ହିମାଳୟ ଭାଲୁ କଲା ମାଙ୍କଡ ଶିକାର । ଛୁଆ ମାଙ୍କଡର ହୃଦୟ ବିଦାୟକ ଦୃଶ୍ୟ ଦେଖିଲା ମା ମାଙ୍କଡ

217

କନକ ବ୍ୟୁରୋ: ହିମାଳୟ ଭାଲୁ କଲା ମାଙ୍କଡ ଶିକାର । ନନ୍ଦନକାନନ ଚିଡିଆଖାନାରେ ଚିଲିଛି ଜଙ୍ଗଲରାଜର ଆତଙ୍କ । ପ୍ରାଣୀ ଉଦ୍ୟାନର ୧୬ ‘ଖ’ ଖୁଆଡରେ ହିମାଳୟ ଭାଲୁ ‘କୁଲୁ’ ମାଙ୍କଡ ଛୁଆ ଶିକାର କରିଛି । ଗତକାଲି ଅପରାହ୍ନରେ ଖୁଆଡ ପ୍ରାଚୀର ଓ ଗଛ ଉପରେ ମାଙ୍କଡ ପଲ ଖେଲକୁଦ କରୁଥିଲେ । ଏହି ସମୟରେ କାଠ ସିଡି ତଳେ ବିଶ୍ରାମ ନେଇଥିଲା ହିମାଳୟ ଭାଲୁ ‘କୁଲୁ’ । ଏହି ସମୟରେ ଏକ ୩-୪ ମାସର ମାଙ୍କଡ ଶିଶୁ ଖୁଆଡର ଚଟାଣକୁ ଚାଲିଆସିଥିଲା । ଆଉ ଏହାର ସୁଯୋଗରେ ମାଙ୍କଡ ଶାବକକୁ ମାଡି ବସିଥିଲା ‘କୁଲୁ’ । ମାଙ୍କଡ ଶିଶୁକୁ ହିମାଳୟ ଭାଲୁ ‘କୁଲୁ’ ତୀକ୍ଷ୍ଣ ଦାନ୍ତ ଓ ନଖର ବିଦାର ଦେଇଥିଲା ।

ଛୁଆକୁ ହିମାଳୟ ଭାଲୁ ‘କୁଲୁ’ କବଳରୁ ଛଡାଇବାକୁ ଚିକ୍ରାର କରି କିଛି ବାଟ ମାଡି ଆସିଥିଲା ମାଆ ମାଙ୍କଡ । ହେଲେ ବିଶାଳକାୟ ଭାଲୁକୁ ମୁକାବିଲା କରିବାକୁ ସାହାସ କୁଳାଇନପାରି ପୁଣି ପଛକୁ ଫେରିଯାଇଥିଲା । ଛୁଆ ମୃତ୍ୟୁର ହୃଦୟ ବିଦାରକ ଦୃଶ୍ୟକୁ ମାଆ ମାଙ୍କଡ ଦେଖିଥିଲା । ଅନ୍ୟମାଙ୍କଡମାନେ ମଧ୍ୟ ଚିକ୍ରାର କରିଥିଲେ, ହେଲେ ହିମାଳୟ ଭାଲୁ ‘କୁଲୁ’ ଉପରେ ଏହାର କୌଣସି ପ୍ରଭାବ ପଡିନଥିଲା । ମାଙ୍କଡ ଶାବକର ଅନ୍ତବୁଜୁଳା ବାହାରି କରି ସେ ଶିକାରର ମଜା ନେଇଥିଲା । ଏହା ପରେ ମୃତ ମାଙ୍କଡର ଦେହକୁ ଧରି ଖୁଆଡ ସାରା ବୁଲାବୁଲି କରିଥିଲା ‘କୁଲୁ’ ।

ନିରାଶ ହୋଇ ମାଙ୍କଡ ପଲ ଚାଲିଯାଇଥିଲେ । ଜନ୍ତୁରକ୍ଷକ ଆସି ମୃତ ମାଙ୍କଡ ଛୁଆ ଠାରୁ କୁଲୁକୁ ଅଲଗା କରିବାକୁ ଉଦ୍ୟମ କରି ବିଫଳ ହୋଇଥିଲେ । ସନ୍ଧ୍ୟାରେ କୁଲୁ ତା କକ୍ଷକୁ ଯିବା ପରେ ମାଙ୍କଡର ମୃତଦେହକୁ ଉଦ୍ଧାର କରାଯାଇଛି । ଅତୀତରେ ନନ୍ଦନକାନନରେ ସିଂହ ଯୋଡି କ୍ରୀସ, ରାଧା ଖୁଆଡକୁ ଡେଇଁପଡିଥିବା ହରିଣକୁ ଶିକାର କରିଥିଲେ । ସେହିଭଳି ଗତବର୍ଷ ମହାବଳ ବାଘ ବାହୁବଳୀ ଓ ମନୀଷ ମଧ୍ୟ ମାଙ୍କଡ ଶିକାର କରିଥିବା ନଜିର ରହିଛି ।