ମନୀଷ ସିସୋଦିଆଙ୍କ ଉପରେ ଦାଖଲ ହେବ ମନି ଲଣ୍ଡ୍ରିଂ ମାମଲା, ଇଡିକୁ କିଛି ଦସ୍ତାବିଜ ଦେଲା ସିବିଆଇ

106

କନକ ବ୍ୟୁରୋ : ଦିଲ୍ଲୀ ଅବକାରୀ ମାମଲାରେ ଏବେ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ପାଇଁ ଅଡୁଆ ବଢିବାରେ ଲାଗିଛି । ଗୋଟିଏ ପଟେ ତାଙ୍କ ଉପରେ ଲୁକ୍ ଆଉଟ୍ ନୋଟିସ ଜାରି କରାଯାଇଥିବା ବେଳେ ଏବେ ମନି ଲଣ୍ଡ୍ରିଂ ଅଧାରାରେ ତାଙ୍କ ଉପରେ ମାମଲା ଚାଲିବ । ଏନେଇ ସିବିଆଇ ପକ୍ଷରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ କିଛି ଦସ୍ତାବିଜ ପ୍ରଦାନ କରାଯାଇଛି ।

ସବିଆଇ ତରଫରୁ ଏହି ମାମଲା ସହିତ ଜଡିତ କିଛି ଦସ୍ତାବିଜ୍ ଇଡିକୁ ଦିଆଯିବା ପରେ ଏହା ସ୍ପଷ୍ଟ ହୋଇଛି କି ସିସୋଦିଆଙ୍କ ଉପରେ ଏବେ ମନି ଲଣ୍ଡ୍ରିଂ ଧାରାରେ ମାମଲା ରୁଜୁ ହେବାକୁ ଯାଉଛି । ଏହା ପୂର୍ବରୁ ସିିବିଆଇ ତରଫରୁ ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ସମେତ ୧୪ ଜଣ ଲୋକଙ୍କ ବିରୋଧରେ ଲୁକ୍ ଆଉଟ୍ ନୋଟିସ ଜାରି କରିଥିଲା ।

ଏଭଳି କାର୍ଯ୍ୟାନୁଷ୍ଠାନକୁ ନେଇ ସିସୋଦିଆ କହିଛନ୍ତି କି, ଏହା ଏକ ନାଟକ ‘ମୁଁ ଦିଲ୍ଲୀରେ ଖୋଲାଖୋଲି ବୁଲୁଛି, କୁହନ୍ତୁ ମୋତେ କେଉଁଠିକୁ ଆସିବାକୁ ହେବ’ କେବଳ ସେତିକି ନୁହେଁ ଏହା ପୂର୍ବରୁ ସିସୋଦିଆ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯେତେବେଳେ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲେ ସେତେବେଳେ ସେ ସିବିଆଇ ଉପରେ ଦେଇଥିବା ବୟାନକୁ ସେୟାର କରିଥିଲେ । ଏଥିରେ ପ୍ରଧାନମନ୍ତ୍ରୀ ସିବିଆଇର କାର୍ଯ୍ୟାନୁଷ୍ଟାନ ବିରୋଧରେ ପ୍ରଶ୍ନ ଉଠାଉଥିବା ଦେଖିବାକୁ ମିଳିଛି ।

ସିସୋଦିଆ ଦିଲ୍ଲୀର ଅବକାରୀ ନୀତି ଉପରେ କହିଛନ୍ତି କି ଏଥିରେ କିଛି ଦୁର୍ନୀତି ହୋଇ ନାହିଁ । ଏହି ମାମଲାରେ ସିବିଆଇ ଯାଂଚର ଆବଶ୍ୟକତା ନଥିବା କଥା ସେ କହିଛନ୍ତି । ସରକାର ଯଦି ଦୁର୍ନୀତି କଥା କହୁଛନ୍ତି ତେବେ ଗୁଜରାଟରେ ବେଆଇନ ଭାବେ ଚାଲିଥିବା ମଦ କାରବାର ଉପରେ ସରକାର ଯାଂଚ କରନ୍ତୁ ବୋଲି ସେ କହିଛନ୍ତି ।