ଶିକ୍ଷକଙ୍କ ବଦଳି ପରେ ରାସ୍ତାକୁ ଓହ୍ଲାଇଲେ ଛାତ୍ରଛାତ୍ରୀ ! ଗଂଜାମ ଜିଲ୍ଲାର ବିଭିନ୍ନ ବ୍ଲକରେ ଛାତ୍ରଛାତ୍ରୀଙ୍କ ରାସ୍ତାରୋକ, ପୋଡାଜଳା

33

କନକ ବ୍ୟୁରୋ : ଶିକ୍ଷକଙ୍କ ବଦଳି ପ୍ରତିବାଦରେ ରାଜରାସ୍ତାକୁ ଓହ୍ଲାଇଛନ୍ତି ଛାତ୍ରଛାତ୍ରୀ । ସ୍କୁଲ୍ ଗେଟରେ ତାଲା ପକାଇବା ସହ ନିଆଁ ଜାଳିଛନ୍ତି । ଶିକ୍ଷାବର୍ଷ ଅଧାରେ ଶିକ୍ଷକ ବଦଳିକୁ ହଜମ କରିପାରିନାହାଁନ୍ତି ସ୍କୁଲ ପିଲା । ଦୁଇ ଦିନ ତଳେ ଗଞ୍ଜାମ ଜିଲ୍ଲା ଶିକ୍ଷାଧିକାରୀଙ୍କ ପକ୍ଷରୁ ବିଭିନ୍ନ ସ୍କୁଲର ଶିକ୍ଷକଙ୍କ ବଦଳି ତାଲିକା ପ୍ରକାଶ ପାଇବା ପରେ ବଦଳିକୁୁ ବିରୋଧ କରି ପିଲାମାନେ ପ୍ରତିବାଦ ଜଣାଇଛନ୍ତି । ଶିକ୍ଷକଙ୍କ ବଦଳି ବାତିଲ କରିବା ଦାବିରେ ଆନ୍ଦୋଳନ କରିଛନ୍ତି ।

ସେହିଭଳି ଖଲିକୋଟ୍ ବ୍ଲକ୍ ବି.ଗଣ୍ଡାପଲ୍ଲୀ ଗ୍ରାମର ୟୁପି ସ୍କୁଲରେ ଦେଖିବାକୁ ମିଳିଛି ସମାନ ଅବସ୍ଥା । ଶିକ୍ଷୟତ୍ରୀଙ୍କ ବଦଳି ପ୍ରତିବାଦରେ ରାସ୍ତାକୁ ଓହ୍ଲାଇଛନ୍ତି କୁନିକୁନି ଛାତ୍ରଛାତ୍ରୀ । ଅଭିନବ ଢ଼ଙ୍ଗରେ ପ୍ରତିବାଦ କରି ରାସ୍ତାରେ ବସି ପାଠପଢ଼ିଛନ୍ତି ଏହି କୁନିକୁନି ପିଲା ।

ଦୁଇ ଦିନ ପୂର୍ବରୁ ଗଞ୍ଜାମ ଜିଲ୍ଲାର ଜିଲ୍ଲା ଶିକ୍ଷାଧିକାରୀ ପ୍ରକାଶ କରିଛନ୍ତି ବଦଳି ତାଲିକା । ଜିଲ୍ଲାର ଅନେକ ସ୍କୁଲରେ ବିଭିନ୍ନ ବିଭାଗରେ ଜଣେ ଲେଖାଏଁ ଶିକ୍ଷକ ଥିବାବେଳେ ଏହି ବଦଳି ଦ୍ୱାରା ସେହି ବିଭାଗର ଶିକ୍ଷକ ସଂଖ୍ୟା ଶୂନକୁ ପହଁଚି ଯାଇଛି । ଆଉ କିଛି ସ୍କୁଲରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ତୁଳନାରେ ଶିକ୍ଷକଙ୍କ ସଂଖ୍ୟା ଖୁବ୍ କମ୍ ଥିବାବେଳେ ଏହି ବଦଳି ଶିକ୍ଷକଙ୍କ ସଂଖ୍ୟାକୁ ଆହୁରି କମାଇ ଦେଇଛି ।