ଭୁବନେଶ୍ୱରରେ ପ୍ରବଳ ବର୍ଷା: ଅଧ ଘଣ୍ଟାର ବର୍ଷାରେ ବିଭିନ୍ନ ସ୍ଥାନ ଜଳମଗ୍ନ, ପାଣି ଭିତରେ ଚାଲିଲା ବିଏମସି କମିଶନରଙ୍କ ଗାଡି

240

କନକ ବ୍ୟୁରୋ: ରାଜଧାନୀ ଭୁବନେଶ୍ୱରରେ ପ୍ରବଳ ବର୍ଷା ହୋଇଛି । ପ୍ରବଳ ବର୍ଷା ଯୋଗୁଁ ରାଜରାସ୍ତାରେ ଚାଲିଛି ଆଣ୍ଠୁଏ ପାଣି । ଅଧ ଘଂଟାର ବର୍ଷାରେ ଭୁବନେଶ୍ୱରର ବିଭିନ୍ନ ସ୍ଥାନ ଜଳମଗ୍ନ ହୋଇଯାଇଛି । ଫଳରେ ଯାତାୟାତ ମଧ୍ୟ ବାଧାପ୍ରାପ୍ତ ହୋଇଛି । ସବୁଥର ଭଳି ଏଥର ମଧ୍ୟ ଇସ୍କନ ମନ୍ଦିର ସମ୍ମୁଖରେ ଆଣ୍ଠୁଏ ଉଚ୍ଚର ପାଣି ଚାଲୁଛି ।

ପାଣି ଭିତରେ ଚାଲିଲା ବିଏମସି କମିଶନର ବିଜୟ କୁଲାଙ୍ଗେଙ୍କ ଗାଡି । ରାଜଧାନୀରେ ପ୍ରାୟ ଅଧଘଂଟା ବର୍ଷାରେ ସବୁଆଡେ ପାଣି ଜମିଥିବା ବେଳେ ବିଭିନ୍ନ ଅଂଚଳ ପରିଦର୍ଶନ କରିଛନ୍ତି ବିଜୟ କୁଲାଙ୍ଗେ । ଯୁଦ୍ଧକାଳୀନ ଭିତିରେ ସବୁ ଡ୍ରେନ କାମ ସାରିବାକୁ ନିଷ୍ପତି ନିଆଯାଇଛି । ଏବଂ ୱାଟର ଲଗିଙ୍ଗ ଅଂଚଳ ଉପରେ ନଜର ରହିଥିବା କହିଛନ୍ତି ବିଏମସି କମିଶନର । ସମସ୍ୟାର ସମାଧାନ ପାଇଁ ବୈଷୟିକ ଟିମ ଓ ବିଭିନ୍ନ ବିଭାଗ ସହ ଆଲୋଚନା କରାଯାଇଛି ବୋଲି ବିଏମସି କମିଶନର ବିଜୟ କୁଲାଙ୍ଗେ କହିଛନ୍ତି ।