କେମିତି ଧାନ ବିକିବେ ଚାଷୀ ! ଧାନ କିଣିବାକୁ ସରକାର ନାହାନ୍ତି ପ୍ରସ୍ତୁତ

25

କନକ ବ୍ୟୁରୋ : ନଭେମ୍ବର ମାସରୁ ଚାଷୀଙ୍କଠାରୁ ଆଗୁଆ ଧାନ କିଣିବେ ସରକାର । ଯୋଗାଣ ବିଭାଗ ତତ୍ପରତା ପ୍ରକାଶ କରିଥିବା ବେଳେ ସାମନାକୁ ଆସିଛି ଜିଲ୍ଲା ପ୍ରଶାସନର ଅଧା ପ୍ରସ୍ତୁତି ନେଇ ଚାଂଚଲ୍ୟକର ତଥ୍ୟ । ଜିଲ୍ଲାପାଳଙ୍କୁ ଯୋଗାଣ ସଚିବ ଦେଇଥିବା ଚିଠି ଦର୍ଶାଉଛି ପଂଜିକୃତ ହୋଇଥିବା ଚାଷୀ ଓ ଚିହ୍ନଟ ହୋଇଥିବା ଚାଷୀଙ୍କ ଭିତରେ ରହିଛି ବଡ଼ ଅନ୍ତର । ୨ ଲକ୍ଷରୁ ଅଧିକ ଚାଷୀଙ୍କୁ ଏପର୍ଯ୍ୟନ୍ତ ଚିହ୍ନଟ କରାଯାଇନାହିଁ । ଏହି ଅବ୍ୟବସ୍ଥା ପରେ କିପରି ଏହି ଚାଷୀମାନେ ଧାନ ବିକିବେ, ଏହାକୁ ନେଇ ଉଠିଛି ପ୍ରଶ୍ନ ।

ଚାଷୀଙ୍କ ଠାରୁ ଧାନ କିଣିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିବା ବେଳେ ଏଭଳି କିଛି ତଥ୍ୟ ପଦାକୁ ଆସିଛି ଯାହା ସରକାରଙ୍କ ଅଧା ପ୍ରସ୍ତୁତିକୁ ଦର୍ଶାଉଛି । ଏ ହେଉଛି ଧାନ ସଂଗ୍ରହ ନେଇ ସବୁ ଜିଲ୍ଲାପାଳଙ୍କୁ କମିସନର ତଥା ଯୋଗାଣ ସଚିବ ଭି ଭି ଯାଦବଙ୍କୁ ଚିଠି । ଗତ ୨୮ ତାରିଖରେ ଲେଖା ଯାଇଥିବା ଏହି ଚିଠି ସ୍ପଷ୍ଟ କରୁଛି ପଂଜିକୃତ ହୋଇଥିବା ଚାଷୀ ଓ ଚିହ୍ନଟ ହୋଇଥିବା ଚାଷୀଙ୍କ ଭିତରେ ରହିଛି ବଡ଼ ଅନ୍ତର । ୨ ଲକ୍ଷରୁ ଅଧିକ ଚାଷୀଙ୍କୁ ଚିହ୍ନଟ କରାଯାଇନାହିଁ । ଚାଷୀଙ୍କ ୯୬ ହଜାର ୭୧୪ ଲ୍ୟାଣ୍ଡ ରେକର୍ଡ ମଧ୍ୟ ଯାଂଚ ହୋଇନାହିଁ ।

ଆରଆଇ ଅଫିସରେ ଥିବା ରେକର୍ଡ ଅନୁଯାୟୀ ଏଗୁଡିକ ଯାଂଚ କରାଯିବା ପାଇଁ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେବାକୁ କହିଛି ଯୋଗାଣ ବିଭାଗ । ସେହିପରି ୨ ଲକ୍ଷରୁ ଅଧିକ ଚାଷୀଙ୍କ ବ୍ୟାଙ୍କ ଆକାଉଂଟ ଯାଂଚ ହୋଇନାହିଁ । ୭ ଦିନ ମଧ୍ୟରେ ଯାଂଚ ପ୍ରକ୍ରିିୟା ଶେଷ କରିବାକୁ ନିର୍ଦ୍ଦେଶ ଦେଇଛି ଯୋଗାଣ ବିଭାଗ ।

ଯୋଗାଣ ବିଭାଗ ଦେଇଥିବା ଚିଠି ଅନୁସାରେ ଗତ ୨୮ ତାରିଖ ସୁଦ୍ଧା ୯ ଲକ୍ଷ ୨୧ ହଜାର ୯୧୪ ଚାଷୀ ପଂଜିକୃତ ହୋଇଛନ୍ତି । ହେଲେ ସେମାନଙ୍କ ମଧ୍ୟରୁ ୨ ଲକ୍ଷ ୧୪ ହଜାର ୩୦୦ ଚାଷୀଙ୍କୁ ଚିହ୍ନଟ କରାଯାଇନାହିଁ । ୨ ଲକ୍ଷ ୧୨ ହଜାର ୮୬୭ ବ୍ୟାଙ୍କ ଆକାଉଂଟ ଯାଂଚ ହୋଇନାହିଁ । ଗୋଟିଏ ପଟେ ମରୁଡି ଓ ଚକଡ଼ା ପୋକ, ଚାଷୀଙ୍କ ଅଂଟା ଭାଙ୍ଗି ଦେଇଥିବା ବେଳେ ଅନ୍ୟପଟେ ସରକାରୀ ଧାନ ସଂଗ୍ରହରେ ଏଭଳି ଅସୁବିଧା ପୁଣି ଏକ ଚିନ୍ତାର କାରଣ ପାଲଟିଛି ।