ବିଦେଶରୁ ଚାନ୍ଦା ନେବା ମାମଲା, ଅକ୍ସଫାମ ବିରୋଧରେ ସିବିଆଇ ଯାଂଚ ପାଇଁ କେନ୍ଦ୍ର ଗୃହମନ୍ତ୍ରଣାଳୟର ସୁପାରିଶ

101

କନକ ବ୍ୟୁରୋ : କେନ୍ଦ୍ର ଗୃହମନ୍ତ୍ରଣାଳୟ ଅକ୍ସଫାମ ବିରୋଧରେ ସିବିଆଇ ଯାଂଚ କରିବାକୁ ସୁପାରିଶ କରିଛି । ବିଦେଶରୁ ଚାନ୍ଦା ନେବା ମାମଲାରେ ନିୟମ ଉଲଙ୍ଘନ କରିଥିବା ଅଭିଯୋଗ ଆଣି ଏହା ଉପରେ ସିବିଆଇ ଯାଂଚ ହେଉ ବୋଲି ମନ୍ତ୍ରଣାଳୟ ସୁପାରିଶ କରିଛି । ଗୃହମନ୍ତ୍ରଣାଳୟ ତାର ସୁପାରିଶରେ କହିଛି କି, ଅକ୍ସଫାମ ଇଣ୍ଡିଆ ତରଫରୁ ବିଦେଶୀ ଅଂଶଧନ ସଂଶୋଧନ ଅଧିନିୟମ ୨୦୨୦ ଲାଗୁ ହେବା ପରେ ବି ବିଦେଶ ଚାନ୍ଦାକୁ ଭିନ୍ନ ଭିନ୍ନ ସଂସ୍ଥାମାନଙ୍କୁ ଟ୍ରାନ୍ସଫର କରିବା ଜାରି ରଖିଥିଲା ଅକ୍ସଫାମ । ଏହା ଆଇନଗତ ଭାବେ ଅପରାଧ ବୋଲି ଗୃହମନ୍ତ୍ରଣାଳୟ କହିଛି ।

ଗୃହମନ୍ତ୍ରୀ ଅମିତ ଶାହାଙ୍କ ନିର୍ଦ୍ଦେଶ ପରେ ଲଗାତର ଭାବେ ବେଆଇନ ତରିକାରେ ଏଫସିଆରଏ ଆଇନର ଉଲଙ୍ଘନ କରି ଯେଉଁ ବେସରକାରୀ ସଂସ୍ଥାମାନେ ଅର୍ଥ ଜମା କରୁଛନ୍ତି ସେମାନଙ୍କ ବିରୋଧରେ ଗୃହମନ୍ତ୍ରଣାଳୟ ଦ୍ୱାରା ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ଏହା ପୂର୍ବରୁ ବି ଗୃହମନ୍ତ୍ରଣାଳୟ ତରଫରୁ ପୂର୍ବତନ ପ୍ରଶାସନିକ ଅଧିକାରୀ ହର୍ଷ ମନ୍ଦରଙ୍କ ବିରୋଧରେ ବିଦେଶୀ ଚାନ୍ଦା ବେଆଇନ ଭାବେ ଆଣିବା ମାମଲାରେ ସିବିଆଇ ଯାଂଚ ପାଇଁ ଗୃହମନ୍ତ୍ରଣାଳୟ ସୁପାରିଶ କରିଥିଲା ।