ଆସୁଛି ବଡ଼ ବର୍ଷା : ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ପ୍ରଭାବରେ ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷିବ

52

କନକ ବ୍ୟୁରୋ : ପୁଣି ଆସୁଛି ବଡ଼ ବର୍ଷା । ଅଗଷ୍ଟ ୧୩ରେ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ପ୍ରଭାବରେ ୧୪ ଓ ୧୫ ତାରିଖରେ ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷିବ । ବାଲେଶ୍ୱର, ମୟୂରଭଞ୍ଜ, ଭଦ୍ରକ, ଯାଜପୁର, କେନ୍ଦୁଝର, କେନ୍ଦ୍ରାପଡ଼ାରେ ପ୍ରବଳରୁ ଅତିପ୍ରବଳ ବର୍ଷ ହେବ । ଗୋଟିଏ ଦୁଇଟି ସ୍ଥାନରେ ୧୦୦ ମିମିରୁ ଅଧିକ ବର୍ଷା ହେବା ନେଇ ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ ।

ବିଭାଗ ପକ୍ଷରୁ କୁହାଯାଇଛି ଏବେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଆନ୍ଧ୍ରପ୍ରଦେଶର ଦକ୍ଷିଣ ଉପକୂଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହା ପ୍ରଭାବରେ ଶନିବାରଠାରୁ ଦକ୍ଷିଣ ଓଡ଼ିଶାରେ ବର୍ଷା ବଢ଼ିବ। ଅପରାହ୍‌ଣ ବେଳକୁ କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା, ଗଞ୍ଜାମ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ । ହେଲେ ୧୨ ତାରିଖ ବେଳକୁ ଉତ୍ତର ପଣ୍ଚିମ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । କ୍ରମଶଃ ତାହା ସକ୍ରିୟ ହେବା ସହ ୧୩ ତାରିଖ ବେଳକୁ ଲଘୁଚାପର ରୂପ ନେବ । ଏହା ପ୍ରଭାବରେ ୧୨ ତାରିଖଠାରୁ ଉତ୍ତର ଓ ଉତ୍ତର ପଶ୍ଚିମ ଅଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ବଢ଼ିବ । ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ଲାଗିରହିବ। ଲଘୁଚାପ ପ୍ରଭାବରେ ୧୪ ଓ ୧୫ ତାରିଖରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଛି।

ଅନ୍ୟପକ୍ଷରେ ଗତକାଲି ବର୍ଷାର ପ୍ରଭାବ କମିଛି । ଭୁବନେଶ୍ୱରରେ ସର୍ବାଧିକ ୧୧.୭ ମିମି ବର୍ଷା ହୋଇଛି । ବର୍ଷା କମିଥିବା ବେଳେ ଉପକୂଳ ଓଡ଼ିଶାର କେତେକ ସ୍ଥାନରେ ତାପମାତ୍ରା ୩୫ ଡିଗ୍ରି ଛୁଇଁଥିବା ନେଇ ପାଣିପାଗ କେନ୍ଦ୍ର ସୂଚନା ଦେଇଛି ।