାଦ ଦେଖାଦେଇଛି ।

ବିଜ୍ଞାପନକୁ ନେଇ ମହାକାଳେଶ୍ୱର ମନ୍ଦିରର ପୂଜାରୀମାନେ ଆପତ୍ତି ଉଠାଇବା ସହ କହିଛନ୍ତି, ‘ଜୋମାଟୋ କମ୍ପାନୀ ତା’ର ବିଜ୍ଞାପନରେ ମହାକଲ ମନ୍ଦିରର ନାଁ ବ୍ୟବହାର କରି ବିଭ୍ରାନ୍ତିକର ପ୍ରଚାର କରିଛି। କମ୍ପାନୀ ଏପରି ବିଜ୍ଞାପନ ଦେବା ପୂର୍ବରୁ ଚିନ୍ତା କରିବା ଉଚିତ୍। ହିନ୍ଦୁ ସମାଜ ସହିଷ୍ଣୁ, ତେଣୁ ହିଂସାତ୍ମକ ହେଉ ନାହିଁ। ଯଦି ଅନ୍ୟ କୌଣସି ସମ୍ପ୍ରଦାୟ ହୋଇଥାନ୍ତା, ତେବେ ଏପରି କମ୍ପାନୀରେ ନିଆଁ ଲଗାଇ ଦେଇଥାନ୍ତେ। ଜୋମାଟୋ କମ୍ପାନୀ ଆମର ଧାର୍ମିକ ଭାବନା ସହିତ ଖେଳିବା ଉଚିତ୍ ନୁହେଁ।’

ମହାକାଳ ମନ୍ଦିରରେ ଏଭଳି କୌଣସି ଥାଳି ଉଜ୍ଜୟିନୀ ସମେତ ସମଗ୍ର ଦେଶରେ ଡେଲିଭରୀ କରାଯାଏ ନାହିଁ ବୋଲି ପୂଜାରୀମାନେ ଅଭିଯୋଗ କରିଛନ୍ତି। କେବଳ ଶ୍ରଦ୍ଧାଳୁଙ୍କୁ ମନ୍ଦିର ସମ୍ମୁଖରେ ଥିବା ଏକ ସ୍ଥାନରେ ମାଗଣାରେ ଭୋଜନ ଦିଆଯାଏ। ରିତିକ ରୋସନଙ୍କ ଏହି ବିଜ୍ଞାପନ ଦ୍ୱାରା ଭକ୍ତମାନଙ୍କ ମନରେ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି। ତେଣୁ ଅଭିନେତା ଏବଂ କମ୍ପାନୀ କ୍ଷମା ମାଗିବା ଉଚିତ ବୋଲି ପୂଜାରୀମାନେ ଦାବି କରିଛନ୍ତି।

କମ୍ପାନୀ ଦେଶର ଗ୍ରାହକଙ୍କୁ ଆମିଷ ଓ ନିରାମିଷ ଖାଦ୍ୟ ଅନ୍‌ଲାଇନ୍‌ ଡେଲିଭରୀ କରୁଛି। ତେଣୁ ତୁରନ୍ତି କମ୍ପାନୀ ଏଭଳି ବିଭ୍ରାନ୍ତିକର ବିଜ୍ଞାପନକୁ ବନ୍ଦ କରିଦେବା ଉଚିତ ବୋଲି ପୂଜାରୀ ସଂଘ ଦାବି କରିଛନ୍ତି ।