ଦେଶରେ ବଢୁଛି କରୋନା : ୩୫ ହଜାର ଟପିଲାଣି ସକ୍ରିୟ ସଂକ୍ରମଣ ମାମଲା; ଆଜି ଦ୍ୱିତୀୟ ଦିନରେ କୋଭିଡ୍ ହସ୍ପିଟାଲରେ ଚାଲିବ ମକଡ୍ରିଲ

157

କନକ ବ୍ୟୁରୋ : ପୁଣି ଡରାଇଲାଣି କରୋନା । ଦେଶରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଥିବାରୁ ହସପିଟାଲରେ ଆରମ୍ଭ ହୋଇଛି ଦୁଇଦିନିଆ ମକଡ୍ରିଲ୍ । ଆଜି ମଧ୍ୟ କୋଭିଡ୍ ହସ୍ପିଟାଲରେ ମକଡିଲ କରାଯିବ । କରୋନା ମୁକାବିଲା ଓ ପରିଚାଳନା ନେଇ ହସ୍ପିଟାଲ କେତେ ପ୍ରସ୍ତୁତ ଅଛି, ତା’ ଉପରେ ଜୋର ଦିଆଯାଇଛି ।

କୋଭିଡ ବେଡ୍ ଠାରୁ ଆରମ୍ଭ କରି, ଔଷଧ, ଅକ୍ସିଜେନ୍ କେତେ ମହଜୁଦ ରହିଛି, ସେ ନେଇ ସମୀକ୍ଷା କରାଯାଉଛି । କୋଭିଡ ୱାର୍ଡ ଦାୟିତ୍ୱରେ ଥିବା ନର୍ସ ଓ ଡାକ୍ତର କେତେ ପ୍ରସ୍ତୁତ ଅଛନ୍ତି ତା’ ଉପରେ ନଜର ରଖାଯାଇଛି । ସେହିପରି ଟେଷ୍ଟିଂ କିପରି ଚାଲିଛି, କିଟ୍ ଉପଲବ୍ଧ ଅଛି କି ନାହିଁ, ନିରୀକ୍ଷଣ କରାଯାଉଛି । କୋଭିଡ଼ ପରିଚାଳନା ଓ ଭବିଷ୍ୟତ ଯୋଜନା ଉପରେ ବିଶେଷ ଧ୍ୟାନ ଦେଇ କ୍ଷେତ୍ର ପ୍ରସ୍ତୁତ ହେବ ।

ଗତ କିଛି ଦିନ ଧରି ଦେଶରେ ଦୈନିକ ସଂକ୍ରମଣ ୫ ହଜାର ଉପରେ ଚିହ୍ନଟ ହେଉଛି । ଯାହାକୁ ଦେଖି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ସତର୍କବାଣୀ ଜାରି କରିଛି । ଭାରତରେ ବଢୁଥିବା ସଂକ୍ରମଣକୁ ନେଇ ଯଦି ଉଚିତ୍ ପଦକ୍ଷେପ ନ ନିଆ ଯାଏ ତାହାଲେ ଚତୁର୍ଥ ଲହର ଆସିବାର ସମ୍ଭାବନା ରହିଛି । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ଦକ୍ଷିଣ ପୂର୍ବ ଏସିଆ ଆଂଚଳିକ ନିର୍ଦ୍ଦେଶିକା ଡାକ୍ତର ପୁନମ କ୍ଷେତ୍ରପାଲ ସିଂହ କହିଛନ୍ତି, ଭାରତରେ ଲୋକଙ୍କ ଠାରେ ରୋଗ ପ୍ରତିରୋଧକ ଶକ୍ତି କମିବାରେ ଲାଗିଛି । ତେଣୁ କରୋନାର ଚତୁର୍ଥ ଲହର ଆସିବାର ସମ୍ଭାବନା ଅଧିକ ରହିଛି ।