ନବଙ୍କ ପାଖେ ପାଖେ ରହୁଥିଲେ ଗୋପାଳ: ମାରିବାକୁ ଖୋଜୁଥିଲେ ସୁଯୋଗ !

1,374

କନକ ବ୍ୟୁରୋ: ନବ ଦାସଙ୍କ ହତ୍ୟାକାଣ୍ଡର ତଦନ୍ତ ଯେତିକି ଯେତିକି ଆଗଉଛି, ସେତିକି ସେତିକି ନୂଆ ନୂଆ ତଥ୍ୟ ସାମନାକୁ ଆସୁଛି । ଧିରେ ଧିରେ ସ୍ପଷ୍ଟ ହେଉଛି ଅଭିଯୁକ୍ତ ଗୋପାଳ ଦାସ କେମିତି ନବ ଦାସଙ୍କୁ ମାରିବାକୁ ବହୁ ଦିନ ହେଲା ସୁଯୋଗ ଖୋଜୁଥିଲା ।

ଫଟୋ କହୁଛି ମନ୍ତ୍ରୀ ନବ ଦାସଙ୍କ କେତେ ନିକଟତର ଥିଲା ଅଭିଯୁକ୍ତି ଗୋପାଳକୃଷ୍ଣ ଦାସ । ଜଣେ ତଳ ସ୍ତରର ପୋଲିସ କର୍ମଚାରୀ ହୋଇଥିଲେ ବି ତାଙ୍କୁ ବେଶ୍ ଭଲ ଭାବରେ ଚିହ୍ନିଥିଳେ ମନ୍ତ୍ରୀ ନବ ଦାସ । ନଜର ପକାନ୍ତୁ କେମିତି ଏକ କାର୍ଯ୍ୟକ୍ରମରେ ମନ୍ତ୍ରୀଙ୍କ ପାଖେ ରହିଛନ୍ତି ଗୋପାଳ ଦାସ । ଆଉ କାର୍ଯ୍ୟକ୍ରମ ଶେଷ ହେବା ପରେ ମନ୍ତ୍ରୀ ଯିବା ସମୟରେ ଉଭୟ ହସି ହସି କଥା ହେଉଛନ୍ତି । ଅର୍ଥାତ ଫଟୋରୁ ସ୍ପଷ୍ଟ ହେଉଛି ମନ୍ତ୍ରୀ ନବ ଦାସ ଦୀର୍ଘ ଦିନ ହେବ ଗୋପାଳ ଦାସଙ୍କ ଜାଣିଥିଲେ । ଝାରସୁଗୁଡାରେ ଦୀର୍ଘ ବର୍ଷ କାର୍ଯ୍ୟ କରିବା କାରଣରୁ ସେ ବି ମନ୍ତ୍ରୀଙ୍କୁ ଜାଣିଥିଲେ । ଆଉ ମନ୍ତ୍ରୀଙ୍କ ପ୍ରତିଟି ଗତିବିଧି ଉପରେ ନଜର ରଖିଥିଲେ ।

ପୋଲିସ ହୋଇଥିବାରୁ ମନ୍ତ୍ରୀଙ୍କ ପାଖେ ପାଖେ ରହିବା ଗୋପାଳଙ୍କ ପାଇଁ ସହଜ ହୋଇଥିଲା । ଆଉ ଏସବୁ ଭିତରେ ତାଙ୍କୁ ମାରିବାକୁ ସୁଯୋଗ ଖୋଜୁଥିଲେ । କ୍ରାଇମବ୍ରାଂଚର ପଚରାଉଚୁୁରା ବେଳେ ଅଭିଯୁକ୍ତ ଗୋପାଳ ଏମିତି କିଛି କଥା ମାନିଥିବା ସୂଚନା ମିଳିଛି । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ସେ ଦିନ ନବ ଦାସଙ୍କ ମୁଣ୍ଡକୁ ଗୁଳି କରିବାକୁ ଯୋଜନା କରିଥିଲେ ଗୋପାଳ । କିନ୍ତୁ ନବ ଦାସ ଗାଡିରୁ ଉଠି ଯିବାରୁ ତାଙ୍କ ଛାତିରେ ଗୁଳି ବାଜିଥିଲା । ଗୋପାଳଙ୍କ କଲ ଡିଟେଲ୍ସ ରେକର୍ଡ ଯାଂଚ ହୋଇଛି । କଲରୁ ବହୁତ କିଛି ତଥ୍ୟ ମିଳିଛି । ତେବେ କାହିଁକି ମାରିଲେ ତାହା ସ୍ପଷ୍ଟ ହୋଇନଥିବାରୁ ଅଭିଯୁକ୍ତକୁ ୪ଦିନିଆ ରିମାଣ୍ଡରେ ନେଇଛି କ୍ରାଇମବ୍ରାଂଚ । ଏହି ସମୟରେ ହତ୍ୟା କରିବାରୁ କାରଣ ଖୋଜିବ ବୋଲି ଜଣାପଡିଛି । ତଦନ୍ତ ଜାରି ରହିଥିବାବେଳେ ମନ୍ତ୍ରୀଙ୍କ ପିଏସଓଙ୍କୁ ନିଲମ୍ବନ କରାଯାଇଛି । ବ୍ରଜରାଜନଗର ଥାନା ଅଧିକାରୀଙ୍କୁ ମଧ୍ୟ ବଦଳି କରାଯାଇଛି ।