ଭାରତ-ପାକିସ୍ତାନ ମ୍ୟାଚର କ୍ରେଜ । ଅହମ୍ମଦାବାଦରେ ଲକ୍ଷାଧିକ ଟଙ୍କାରେ ବୁକ୍ ହେଉଛି ହୋଟେଲ, ବିମାନ ଯାତ୍ରା ଦର ୨ରୁ ୩ ଗୁଣ ବଢିଲା । 

268

କନକ ବ୍ୟୁରୋ : ଭାରତରେ ହେବାକୁ ଥିବା କ୍ରିକେଟ ବିଶ୍ୱକପ ପାଇଁ କ୍ରିକେଟପ୍ରେମୀଙ୍କ ମଧ୍ୟରେ ଜବରଦସ୍ତ କ୍ରେଜ ଦେଖିବାକୁ ମିଳିଲାଣି । ବିଶ୍ୱକପ ପାଇଁ କାଉଣ୍ଟଡାଉନ ଆରମ୍ଭ ହୋଇଥିବା ବେଳେ ନୂଆ କାର୍ଯ୍ୟସୂଚୀ ମଧ୍ୟ ଆଇସିସି ପକ୍ଷରୁ ଜାରି କରାଯାଇଛି । ଆସନ୍ତା ଅକ୍ଟୋବର ୫ ତାରିଖରେ ବିଶ୍ୱକପ୍ ମହାକୁମ୍ଭ ଆରମ୍ଭ ହେବାକୁ ଥିବା ବେଳେ ୧୯ ନଭେମ୍ବରରେ ଫାଇନାଲ ମୁକାବିଲା ଖେଳାଯିବ । ତେବେ ଏହି ବିଶ୍ୱକପରେ ଭାରତ-ପାକିସ୍ତାନ ମ୍ୟାଚ୍ ଉପରେ ସମସ୍ତଙ୍କର ନଜର ରହିଛି । ନୂଆ କାର୍ଯ୍ୟସୂଚୀ ଅନୁସାରେ ଭାରତ-ପାକିସ୍ତାନ ମ୍ୟାଚ୍ ଅକ୍ଟୋବର ୧୫ ପରିବର୍ତ୍ତେ  ଅକ୍ଟୋବର ୧୪ରେ ଖେଳାଯିବ । ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଏହି ହାଇଭୋଲଟେଜ ମୁକାବିଲା ଖେଳାଯିବ । ଯେଉଁଥିପାଇଁ ଏବେଠାରୁ ପ୍ରସ୍ତୁତିକୁ  ଜୋରଦାର କରାଗଲାଣି । ତେବେ ଭାରତ-ପାକିସ୍ତାନ ମ୍ୟାଚକୁ ନେଇ କ୍ରିକେଟପ୍ରେମୀଙ୍କ ମଧ୍ୟରେ ଏତେ କ୍ରେଜ ଯେ, ଅହମ୍ମଦାବାଦର ସବୁ ହୋଟେଲ ପ୍ରାୟତଃ ବୁକ୍ ହୋଇ ସାରିଲାଣି । କେବଳ ଏତିକି ନୁହେଁ ମ୍ୟାଚ୍ ଦିନ ପାଇଁ ହୋଟେଲ ଦର ମଧ୍ୟ ଆକାଶଛୁଆଁ ହେଲାଣି । ଷ୍ଟାର ହୋଟେଲରେ ରହଣି ପାଇଁ ହୋଟେଲ ଦର ୨୦ ହଜାରରୁ ଆରମ୍ଭ ହୋଇ ଦେଢ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପହଞ୍ଚିଲାଣି । ଟିକେଟ ବିକ୍ରି ପୂର୍ବରୁ ଏଭଳି ମାହୋଲ ଦେଖିବାକୁ ମିଳିଲାଣି ।

ଭାରତ-ପାକିସ୍ତାନ ମ୍ୟାଚ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ । ଏହି ଷ୍ଟାଡିୟମରେ ଏକକାଳୀନ ଲକ୍ଷାଧିକ ଲୋକ ବସି ମ୍ୟାଚ୍ ଉପଭୋଗ କରିପାରିବେ । ତେଣୁ ସ୍ଥାନୀୟ କ୍ରିକେଟପ୍ରେମୀଙ୍କ ବ୍ୟତୀତ ଅନ୍ୟ ସ୍ଥାନରୁ ମଧ୍ୟ ୪୦ରୁ ୫୦ ହଜାର ଦର୍ଶକ ଷ୍ଟାଡିୟମକୁ ଆସିପାରନ୍ତି ବୋଲି ଆକଳନ କରାଯାଉଛି । ଯେଉଁଥିପାଇଁ ଏବେଠାରୁ ହୋଟଲ ଗୁଡିକରେ ରହଣି ପାଇଁ ବୁକିଂ ଆରମ୍ଭ ହୋଇଛି । କାରଣ ଥରେ ଟିକେଟ ବିକ୍ରି ହେବା ମାତ୍ରେ ହୋଟେଲ ମିଳିବା ଅସମ୍ଭବ ହୋଇପଡିବ । ଏପରିକି ହୋଟେଲ ଆସୋସିଏସନ ପକ୍ଷରୁ ମିଳିଥିବା ସୂଚନା ମୁତାବକ, ଥରେ ଟିକେଟ ବୁକ୍ ହୋଇ କନର୍ଫମ ହେବା ମାତ୍ରେ ଅହମ୍ମଦାବାଦର ୧୦୦ କିଲୋମିଟର ମଧ୍ୟରେ ଟିକେଟ ମିଳିବା କଷ୍ଟକର ହୋଇପଡିବ ।

କେବଳ ହୋଟେଲ ଦର ବୃଦ୍ଧି ହୋଇନାହିଁ ବରଂ ୧୩ରୁ ୧୫ ଅକ୍ଟୋବର ମଧ୍ୟରେ ଅହମ୍ମଦାବାଦକୁ ଯାଉଥିବା ବିମାନ ଦର ମଧ୍ୟ ଯଥେଷ୍ଟ ବୃଦ୍ଧି ପାଇଛି । ମୁମ୍ବାଇ ଓ ଦିଲ୍ଲୀରୁ ଅହମ୍ମଦାବାଦକୁ ଯାଉଥିବା ବିମାନର ଦର ୨ରୁ ୩ ଗୁଣା ଅଧିକ ବଢିଲାଣି ।  ଆଗକୁ ଟିକେଟ ବିକ୍ରି ଆରମ୍ଭ ହେବା ମାତ୍ରେ ଏହି ଦରରେ ଆହୁରି ବୃଦ୍ଧି ହୋଇପାରେ । ପୂର୍ବରୁ ଏହି ରୁଟରେ ଯାତ୍ରା କରିବାକୁ ଯାତ୍ରୀଙ୍କୁ ୩ ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡୁଥିଲା । କିନ୍ତୁ ଏବେଠାରୁ ଉକ୍ତ ତାରିଖ ପାଇଁ ବିମାନ ଟିକେଟ ଦର ୨ରୁ ୩ ଗୁଣା ଅଧିକ ବଢିଛି ।

ଅଗଷ୍ଟ ୧୫ରୁ ବିଶ୍ୱକପ ମ୍ୟାଚ୍ ଟିକେଟ ପାଇଁ ରେଜିଷ୍ଟ୍ରେସନ ଆରମ୍ଭ ହୋଇଛି । କ୍ରିକେଟପ୍ରେମୀ ପ୍ରଥମେ ରେଜିଷ୍ଟ୍ରେସନ କରିବା ପରେ ହିଁ ୱେବସାଇଟକୁ ଯାଇ ଟିକେଟ ବୁକ୍ କରିପାରିବେ । ଅଗଷ୍ଟ ୨୫ରୁ ବିଭିନ୍ନ ପର୍ଯ୍ୟାୟରେ ଟିକେଟ ବିକ୍ରି ଆରମ୍ଭ ହେବ । କିନ୍ତୁ ୩୦ ଅଗଷ୍ଟରୁ ୩ ସେପ୍ଟେମ୍ବର ପର୍ଯ୍ୟନ୍ତ ଟିମ୍ ଇଣ୍ଡିଆର ମ୍ୟାଚ୍ ପାଇଁ ଟିକେଟ ଉପଲବ୍ଧ ହେବ । ସେହିଭଳି ସେମିଫାଇନାଲ ଓ ଫାଇନାଲ ମୁକାବିଲା ପାଇଁ ୧୫ ସେପ୍ଟେମ୍ବରରେ ଟିକେଟ ଉପଲବ୍ଧ କରାଯିବ । କ୍ରିକେଟପ୍ରେମୀ ଟିକେଟ ବୁକ୍ କରିବା ପରେ କାଉଣ୍ଟରୁ ହାର୍ଡ କପି ନେବା ପରେ ହିଁ ଷ୍ଟାଡିୟମ ମଧ୍ୟରେ ପ୍ରବେଶ ଅନୁମତି ମିଳିବ ।