ସଚିନଙ୍କ ପାଇଁ ଦୁଃଖ ଆଣିଲେ ସୀମା । ମିଳୁନି କାମ,ଭୋକ ଉପାସରେ କଟୁଛି ଦିନ, ପ୍ରଶାସନ ଓ ପୁଲିସକୁ ଗୁହାରୀ

395

କନକ ବ୍ୟୁରୋ : ଯେଉଁ ସୀମାପାରି ପ୍ରେମ ପାଇଁ ଆଜିକାଲି ବେଶ ଚର୍ଚ୍ଚାରେ ରହୁଛନ୍ତି ପାକିସ୍ତାନୀ ମହିଳା ସୀମା ହାଇଦର ଓ ଭାରତୀୟ ଯୁବକ ସଚିନ ମୀଣା ଏବେ ସେହି ପ୍ରେମ ଭୋକ, ଉପାସର କାରଣ ପାଲଟିଛି । ପ୍ରାୟ ମାସେ ହେବ ସଚିନ କି ତାଙ୍କ ବାପା ନା ଘରୁ ବାହାରିପାରୁଛନ୍ତି ନା କେଉଁଠି କାମ ମିଳିଛି । କେବେ ତଦନ୍ତକାରୀ ସଂସ୍ଥାମାନଙ୍କୁ ଜେରାରେ ଦିନ କଟୁଛି ତ ପୁଣି କେବେ ଗଣମାଧ୍ୟମର ଭିଡରେ ଫଶି ରହୁଛି ପୂରା ପରିବାର । ଏହା ଭିତରେ ପରିବାର ନିଜର ସମସ୍ୟା ଓ ଦୁଃଖ ପ୍ରକାଶ କରିଛନ୍ତି । ୩୦ଦିନରୁ ଅଧିକ ସମୟ ହେଲାଣି କୌଣସି କାମ ନମିଳିବାରୁ ଆର୍ଥିକ ଅନଟନ ଦେଇ ସୀମା, ସଚିନ ଓ ପରିବାର ଦିନରାତି କାଟୁଛି । ଏପରିକି କୁନିକୁନି ପିଲାମାନଙ୍କୁ ମଧ୍ୟ ଗୋଟିଏ ବେଳା ଖାଦ୍ୟ ଯୋଗାଇବା ମଧ୍ୟ କଷ୍ଟକର ହେଲାଣି ।

ସେପଟେ ସ୍ଥାନୀୟ ପ୍ରଶାସନକୁ ଚିଠି ଲେଖିଛନ୍ତି ସଚିନଙ୍କ ବାପା ନେତ୍ରପାଲ ମୀଣା । ପରିବାର ପାଇଁ ରାସନ ଯୋଗାଇବାକୁ ଅନୁରୋଧ କରିଛନ୍ତି । ପୁଲିସ, ତଦନ୍ତକାରୀ ସଂସ୍ଥା ଓ ଗଣମାଧ୍ୟମକର୍ମୀଙ୍କ କଡ଼ା ନଜର ଯୋଗୁଁ ବାହାରକୁ ବାହାରିବା ମୁସ୍କିଲ ହୋଇପଡିଛି । ତେଣୁ କେମିତି ରୋଜଗାର କରିବୁ? କେମିତି ୭ଜଣ ପ୍ରାଣୀ କୁଟୁମ୍ବଙ୍କୁ ଦୁଇ ବେଳା ଖାଦ୍ୟ ଯୋଗାଇବୁ ବୋଲି ସଚିନଙ୍କ ବାପା ପ୍ରଶ୍ନ କରିଛନ୍ତି । ସୀମା ଜଣେ ପାକିସ୍ତାନୀ ମହିଳା ଓ ଘରଦ୍ୱାର ଛାଡି ୪ଜଣ ଛୁଆଙ୍କୁ ନେଇ ସଚିନଙ୍କ ପାଇଁ ଗ୍ରେଟର ନୋଏଡାରେ ପହଁଚିଥିଲେ । ଜୁଲାଇ ୨୪ରେ ସୀମା-ସଚିନଙ୍କ ପ୍ରେମକଥା ପଦାରେ ପଡିଥିଲା । କଥା ପ୍ରଘଟ ହେବା ପରେ କେବଳ ଭାରତ ନୁହେଁ ପାକିସ୍ତାନରେ ମଧ୍ୟ ଚର୍ଚ୍ଚା ସାଉଁଟୁଛି । ସେପଟେ ସୀମା ଜଣେ ପାକିସ୍ତାନ ଗୁଇନ୍ଦା ସହେନ୍ଦରେ ବିଭିନ୍ନ ଦିଗରେ ତଦନ୍ତ ଚାଲିଛି ।