ମା’ ମତେ କ୍ଷମା କରିଦେବ । ମୁଁ ସୁନା ଜିତିପାରିଲିନି । ଦେଶ ପାଇଁ ସ୍ୱର୍ଣ୍ଣପଦକ ଆଣିପାରିଲିନି । ମୋତେ କ୍ଷମା କରିଦେବ ମା’ । ମୋତେ କ୍ଷମା କରିଦେବ…

330

କନକ ବ୍ୟୁରୋ: ଆଖିରେ ଧାର ଧାର ଲୁହ ଆଉ ବସି ଯାଇଥିବା କଣ୍ଠରେ ଏମିତି କିଛି ଭାବବିହ୍ୱଳ କଥା ସେଦିନ ରାତି ଅଧରେ ଜଣେ ମା’କୁ ବ୍ୟସ୍ତ ବିବ୍ରତ କରିପକାଇଥିଲା । ଆଉ ଫୋନ୍ ସେପଟେ ଯେଉଁ ଝିଅ ଏହି କଥା କହୁଥିଲା ସେ ଆଉ କିଏ ନୁହଁ ବରଂ ବର୍ମିଙ୍ଘମରେ ରୌପ୍ୟପଦକ ଜିତିଥିବା ଭାରତର ଝିଅ ତୁଳିକା ମାନ୍ ଥିଲେ । ତୁଳିକା ବର୍ମିଙ୍ଘମରେ ରୂପା ଜିତିଥିଲେ ସତ, ହେଲେ ଏତେ ବଡ ବିଜୟ ପରେ ବି ଦେଶ ପାଇଁ ସୁନା ନ ଜିତିପାରିବାର କଷ୍ଟ ସେ ନିଜ ମା’ଙ୍କୁ ଫୋନରେ ଜଣାଉଥିଲେ । ଆଉ ସେହି ସମୟରେ ତାଙ୍କ କଣ୍ଠ ଜକେଇ ଯାଉଥିଲା, ଆଖି ଲୁହରେ ଭିଜିଯାଉଥିଲା ।

ବୁଧବାର କମନୱେଲଥ ଗେମରେ ଭାରତୀୟ ମହିଳା ଜୁଡୋ ଖେଳାଳି ତୁଳିକା ମାନ୍ ରୌପ୍ୟ ପଦକ ଜିତିଥିଲେ । ୭୮ କେଜି ଭାରବର୍ଗରେ ସେ ଫାଇନାଲ ଖେଳିବା ସହିତ ସ୍କଟଲ୍ୟାଣ୍ଡ ଖେଳାଳିଙ୍କଠୁ ହାରି ଏହି ରୂପା ପଦକ ଦେଶ ପାଇଁ ହାସଲ କରିଥିଲେ । ହେଲେ ବିଦେଶ ମାଟିରେ ଦେଶ ପାଇଁ ଏତେ ବଡ ବିଜୟ ହାସଲ କରିବା ପରେ ବି ତାଙ୍କର ଅବସୋସ ରହିଯାଇଥିଲା କି ସେ ଦେଶ ପାଇଁ ସୁନା ଜିତିପାରିନଥିଲେ ।

ତୁଳିକାଙ୍କ ଫାଇନାଲ ମ୍ୟାଚ୍ ଯେତିକି ସଂଘର୍ଷମୟ ଥିଲା ତାଙ୍କ ଜୀବନ ବି ସେତିକି ସଂଘର୍ଷମୟ । ପିଲାଟି ଦିନରୁ ଯେଉଁ ଝିଅ ବାପାଙ୍କୁ ହରାଇ ସାରିଥିଲା ଆଉ ମାଙ୍କ ପଣତ ତଳେ ବଡ ହେଇଥିଲା । ସେଇ ଝିଅ ଆଜି ବିଦେଶ ମାଟିରେ ଦେଶ ପାଇଁ ଏତେ ବଡ ଗୌରବ ଆଣିବତାହା ବୋଧହୁଏ କେହି କେବେ ଚିନ୍ତା କରିନଥିବେ । ତୁଳିକା ତାଙ୍କ ବାପା ସତବୀରଙ୍କୁ ପିଲାଟି ଦିନରୁ ହରାଇ ସାରିଥିଲେ । ଆଉ ବାପାଙ୍କୁ ହରାଇବା ପରେ ମା ଅମୃତା ହିଁ ତୁଳିକାଙ୍କ ପାଇଁ ସବୁକିଛି ପାଲଟି ଯାଇଥିଲେ । ଯିଏ ବାପା ଭଳି ତାଙ୍କୁ ସାହାସ ଦେଉଥିଲେ ମା ହେଇ ସେହ୍ନରେ ଜୀବନ ଶିକ୍ଷା ଦେଉଥିଲେ ।

ତୁଳିକାଙ୍କ ମା ଅମୃତା ଦିଲ୍ଲୀ ପୋଲିସରେ ଜଣେ ସବ-ଇନ୍ସପେକ୍ଟର ଭାବେ କାମ କରୁଛନ୍ତି । ତାଙ୍କ କହିବା ଅନୁସାରେ…ତାଙ୍କ ଝିଅ ବି କେମିତି ପିଲାଟି ଦିନରୁ ସଶକ୍ତ ହେବ…ସମସ୍ତଙ୍କୁ ନିଜ ବଳରେ ହରାଇବ ତାକୁ ନେଇ ସେ ଚିନ୍ତାରେ ଥିଲେ । ଆଉ ସେହି କାରଣରୁ ତୁଳିକା ପିଲାଟୁ ଦିନରୁ ଜୁଡୋ ସହିତ ଜୋଡି ହେବା ସହିତ ଗୋଟିଏ ପରେ ଗୋଟିଏ ସଫଳତାର ଶିଡି ଚଢିଚାଲିଥିଲେ ।

ତୁଳିକା ୨୦୧୯ ମସିହାରେ ଏସିଆନ୍ ଓପନରେ ବ୍ରୋଞ୍ଜ ମେଡାଲ ଜିତିଥିଲେ । ଯାହା ତାଙ୍କୁ ବଡ ସଫଳତା ଦେଇଥିଲା । ଏହା ପୂର୍ବରୁ ବି ସେ ୨୦୧୮ ରେ ଜୟପୁରରେ ହୋଇଥିବା କମନୱେଲଥ ଚାମ୍ପିୟନସିପ୍ ଜିତିସାରିଥିଲେ । ଆଉ ଏବେ ବର୍ମିଙ୍ଘମ କମନୱେଲଥ ଗେମ୍ସରେ ଏ ରୌପ୍ୟ ପଦକ ତୁଳିକାଙ୍କୁ ଦେଇଛି ସୁନାମ ଆଉ ସଫଳତା ।