ନିଆଁ ଉଜାଡ଼ି ଦେଲା ଝିଅ ବାହାଘର ସ୍ୱପ୍ନ : ଜଳିଗଲା ସୁନା, ଗହଣା ସହ ଆସବାବ ପତ୍ର; କେମିତି କରିବେ ଝିଅ ବାହାଘର ଚିନ୍ତାରେ ପ୍ରମିଳା ?

279

କନକ ବ୍ୟୁରୋ : ଆଉ ମାତ୍ର ଦିନ କେଇଟା ପରେ ଝିଅ ବାହାଘର କରିଥାଆନ୍ତେ । ହେଲେ ସବୁ ସ୍ୱପ୍ନ ଚୁନା କରିଦେଲା କରାଳ ନିଆଁ । ନିଆଁର ଆଁରେ ପୋଡ଼ି ପାଉଁଶ ହୋଇଗଲା ସବୁ ସ୍ୱପ୍ନ । ଝିଅ ବାହାଘର ପାଇଁ ଥିବା ସୁନା ଓ ରୂପା ଗହଣା, ବାସନ କୁସନ ସମେତ ସମସ୍ତ ଗୃହଉପକରଣ ସାମଗ୍ରୀ ପୋଡ଼ି ନଷ୍ଟ ହୋଇଯାଇଛି । ସେହି ପାଉଁଶ ତଳୁ ନିଜର ସ୍ମୃତି ସାଉଁଟୁଛନ୍ତି ହାଟଡିହି ଓରାଳି ଗାଁ ଦକ୍ଷିଣ ସାହିର ପ୍ରମିଳା ମାଝୀ । ଗତକାଲି ରାତିରେ ପ୍ରମିଳାଙ୍କ ଘରେ ଆକସ୍ମିକ ଭାବେ ଅଗ୍ନିକାଣ୍ଡ ଘଟି ସବୁକିଛି ଛାରଖାର ହୋଇଯାଇଛି ।

ଅଗ୍ନିକାଣ୍ଡ ପରେ ପାଖ ପଡ଼ୋଶୀ ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲେ ବି ସଫଳ ହୋଇନଥିଲେ । ହାଟଡିହିରୁ ଅଗ୍ନିଶମ ବାହାନୀ ଆସି ନିଆଁ ଲିଭାଇଥିଲେ । ହେଲେ ସେତେବେଳକୁ ଘର ଦ୍ୱାର ପୋଡ଼ି ପାଉଁଶ ହୋଇଯାଇଥିଲା । ଏପରିକି ଘରେ ବନ୍ଧା ହୋଇଥିବା ୭ଟି ଛେଳି ଓ ଗୋଟିଏ ଗୋରୁ ମଧ୍ୟ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ଅନ୍ୟ ଦୁଇଟି ଗୋରୁ ନିଆଁରେ ପୋଡ଼ିଯାଇ ଗୁରୁତର ହୋଇଛନ୍ତି । ଏବେ କେଉଁଠି ରହିବେ କିପରି ଝିଅ ବାହାଘର କରିବେ ସେନେଇ ଚିନ୍ତାରେ ପଡ଼ିଛନ୍ତି ଅସହାୟ ପ୍ରମିଳା ।