ହସ୍ପିଟାଲ ପରେ ଚର୍ଚ୍ଚ ଉପରେ ଘାତକ ଆକ୍ରମଣ । ଶରଣାର୍ଥୀଙ୍କ ପ୍ରାଣହାନି, ଆକ୍ରମଣକୁ ନିନ୍ଦା

147

କନକ ବ୍ୟୁରୋ : ଗାଜାରେ ପ୍ରତିକ୍ଷଣରେ ଯାଉଛି ଜୀବନ । ଯେଉଁ ସ୍ଥାନକୁ ସବୁଠୁ ସୁରକ୍ଷିତ ମଣି ଲୋକମାନେ ଜୀବନ ବଂଚାଇବା ପାଇଁ ଆଶ୍ରୟ ନେଉଛନ୍ତି, ସେହି ସବୁ ସ୍ଥାନ ମଧ୍ୟ ଯୁଦ୍ଧରୁ ବାଦ ପଡୁନି । ଦୁଇ ଦିନ ପୂର୍ବରୁ ହସ୍ପିଟାଲ ଆକ୍ରମଣରେ ୫ଶହରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବାବେଳେ ଏବେ ଗାଜାରେ ଥିବା ଗ୍ରୀକ ଅର୍ଥଡକ୍ସ ଚର୍ଚ୍ଚ ଉପରେ ବୋମା ମାଡ଼ ଘଟଣାରେ ଯାଇଛି ମହିଳା, ଶିଶୁଙ୍କ ଜୀବନ । ଇସ୍ରାଏଲ ସେନାକୁ ଏନେଇ ହମାସ ଦାୟୀ କରିଛି । ସେପଟେ ହମାସକୁ ଦମନ କରିବାକୁ ଆଇଡିଏଫ ଜାରି ରଖିଛି ଅପରେସନ ଅଲଆଉଟ । ଏବେ ସୁଦ୍ଧା ୧୦୦ଟି ହମାସ ଠିକଣାକୁ ଧ୍ୱଂସ କରିଥିବା ଇସ୍ରାଏଲ ସେନା ଦାବି କରିଛି ।

ଇସ୍ରାଏଲ ଓ ହମାସ ଯୁଦ୍ଧ ଭିତରେ ପାଲେଷ୍ଟାଇନ ପାଇଁ ଏକାଠି ହୋଇଛନ୍ତି ମୁସଲିମ ଦେଶ । ଯୁଦ୍ଧକୁ ଇରାନ, ଲେବାନନ ଓ ସାଉଦି ଆରବ ବିରୋଧ କରୁଥିବାବେଳେ ଏବେ ଅନ୍ୟ ଇସଲାମିକ ରାଷ୍ଟ୍ର ଏକାଠି ହେଲେଣି । ୨୨ ଇସଲାମିକ ରାଷ୍ଟ୍ରଙ୍କୁ ନେଇ ଗଠିତ ଆରବ ଲିଗ ମଧ୍ୟ ପ୍ରତିବାଦ କରୁଛି । ଇରାନ, ଲେବାନନ, ସାଉଦି ଆରବ, ଜୋଡାନ, ଇଜିପ୍ଟ. ସିରିଆ, କାତାର ସହ ଦିନକୁ ଦିନ ଅନ୍ୟ ରାଷ୍ଟ୍ର ଆଗକୁ ଆସୁଛନ୍ତି ।

ଇସ୍ରାଏଲରୁ ଫେରିବା ପରେ ରକ୍ତମୁଖା ଆତଙ୍କୀ ସଂଗଠନ ହେଜବୁଲ୍ଲା ଲେବାନନରେ ଥିବା ଆମେରିକା ଶିବିର ଉପରେ ଆକ୍ରମଣ କରିଛି । ସେପଟେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ହମାସ ବିରୋଧୀ ଲଢେଇରେ ଇସ୍ରାଏଲକୁ ସବୁ ପ୍ରକାର ସାହାଯ୍ୟ କରିବାକୁ ଆମେରିକା ପ୍ରସ୍ତୁତ ବୋଲି ବାଇଡେନ କହିଛନ୍ତି । ଏଥିସହ ରୁଷ ଓ ହମାସ ଗଣତନ୍ତ୍ରକୁ ଧ୍ୱଂସ କରିବାକୁ ଲାଗିପଡିଛନ୍ତି ଓ ଏହାକୁ ରୋକିବା ଜରୁରୀ ।

୧୪ଦିନରେ ‘ଇସ୍ରାଏଲ-ହମାସ’ଯୁଦ୍ଧ
-ଯୁଦ୍ଧରେ ପ୍ରାୟ ୬ ହଜାରରୁ ଅଧିକ ମୃତ
-ପାଖାପାଖି ୪ହଜାର ପାଲେଷ୍ଟାଇନବାସୀ, ୧୭୦୦ ଇସ୍ରାଏଲବାସୀଙ୍କ ମୃତ୍ୟୁ
-୩୩ଜଣ ଆମେରିକୀୟ, ୨୮ଜଣ ଫରାସୀଙ୍କ ମୃତ୍ୟୁ
-୧ହଜାର ୫୨୪ ଶିଶୁ ମୃତ
-ହମାସ ୧୦୦ ଠିକଣାକୁ ଧ୍ୱଂସ କରିସାରିଛି ଆଇଡିଏଫ
-ଇସ୍ରାଏଲ- ବିରୋଧରେ ତେଜୁଛି ଆନ୍ଦୋଳନ
-ବିଭିନ୍ନ ରାଷ୍ଟ୍ରରେ ପାଲେଷ୍ଟାଇନବାସୀଙ୍କ ବିକ୍ଷୋଭ
-ସ୍ୱଦେଶ ଫେରିଲେଣି ୧୨ ଶହରୁ ଅଧିକ ଭାରତୀୟ
-ଇସ୍ରାଏଲ ବିରୋଧରେ ତେଜୁଛି ଇସଲାମିକ ରାଷ୍ଟ୍ରଙ୍କ ଆକ୍ରୋଶ

ଯୁଦ୍ଧ ଭିତରେ ପାଲେଷ୍ଟାଇନ ରାଷ୍ଟ୍ରପତି ମହମ୍ମଦ ଆଚାସଙ୍କ ସହ ଫୋନରେ କଥ ହୋଇଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପାଲେଷ୍ଟାଇନକୁ ମାନବୀୟ ସହାୟତା ଜାରି ରଖିବ ବୋଲି ପ୍ର୍ରତିଶ୍ରୁତି ଦେଇଛି ଭାରତ । ସେପଟେ ଆମେରିକା ମଧ୍ୟ ଗାଜା ଷ୍ଟ୍ରିପ ଓ ୱେଷ୍ଟବ୍ୟାଙ୍କ ସାଧାରଣ ନାଗରିକଙ୍କ ସୁରକ୍ଷା ପାଇଁ ୧୦୦ ମିଲିୟନ ଡଲାଣ ଆର୍ଥିକ ସହାୟତ ଘୋଷଣା କରିଛି ।