ଆସନ୍ତା ବୁଧବାର ବାହାରିବ ମାଟ୍ରିକ ରେଜଲ୍ଟ: ଜାଣନ୍ତୁ, କେମିତି ଦେଖିବେ?

362

କନକ ବ୍ୟୁରୋ: ମାଟ୍ରିକ ରେଜଲ୍ଟ ନେଇ ଆଜି ବୋର୍ଡ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି । ଆସନ୍ତା ବୁଧବାର ଦିନ ୧ଟାରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ । ବୋର୍ଡ ୱେବସାଇଟ ଓ ଏସଏମଏସ ଜରିଆରେ ଛାତ୍ରଛାତ୍ରୀମାନେ ରେଜଲ୍ଟ ପାଇପାରିବେ । www.bseodisha.ac.in, www.bseodisha.nic.in ୱେବସାଇଟରେ ରେଜଲ୍ଟ ପ୍ରକାଶ ପାଇବ । ସେହିପରି ଇଣ୍ଟରନେଟ ନଥିବା ସ୍ଥାନରେ ଛାତ୍ରଛାତ୍ରୀମାନେ ଏସଏମଏସ ଜରିଆରେ ରେଜଲ୍ଟ ଦେଖିପାରିବେ । ଏସଏମଏସ ପାଇଁ OR10(Space) Roll number ଲେଖି ୫୬୭୬୭୫୦କୁ ପଠାଇବେ ।

ସୂଚନାଯୋଗ୍ୟ ଯେ କରୋନା ମହାମାରୀ ଯୋଗୁଁ ୨ବର୍ଷ ପରେ ଏଥର ଅଫଲାଇନ୍‌ରେ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେଇଛନ୍ତି । ଚଳିତ ବର୍ଷ ୩, ୨୦୩ ପରୀକ୍ଷା କେନ୍ଦ୍ରରେ ମୋଟ ୫ ଲକ୍ଷ ୭୧ ହଜାର ୯୦୯ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ଏପ୍ରିଲ ୨୯ରୁ ମେ ୭ ପର୍ୟ୍ୟନ୍ତ ମାଟ୍ରିକ ପରୀକ୍ଷା ଚାଲିଥିଲା । ମଧ୍ୟମା ଓ ଓପନ ସ୍କୁଲ ପିଲାଙ୍କୁ ମିଶାଇଲେ ମୋଟ ୫ ଲକ୍ଷ ୮୫ ହଜାର ୭୩୦ ଜଣ ପିଲା ୩୫୪୦ କେନ୍ଦ୍ରରେ ପରୀକ୍ଷା ଦେଇଥିଲେ ।

ମେ’ ୨୧ରେ ମାଟ୍ରିକ ଖାତା ମୂଲ୍ୟାୟନ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ରେଗୁଲାର ପରୀକ୍ଷା ସହିତ ଏସ୍ଓସ୍ ଓ ମଧ୍ୟମା ପରୀକ୍ଷାର ଖାତା ମୂଲ୍ୟାୟନ ହୋଇଥିଲା । ରାଜ୍ୟର ମୋଟ୍‌ ୫୮ଟି ମୂଲ୍ୟାୟନ କେନ୍ଦ୍ରରେ ଖାତା ଦେଖା ହୋଇଥିଲା । ଖାତା ଦେଖା ପାଇଁ ୪୮୧ ଜଣ ମୁଖ୍ୟ ପରୀକ୍ଷକଙ୍କ ସହ ୯୦୦ ଜଣ ଉପ ପରୀକ୍ଷକ, ୮୯୧୯ ଜଣ ସହକାରୀ ପରୀକ୍ଷକ ଓ ୯୩୦ ଜଣ ସ୍କ୍ରୁଟିନାଇଜର ଏଥିରେ ନିୟୋଜିତ ହୋଇଥିଲେ ।