ଶିଶିର ସରସ ମେଳାରେ ମେଳିଛି ଖାଦ୍ୟର ପସରା, ପତ୍ର ପୋଡା ମାଂସ ଖାଇବା ପାଇଁ ପ୍ରବଳ ଗହଳି !

278

କନକ ବ୍ୟୁରୋ : ସ୍ମାର୍ଟସିଟି ଭୁବନେଶ୍ୱରରେ ଏବେ ମେଳାର ଆସର । ତୋଷାଳି ଓ ଶିଶିର ସରସ ମେଳାକୁ ନେଇ ଭୁବନେଶ୍ୱରରେ ବେଶ ଗହଳି ଚହଳି ଦେଖିବାକୁ ମିଳିଛି । ଖାସକରି ସନ୍ଧ୍ୟା ହେବା ମାତ୍ରେ ରାଜଧାନୀବାସୀ ଟାଣି ହୋଇ ଆସୁଛନ୍ତି ଏହି ମେଳାକୁ । ଭଳିକି ଭଳି ଘରକରଣା ସାମଗ୍ରୀ କିଣିବା ସହ ଶୀତୁଆ ସନ୍ଧ୍ୟାର ମଜା ନେଉଛନ୍ତି ସ୍ମାର୍ଟ ସିଟିର ସ୍ମାର୍ଟ ବାସିନ୍ଦା ।

କେବଳ ମେଳା ବୁଲା ନୁହେଁ ଚଟାପଟା ଖାଇବା ଆଇଟମକୁ ମଧ୍ୟ ମିସ୍ କରୁୂନାହାନ୍ତି ମେଳାକୁ ବୁଲି ଆସିଥିବା ଲୋକେ । ଶିଶିର ସରସ ହେଉ ଅବା ତୋଷାଳି ମେଳା, ଏଠାରେ ପଡିଥିବା ଖାଇବା ଷ୍ଟଲ ଆଗରେ ଲୋକଙ୍କର ଲମ୍ବା ଭିଡ ଦେଖିବାକୁ ମିଳୁଛି । ଖାସକରି ଶିଶିର ସରସରେ ପଡିଥିବା ଖାଇବା ଷ୍ଟଲ ଗୁଡିକରେ ପତ୍ର ପୋଡା ମାଂସ ଖାଇବାକୁ ଲୋକଙ୍କର ପ୍ରବଳ ଗହଳି ଦେଖିବାକୁ ମିଳୁଛି ।

ପତ୍ରରେ ଖାସି ମାଂସ ଠାରୁ ଆରମ୍ଭ କରି ମାଛ, ଚିଙ୍ଗୁଡି, ପନିର, ଛତୁ ଏଭଳି ବିଭିନ୍ନ ଆଇଟମ ପୋଡିକି ଗ୍ରାହକଙ୍କୁ ପରଷୁଛନ୍ତି ଦୋକାନୀ । ଆଉ ଏହି ପତ୍ର ପୋଡା ମାଂସର ସ୍ୱାଦ ମଧ୍ୟ ଗ୍ରାହକଙ୍କୁ ବେଶ ପସନ୍ଦ ଆସୁଛି । ଏହି ଚଟାପଟା ଆଇଟମ ଗୁଡିକର ମୂଲ୍ୟ ମଧ୍ୟ ସାଧାରଣ ଲୋକଙ୍କୁ ସୁହାଇଲା ଭଳି ରହିଛି ।

ଦୋକାନୀଙ୍କ କହିବା ଅନୁଯାୟୀ, ୧୧ ଦିନ ଧରି ତାଙ୍କର ଏହି ଷ୍ଟଲରେ ପ୍ରବଳ ଭିଡ ଲାଗି ରହୁଛି । ପ୍ରତିଦିନ ଲକ୍ଷାଧିକ ଟଙ୍କାର ବେପାର କରୁଥିବା କହିଛନ୍ତି କେଉଁଝରରୁ ଆସିଥିବା ଦୋକାନୀ । ଖାସକରି ଆମିଷ ବାର ଦିନ ଲୋକଙ୍କର ପତ୍ର ପୋଡା ମାଂସ ଉପରେ ଡିମାଣ୍ଡ ରହୁଛି । ଆସନ୍ତାକାଲି ଏହି ଶିଶିର ସରସ ମେଳାର ଶେଷଦିନ ଥିବା ହେତୁ ଆଜି ଲୋକଙ୍କର ପ୍ରବଳ ଭିଡ ଦେଖିବାକୁ ମିଳିଛି ।