ବଢୁଛି ଗେହଲଟ-ପାଇଲଟ୍ ବିବାଦ! କଂଗ୍ରେସ ସଭାପତି ନିର୍ବାଚନ ନଲଢିପାନ୍ତି ଗେହଲଟ

119

କନକ ବ୍ୟୁରୋ : ଆସନ୍ତା ମାସରେ ହେବାକୁ ଥିବା କଂଗ୍ରେସ ସଭାପତି ନିର୍ବାଚନ ପାଇଁ ଆଗ ଧାଡିରେ ଥିବା ରାଜସ୍ଥାନ ମୁଖ୍ୟମନ୍ତ୍ରୀ  ଅଶୋକ ଗେହଲଟ ଏବେ ପଛ ଘୁଂଚା ଦେବା ଆରମ୍ଭ କରିଛନ୍ତି    । ନିଜ ରାଜ୍ୟରେ ପ୍ରତିଦ୍ୱନ୍ଦୀ ସଚିନ ପାଇଲଟଙ୍କ ସହ ଥିବା ବିବାଦ ଏବେ ଗେହଲଟଙ୍କୁ ଚିନ୍ତାରେ ପକାଇଦେଇଛି ।  କଂଗ୍ରେସର ସଭାପତି ହେଲେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ପଦବୀ ଛାଡିବାକୁ ପଡିବ ବୋଲି ଗେହଲଟଙ୍କ ଉପରେ ଚାପ ପଡୁଥିବାରୁ ସେ ହୁଏତ କଂଗ୍ରେସ ସଭାପତି ନିର୍ବାଚନ ଲଢିନପାରନ୍ତି ବୋଲି କୁହାଯାଉଛି । ଯାହା ସେ ବୁଧବାର ଦେଇଥିବା ବୟାନରୁ ଜଣାପଡୁଛି ।

ଏଭଳି ଦ୍ୱନ୍ଦ ଭିତରେ ବୁଧବାର ଦିଲ୍ଲୀ ଆସି କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଭେଟିଛନ୍ତି କଂଗ୍ରେସର ଏହି ବରିଷ୍ଠ ନେତା । ଯଦି କଂଗ୍ରେସ ସଭାପତି ପାଇଁ ମୁଖ୍ୟମନ୍ତ୍ରୀ ପଦବୀ ଛାଡିବାକୁ ପଡିବ ତେବେ ସେ ନିର୍ବାଚନ ଲଢିବେ ନାହିଁ ବୋଲି ସୋନିଆଙ୍କୁ କହିଥିବା ସୂଚନା ମିଳିଛି । ଯଦିଓ ନିଜ ମୁହଁରେ ଏକଥା ସେ ପ୍ରକାଶ କରିବାକୁ ଚାହୁଁନାହାଁନ୍ତି କିନ୍ତୁ ତାଙ୍କର ବୟାନରୁ ଏହା ସ୍ପଷ୍ଟ ବାରି ହୋଇପଡୁଛି । ଏପଟେ ସଚିନ ପାଇଲଟଙ୍କୁ ଏବିଷୟରେ ପଚାରିବାକୁ ସେ କଥାକୁ ଏଡାଇ ଯାଇ ନିର୍ବାଚନ ହେବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ କହିଛନ୍ତି ।

କଂଗ୍ରେସ ସଭାପତି ନିର୍ବାଚନ ପାଇଁ ଗୁରୁବାର ବିଜ୍ଞପ୍ତି ପ୍ରକାଶ ପାଇବାକୁ ଥିବା ବେଳେ ନିର୍ବାଚନ ଲଢିବା ପାଇଁ ଇଛୁକ ଥିବା ଦୁଇ ନେତାଙ୍କ ମଧ୍ୟରୁ ଜଣେ ପଛଘୁଂଚା ଦେଉଥିବା ଜଣାପଡୁଛି । ଏବେ ସଭାପତି ପାଇଁ ଏକା କଂଗ୍ରେସ ସାଂସଦ ଶଶି ଥରୁର ଇଛୁକ ଅଛନ୍ତି । ଅକ୍ଟୋବର ୨୪ରେ ନିର୍ବାଚନ ପାଇଁ ନୋମିନେସନ୍ ହେବାକୁ ଥିବା ବେଳେ ଆଉ କିଏ ମଇଦାନକୁ ଓହ୍ଲାଉଛନ୍ତି ତାହା ଉପରେ ସମସ୍ତଙ୍କ ନଜର ରହିଛି ।