ଚଳନ୍ତା ଟ୍ରେନରେ ଫୁଟିଲା ଗୁଳି, ଚାଲିଗଲା ୪ଜଣଙ୍କ ଜୀବନ । ଜୟପୁର-ମୁମ୍ବାଇ ଏକ୍ସପ୍ରେସରେ ଉନ୍ମତକାଣ୍ଡ କଲେ ଆରପିଏଫ ଯବାନ

487

କନକ ବ୍ୟୁରୋ : ସମୟ ସକାଳ ସାଢେ ୫ । ସ୍ଥାନ ମହାରାଷ୍ଟ୍ରର ପାଲଘର । ଜୟପୁରରୁ ମୁମ୍ବାଇ ଯାଉଥିଲା ଜୟପୁର ଏକ୍ସପ୍ରେସ୍ ଟ୍ରେନ । ଭୋର ସମୟରେ ଅଧିକାଂଶଯାତ୍ରୀ ଶୋଇଥିବା ସମୟରେ ହଠାତ ଚଳନ୍ତାଟ୍ରେନ ହୋଇଥିଲା ଗୁଳିମାଡ଼ । ଘଟଣାରେ ଥରି ଉଠିଲା ପୂରା ଟ୍ରେନ । କେହି କିଛି ବୁଝିବା ଆଗରୁ ଜଣେ ଏଏସଆଇଙ୍କ ସମେତ ୪ଜଣ ଯାତ୍ରୀ ଗୁଳିମାଡରେ ମୃତ୍ୟୁବରଣ କରିସାରିଥିଲେ । ରକ୍ତ, ଭଙ୍ଗା କାଚରେ ଭର୍ତି ହୋଇଥିଲା ପୂରା ବଗି । କଥାଟି କୌଣସି ଚଳଚିତ୍ରର କାହାଣୀ ପରି ମନେ ହେଉଥିଲେ ବି ପ୍ରକୃତରେ ଘଟିଛି । ଏହି ଉନ୍ମୋତକାଣ୍ଡ ଘଟଣାଇଥିବା ଅଭିଯୁକ୍ତ କୌଣସି ପେଶାଦାର ଅପରାଧୀ ନୁହେଁ ବଂର ଜଣେ ଆରପିଏଫ ଯବାନ ବୋଲି ଜଣାପଡିଛି । ତାଙ୍କ ନାଁ ଚେତନ ସିଂ । ଅଭିଯୁକ୍ତ ଗୁଳିମାଡ କରି ଟ୍ରେନରୁ ଡେଇଁ ଫେରାର ହେବା ପରେ ପୁଲିସ ହାତରେ ସେ ଧରାପଡିଛି ।

କେଉଁ କାରଣ ପାଇଁ ଅଭିଯୁକ୍ତ ନିଜ ସହକର୍ମୀ ଓ ୩ଜଣ ଯାତ୍ରୀଙ୍କ ଉପରେ ଗୁଳିମାଡ଼ କରିଲେ ତାର ପ୍ରକୃତ କାରଣ ସ୍ପଷ୍ଟ ହୋଇପାରିନି । ତଥାପି ସହକର୍ମୀ ଟିକାରାମଙ୍କ ସହ ଶତ୍ରୁତା ଓ ନିଜର ବଦଳି ନେଇ ଚେତନ ସିଂଙ୍କ କିଛି ଦିନ ହେବ ମାନସିକ ସ୍ଥିତି ଠିକ ନଥିବା ଜଣାପଡିିଛି । ଏହି ବିବାଦ ଯୋଗୁଁ ଅଭିଯୁକ୍ତ ଗୁଳିମାଡ କରିଥାଏ ବୋଲି ସହେନ୍ଦ ସୃଷ୍ଟି ହୋଇଛି ।

ଚଳନ୍ତା ଟ୍ରେନରେ ଗୁଳିମାଡ଼ ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି । ସେପଟେ ପୁଲିସ ବିଭିନ୍ନ ଦିଗରେ ତଦନ୍ତ ଆରମ୍ଭ କରିଛି । ଅଭିଯୁକ୍ତ ନିକଟରୁ କିଛି ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି ।