ଆୟୁଷ୍ମାନ ଭାରତକୁ ଟକ୍କର ଦେବ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ! ଏକାଥରକେ ସାଢ଼େ ୩ କୋଟି ଲୋକଙ୍କ ପାଖରେ ପହଞ୍ଚିବ ନବୀନଙ୍କ ଏହି ନୂଆ ଯୋଜନା

46

କନକ ବ୍ୟୁରୋ : ଗରିବଙ୍କୁ ମାଗଣାରେ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ନେଇ ମୁହାଁମୁହିଁ ହୋଇଛନ୍ତି ବିଜେଡି ଓ ବିଜେପି । ମୋଦିଙ୍କ ମେଗା ସ୍ୱାସ୍ଥ୍ୟ ସେବା ଯୋଜନା-“ଆୟୁଷ୍ମାନ ଭାରତ” ପୂର୍ବରୁ ନବୀନ ଘୋଷଣା କରିଛନ୍ତି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା । ଯେଉଁଥିରେ ରାଜ୍ୟ ୭୦ ଲକ୍ଷ ପରିବାରର ସାଢେ ୩ କୋଟି ଲୋକ ଉପକୃତ ହେବେ । ବିଜେଡି କହିଛି, ଏହି ଯୋଜନା ସଂପୂର୍ଣ୍ଣ ନିଜସ୍ୱ ପାଣ୍ଠିରୁ କରାଯିବ । ସେପଟେ ବିଜେପି କହିଛି, ବଜେଟରେ ବ୍ୟବସ୍ଥା ନକରି କେବଳ ପ୍ରତିଶ୍ରୁତି ଦେଇ ରାଜ୍ୟବାସୀଙ୍କୁ ପ୍ରତାରଣା କରୁଛନ୍ତି, ନବୀନ ସରକାର ।

ଗରିବଙ୍କୁ ମାଗଣା ସ୍ୱାସ୍ଥ୍ୟ ସେବା ଯୋଗାଇବା ଦେବା ପାଇଁ ଚଳିତ ବର୍ଷ ବଜେଟରେ ଆୟୁଷ୍ମାନ ଭାରତ ନାଁରେ ଏକ ବଡ଼ ଯୋଜନା ଘୋଷଣା କରିଥିଲେ ମୋଦି ସରକାର । ମୋଦି କେୟାର ଭାବେ ବେଶ୍ ଚର୍ଚ୍ଚା ହେଉଥିବା ଏହି ଯୋଜନାରେ ୫୦ କୋଟି ଲୋକଙ୍କୁ ବାର୍ଷିକ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ବୀମା ଯୋଗାଇବା ଲକ୍ଷ୍ୟ ରହିଛି । ଏପର୍ଯ୍ୟନ୍ତ ଏହାର ମୋଡାଲିଟି ପ୍ରସ୍ତୁତ ହୋଇନଥିବା ବେଳେ ନବୀନ ଘୋଷଣା କରିଛନ୍ତି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା । ଅର୍ଥାତ କେନ୍ଦ୍ର ଯୋଜନା ପହଁଚିବା ପୂର୍ବରୁ ରାଜ୍ୟର ୭୦ ଲକ୍ଷ ପରିବାର ଅର୍ଥାତ ସାଢ଼େ ତିନି କୋଟି ଲୋକଙ୍କୁ ମାଗଣା ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବେ ନବୀନ ସରକାର ।

ବିଜେପି-ବିଜେଡି ଟଣାଓଟରା ମଧ୍ୟରେ ଅଗଷ୍ଟ ୧୫ ତାରିଖରେ ରାଜ୍ୟ ସରକାର ଆରମ୍ଭ କରିବେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା । ମୋଦିଙ୍କ ଆୟୁଷ୍ମାନ ଭାରତ ଯୋଜନାକୁ ଟକ୍କର ଦେବ ନବୀନଙ୍କ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା । ଏଥିରେ ମଧ୍ୟ ଗରିବ ଲୋକଙ୍କୁ ବାର୍ଷିକ ୫ ଲକ୍ଷ ଟଙ୍କା ଚିକିତ୍ସା ସୁବିଧା ଯୋଗାଇବେ ରାଜ୍ୟ ସରକାର । ନିଜସ୍ୱ ସ୍ୱାସ୍ଥ୍ୟ ଯୋଜନା ଘୋଷଣା ପରେ ଆୟୁଷ୍ମାନ ଭାରତ ଯୋଜନାରେ ସାମିଲ ନହୋଇପାରେ ଓଡ଼ିଶା । ଏହାଛଡ଼ା ଅଣବିଜେପି ଶାସିତ ରାଜ୍ୟ ପଶ୍ଚିମବଙ୍ଗ, ଦିଲ୍ଲୀ, ପଂଜାବ ଓ କର୍ଣ୍ଣାଟକ ଆଦି ରାଜ୍ୟ, ମୋଦିଙ୍କ ଆୟୁଷ୍ମାନ ଭାରତ ଯୋଜନା ପ୍ରତି ନକରାତ୍ମକ ମନୋଭାବ ପୋଷଣ କରିଛନ୍ତି ।