ଚଳିତ ବର୍ଷ ରଥଯାତ୍ରା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜୋରଦାର ପ୍ରସ୍ତୁତି : ରଥଖଳାରେ ପହଞ୍ଚିଲା ଚତୁର୍ଥ ପର୍ଯ୍ୟାୟ ରଥ କାଠ

97

କନକ ବ୍ୟୁରୋ : ଚଳିତ ବର୍ଷ ରଥଯାତ୍ରା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜୋରଦାର ହୋଇଛି । ବୌଦ୍ଧ ବନଖଣ୍ଡରୁ ଆଜି ଚତୁର୍ଥ ପର୍ଯ୍ୟାୟରେ ତିନୋଟି ରଥକାଠ ବୋଝେଇ ଟ୍ରକ ପୁରୀ ରଥଖଳାରେ ପହଂଚିଛି । ମୋଟ ୯୬ଖଣ୍ଡ କାଠ ଆସିଥିବା ବେଳେ ଏଥିରେ ୪୦ ଫୁଟିଆ ୫୧ଖଣ୍ଡ ଓ ୨୦ ଫୁଟିଆ ୪୫ଖଣ୍ଡ ଆସନ ଓ ଧଉରା କାଠ ରହିଛି । ଚଳିତ ବର୍ଷ ରଥଯାତ୍ରା ପାଇଁ ମୋଟ ୮ଶହ ୬୫ଖଣ୍ଡ କାଠ ଆବଶ୍ୟକ ଥିବା ବେଳେ ପୂର୍ବ ବର୍ଷର ୬୯ଖଣ୍ଡ କାଠ ବଳକା ରହିଛି ।

ତେଣୁ ଚଳିତ ବର୍ଷ ରଥଯାତ୍ରା ପାଇଁ ୭୯୬ଖଣ୍ଡ କାଠର ଆବଶ୍ୟକତା ରହିଛି । ତେବେ ୭୯୬ଖଣ୍ଡରୁ ଆଜି ପର୍ଯ୍ୟନ୍ତ ମୋଟ ୧୭୫ଖଣ୍ଡ କାଠ ରଥଖଳାକୁ ଆସିଛି । କଟକ ଖପୁରିଆ ସମିଲକୁ ୨୭୬ଖଣ୍ଡ କାଠ ଯାଇଛି । ସରସ୍ୱତୀ ପୂଜା ଦିନ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ସମ୍ମୁଖରେ ତିନୋଟି କାଠକୁ ପାରମ୍ପାରିକ ଭାବେ ପୂଜାର୍ଚ୍ଚନା କରାଯାଇଥିଲା । ରାମନବମୀ ଦିନ କଟକ ଖପୁରୀଆ ସମିଲ ରଥକାଠ ଚିରଟ ଅନୁକୂଳ ହୋଇଥିଲା । ଆସନ୍ତା ଅକ୍ଷୟ ତୃତୀୟା ଦିନ ତିନି ରଥ ନିର୍ମାଣର ଶୁଭାରମ୍ଭ ହେବାର ବିଧି ରହିଛି ।