ଆହୁରି ବର୍ଷିବ : ଉତ୍ତର-ପଶ୍ଚିମ ବଙ୍ଗୋପ ସାଗରରେ ସୃଷ୍ଟ ୱେଲମାର୍କ ଲୋ-ପ୍ରେସର ପ୍ରଭାବରେ ପ୍ରବଳ ବର୍ଷା ଆଶଙ୍କା, ୧୫ଟି ଜିଲ୍ଲାକୁ ସତର୍କ ସୂଚନା
କନକ ବ୍ୟୁରୋ : ଉତ୍ତର-ପଶ୍ଚିମ ବଙ୍ଗୋପ ସାଗରରେ ସୃଷ୍ଟ ୱେଲମାର୍କ ଲୋ-ପ୍ରେସର ପ୍ରଭାବରେ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ଲାଗିରହିଛି । ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ଆଗାମୀ ୧୨ ଘଂଟା ଯାଏଁ ଅଧିକାଂଶ ସ୍ଥାନରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ଓ ସ୍ଥାନେ ସ୍ଥାନେ ଘଡଘଡି ସହ ବର୍ଷା ଲାଗି ରହିବ । ବର୍ତ୍ତମାନ ସକ୍ରିୟ ଥିବା ଲଘୁଚାପ ଛତିଶଗଡ ମୁହାଁ ହେଲାଣି । ଏହାର ପ୍ରଭାବରେ ଆସନ୍ତା ୧୨ ଘଂଟା ଯାଏ ଦକ୍ଷିଣ ଓ ପଶ୍ଚିମ ଓଡିଶାର କିଛି ସ୍ଥାନରେ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି । ଏପରିକି ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି । ମାଲକାନଗିରି, କୋରାପୁଟ, କଳାହାଣ୍ଡି, ନବରଙ୍ଗପୁର, ବରଗଡ, ସୋନପୁର ରାୟଗଡା, କନ୍ଧମାଳ, ସମ୍ବଲପୁର ଓ ବୌଦ୍ଧରେ ଆଜି ପ୍ରବଳ ବର୍ଷାର ଚେତାବନୀ ଦିଆଯାଇଛି । ଲଗାଣ ବର୍ଷା ଯୋଗୁଁ କୋଣାର୍କ ମନ୍ଦିରରେ ପଶିଛି ପାଣି । କଳାହାଣ୍ଡିରେ ବର୍ଷା ଯୋଗୁଁ ସ୍ଥିତି ବେହାଲ ହୋଇଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ଆଜି ସକାଳୁ ଭୁବନେଶ୍ୱରରେ ଝିପିଝିପି ହୋଇ ବର୍ଷା ଲାଗି ରହିଛି। ବର୍ଷା ଯୋଗୁଁ ସକାଳୁ ସାଧାରଣ ଜୀବନଯାପନ ପ୍ରଭାବିତ ହୋଇଛି। ସକାଳ ସାଢ଼େ ୫ଟାରୁ ରାଜଧାନୀରେ ବର୍ଷା ପରିମାଣ ବଢ଼ିଛି। ରାଜଧାନୀ ସହିତ ପୁରୀରେ ମଧ୍ୟ ବର୍ଷା ଲାଗି ରହିଛି। ବର୍ଷା ଯୋଗୁଁ ପୁରୀ ମାର୍କେଣ୍ଡେୟ ପୁଷ୍କରିଣୀର ପ୍ରାୟ ୧୦୦ ଫୁଟ୍ ର ପାଚେରି ଭୁଶୁଡ଼ି ପଡ଼ିଛି।