୨୦୨୧ର ଅନ୍ତରୁ ଆରମ୍ଭ ହେଲା ୨୦୨୨ । ସବୁ ଅପେକ୍ଷା ଅନ୍ତ ଘଟାଇ ଆସିଲା ନୂଆବର୍ଷ । ଆପଣଙ୍କୁ ନୂତନ ବର୍ଷର ଅନେକ ଅନେକ ଅଭିନନ୍ଦନ ।

195

କନକ ବ୍ୟୁରୋ: ସମୟର ଟିକଟିକ୍ ଶବ୍ଦ ସହ ସରିଯାଇଛି ପୁରୁଣା ବର୍ଷ, ବିଦାୟ ନେଇଛି ୨୦୨୧ । ସବୁ ଅପେକ୍ଷାର ଅନ୍ତ ଘଟାଇ ଲୋକଙ୍କ ପାଖକୁ ଆସିଛି ନୂଆବର୍ଷ । କାନ୍ଥରୁ ବଦଳିଯାଇଛି କ୍ୟାଲେଣ୍ଡରର ପୃଷ୍ଠା, ନୂଆ ଉତ୍ସାହ ନୂଆ ସମ୍ଭାବନା ସହ ପାଦ ଥାପିଛି ୨୦୨୨ ।

ସବୁ ଅନ୍ତ କିଛି ଆରମ୍ଭର ସଙ୍କେତ ଦିଏ । ଏଇ ଯେମିତି ୨୦୨୧ର ଅନ୍ତ ସହ ଆରମ୍ଭ ହୋଇଛି ୨୦୨୨ । ନିଜ ଭାଇ ୨୦୨୨କୁ ସ୍ୱାଗତ କରିଛି ଆଉ ଗୋଟିଏ ଭାଇ ୨୦୨୧ । ଶୀତ ରାତି ଆଉ ଶୀତଳ ପରିବେଶରେ ନୂଆବର୍ଷକୁ ସ୍ୱାଗତ କରିଛନ୍ତି କୋଟି କୋଟି ବିଶ୍ୱବାସୀ ।

୨୦୨୧ ଅନେକ ଆଶା ଦେଖାଇଥଲା କିନ୍ତୁ ଦେଇଦେଲା ଅନେକ ଦୁଃଖ ଆଉ ଯନ୍ତ୍ରଣା । ୨୦୨୧ରେ ଆଶା ଥିଲା କରୋନା ସରିଯିବ, ଆମେ ପୁଣି ବୁଲିବା, ଆମେ ପୁଣି ଉଡିବା । ବର୍ଷର କିଛି ମାସ ତ ଠିକ ଚାଲିଲା କିନ୍ତୁ ତାପରେ କରୋନା ମହାମାରୀର ତାଣ୍ଡବ ଅନେକଙ୍କୁ ଆମ ଗହଣରୁ ନେଇଗଲା । ତେଣୁ ଆଜି ନୂଆବର୍ଷର ଏ ଖୁସିର ଅବସରରେ ସେମାନେ ସମସ୍ତେ ଆଜି ବି ମନେ ପଡନ୍ତି ।

ଖାଲି ସେତିକି ନୁହେଁ ୨୦୨୧ ବର୍ଷ ଆମକୁ ଅନେକ ଶିକ୍ଷା ବି ଦେଲା । ଧନ ସମ୍ପତ୍ତିର ଦୁନିଆରେ ବିଶେଷ କିଛି ମହତ୍ତ୍ୱ ନାହିଁ ବୋଲି ଶିଖାଇଦେଲା । କୋଟିପତି ଲୋକଙ୍କୁ ବି ଆମେ ଅକ୍ସିଜେନ ଅଭାବରେ ଛଟପଟ ହେଉଥିବା ଦେଖିଛେ । ଆମେ ଦେଖିଛେ ପ୍ରକୃତିର ପ୍ରକୋପ, ଆମେ ଦେଖିଛେ ଆଖି ଆଗରେ ଅନେକ ଦୁଃଖଦ, ଯାହା ଜୀବନ ସାରା ମନେ ରହିବ । ଅନେକ ଭୁଲ କରିଛେ ବୋଲି ଠିକ୍ କରିବାର ବାଟ ବି ଖୋଜି ପାଇଛେ ।

ଏସବୁ ଭିତରେ ୨୦୨୨ ଏବେ ଅନେକ ସ୍ୱପ୍ନ ନେଇ ଆସିଛି । ପିଲା ସ୍କୁଲ ଯିବାକୁ ବ୍ୟାଗ ସଜାଡୁଛନ୍ତି । ଆମେ ରୋଗକୁ ପୂର୍ଣ୍ଣ ପ୍ରତିହତ କରିଦେବା ଆଶାରେ ଆଉ ଟିକେ ଆଗକୁ ବଢୁଛେ । ଆମେ ଜାଣିଛେ ସବୁ ସ୍ୱପ୍ନ କେବେ ସତ ହୁଏନି କିନ୍ତୁ ଆସନ୍ତୁ ନୂଆ ବର୍ଷରେ ସ୍ୱପ୍ନକୁ ସାକାର କରିବାକୁ ଚେଷ୍ଟା ନିହାତି କରିବା । ଆପଣଙ୍କୁ କନକ ନ୍ୟୁଜ୍ ତରଫରୁ ନୂଆବର୍ଷର ଅନେକ ଅନେକ ଶୁଭେଚ୍ଛା ।