ରାଜସ୍ଥାନରେ ସ୍ୱାସ୍ଥ୍ୟ ବୀମା, ଓଡିଶାରେ ବିଜ୍ଞାପନ : ତାରା ବିହାନୀ ପତି କହିଲେ, ଅନୁକରଣ କରନ୍ତୁ ଓଡିଶା ସରକାର

315

କନକ ବ୍ୟୁରୋ : ଓଡିିଆ ଖବରକାଗଜରେ ରାଜସ୍ଥାନ ସରକାରଙ୍କ ସ୍ୱାସ୍ଥ୍ୟ ବୀମାର ବିଜ୍ଞାପନ । ରାଜ୍ୟବାସୀଙ୍କୁ ମାଗଣା ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ରାଜସ୍ଥାନର ଗେହଲଟ ସରକାର ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ଚିରଞ୍ଜିବୀ ସ୍ୱାସ୍ଥ୍ୟ ବୀମା ଯୋଜନା । ଏବେ ଏହି ଯୋଜନାର ବିଜ୍ଞାପନ ଆଜି ଓଡିଶାର ପ୍ରମୁଖ ଗଣମାଧ୍ୟମରେ ପ୍ରକାଶ ପାଇଛି । ଏହାପରେ କଂଗ୍ରେସ ବିଧାୟକ ତାରା ବିହାନୀ ପତି ରାଜ୍ୟ ସରକାରଙ୍କୁ ଆହ୍ୱାନ କରିଛନ୍ତି ରାଜସ୍ଥାନର ଏହି ସ୍ୱାସ୍ଥ୍ୟ ବୀମା ମଡେଲକୁ ଆପଣେଇବା ପାଇଁ ।

ରାଜସ୍ଥାନ ସରକାରର ଏହି ଯୋଜନା ଯେକୌଣସି ବ୍ୟକ୍ତି ଲାଭ ପାଇପାରିବେ । ପ୍ରତ୍ୟେକ ପରିବାରକୁ ୧୦ ଲକ୍ଷ ନିଃଶ୍ଲକ ସ୍ୱାସ୍ଥ୍ୟ ବୀମା ରହିଥିବା ବେଳେ ୫ ଲକ୍ଷ ଟଙ୍କା ରହିଛି ଦୁର୍ଘଟଣା ବୀମା । ସେହିପରି ଏହି ଯୋଜନାରେ ଜଣେ ଘରୋଇ ଏବଂ ସରକାରୀ ହସ୍ପିଟାଲର ଲାଭ ନେଇପାରିବେ । ଏଥିସହ ଔଷଧ ଏବଂ ଟେଷ୍ଟ କରିପାରିବେ । ଯେଉଁମାନେ ବିପିଏଲ ତାଲିକାରେ ଥିବେ, ଆର୍ଥିକ ପଛୁଆ ବର୍ଗ ଓ କ୍ଷୁଦ୍ର ଏବଂ ନାମମାତ୍ର ଚାଷୀ ଏହି ଯୋଜନାର ଲାଭ ମାଗଣାରେ ପାଇପାରିବେ । ଅନ୍ୟମାନେ ମାସିକ ୮୫୦ ଟଙ୍କା ଦେଇ ଏହି ଯୋଜନାର ଲାଭ ନେଇପାରିବେ । କେନ୍ଦ୍ରର ମୋଦୀ ସରକାର ଆୟୁଷମାନ ଯୋଜନା ଲାଗୁ କରିଛନ୍ତି ।

ହେଲେ ଅନେକ ବିରୋଧୀ ରାଜ୍ୟ ଏହି ଯୋଜନାକୁ କାର୍ଯ୍ୟକାରୀ କରୁ ନାହାନ୍ତି । ଯେଉଁଥିରେ ଓଡିଶା, ଛତିଶଗଡ ଏବଂ ରାଜସ୍ଥାନ ଭଳି ରାଜ୍ୟ ରହିଛି । ଓଡିଶାରେ ମଧ୍ୟ ନବୀବ ସରକାର ବିଜୁ ସ୍ୱାସ୍ଥ୍ୟ ବୀମା ଯୋଜନା ଆରମ୍ଭ କରିଛନ୍ତି । ଯେଉଁଥିରେ ବାର୍ଷିକ ପରିବାର ପିଛା ୫ ଲକ୍ଷ ଟଙ୍କାର ବୀମା ମିଳୁଛି ଏବଂ ମହିଳାଙ୍କୁ ୭ ଲକ୍ଷ ଟଙ୍କାର ସହାୟତା ମିଳୁଛି । କଂଗ୍ରେସ ବିଧାୟକ କହିଛନ୍ତି, ଏହି ବୀମା ରାଜ୍ୟର ଅନେକ ହସ୍ପିଟାଲରେ କାମ କରୁନି । ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଜଣେ ଅନୁଭବ ନେତା । ତେଣୁ ରାଜ୍ୟ ସରକାର ଏହି ମଡେଲକୁ ଆପଣାଇବା ଦରକାର ।