ଲୁଧିଆନା କୋର୍ଟ ଭିତରେ ଲାଗିଥିଲା ଶକ୍ତିଶାଳୀ ବୋମା, ମୃତକଙ୍କୁ ଚିହ୍ନିବା ମୁସ୍କିଲ ।

113

କନକ ବ୍ୟୁରୋ: ପ୍ରାଥମିକ ବିଶ୍ଳେଷଣ ପରେ ‘ଫୋରେନ୍‌ସିକ୍‌ ଟିମ୍‌’ ଏବଂ ‘ବମ୍ ଡିଟେକ୍ସନ୍‌ ଆଣ୍ଡ୍‌ ଡିସ୍ପୋଜାଲ୍‌ ସ୍କ୍ବାଡ୍‌’ କହିଛି ଯେ, ଗୁରୁବାର ଦିନ ଲୁଧିଆନା ଅଦାଲତରେ ହୋଇଥିବା ବିସ୍ଫୋରଣରେ ବିପୁଳ ପରିମାଣର ଉନ୍ନତ ମାନର ବିସ୍ଫୋରକ ବ୍ୟବହୃତ ହୋଇଥିଲା।

ଏହି ବିସ୍ଫୋରଣରେ ୨ ଜଣଙ୍କ ବ୍ୟକ୍ତିଙ୍କ ମୃତ୍ୟୁ ଘଟିବା ସହ ଆଉ ୫ଜଣ ଆହତ ହୋଇଛନ୍ତି।ପ୍ରାଥମିକ ତଦନ୍ତ ରିପୋର୍ଟ ମୁତାବକ, କୋର୍ଟ ଭିତରେ ଲାଗିଥିବା ଶକ୍ତିଶାଳୀ ବିସ୍ଫୋରକ ‘ପେଣ୍ଟାରିଥ୍ରାଇଟୋଲ୍‌ ଟେଟ୍ରାନାଇଟ୍ରେଟ୍‌’ କିଂବା ‘ରୟାଲ୍‌ ଡିମୋଲିସନ୍ ଏକ୍ସପ୍ଲୋସିଭ୍‌’ ହୋଇଥାଇପାରେ। ବୋମାର ସଠିକ ନିର୍ମାଣ ଏବଂ ଏଥିରେ କୌଣସି ଧାତବ ଭଗ୍ନାଂଶ ବ୍ୟବହାର ହୋଇଥିଲା କି, ନାହିଁ ତାହା ପରୀକ୍ଷା କରାଯାଉଛି। ଆଉ କିଛି ଘଣ୍ଟା ପରେ ସେ ସବୁ ଜଣାପଡ଼ିବ।

ବିସ୍ଫୋରଣ ଯୋଗୁଁ ନିହତ ବ୍ୟକ୍ତିଙ୍କ ଶବ ଖଣ୍ଡବିଖଣ୍ଡ ହୋଇଯାଇଥିବାରୁ ତାଙ୍କର ପରିଚୟ ପାଇବା ଏପର୍ୟ୍ୟନ୍ତ ସମ୍ଭବପର ହୋଇନାହିଁ। କେବଳ ତାଙ୍କ ଶରୀରରେ ଅଙ୍କିତ ‘ଟାଟୁ’ ଦେଖାଯାଉଛି। ମୃତ ବ୍ୟକ୍ତିଙ୍କ ପରିଚୟ ଜାଣିବା ପାଇଁ ହୁଏତ ସେଥିରୁ କିଛି ଟେର୍‌ ମିଳିପାରେ। ତାଙ୍କର ବୟସ ୩୦ ରୁ ୩୫ ବର୍ଷ ମଧ୍ୟରେ ହୋଇଥିବ। ବିସ୍ଫୋରଣ ଘଟିଥିବା ଦ୍ବିତୀୟ ତାଲାର ସ୍ନାନାଗାରରୁ ନିହତ ବ୍ୟକ୍ତିଙ୍କ ଶବ ଉଦ୍ଧାର କରାଯାଇଥିଲା। ‘ନ୍ୟାସ୍‌ନାଲ୍‌ ସିକ୍ୟୁରିଟି ଗାର୍ଡ’ ସମ୍ପୃକ୍ତ ଅଞ୍ଚଳକୁ ତଲାସ କରିବା ପରେ ସ୍ନାନାଗାରରୁ ଶବ ଉଠାଯାଇଥିଲା।

‘ଏନ୍‌ଏସ୍‌ଜି’ ଏବଂ ପୁଲିସର ମନେହୁଏ, ନିହତ ବ୍ୟକ୍ତି ହେଉଛନ୍ତି କୋର୍ଟ ପରିସରରେ ବୋମା ରଖିଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ଜଣେ। ବୋଧହୁଏ ସେ କୋର୍ଟ ଅଟ୍ଟାଳିକାକୁ ବୋମା ଆଣିଥିଲେ। ବୋମାକୁ ସକ୍ରିୟ କରିବା ବେଳେ ତାହା ଫୁଟିଯାଇଛି।