ପାକିସ୍ତାନରେ ବନ୍ଧୁକ ମୁନରେ ଶିଖ ଯୁବତୀଙ୍କ ଧର୍ମ ପରିବର୍ତ୍ତନ ଅଭିଯୋଗ। ଯୁବତୀଙ୍କୁ ଜୋର ଜବରଦସ୍ତ ଉଠାଇ ନେଇ ଇସଲାମ ଧର୍ମକୁ ପରିବର୍ତନ ପରେ ବିବାହ

କାର୍ଯ୍ୟାନୁଷ୍ଠାନ ପାଇଁ ଇମ୍ରାନାଙ୍କୁ ଅପିଲ କଲେ ପଂଜାବ ମୁଖ୍ୟମନ୍ତ୍ରୀ

292

କନକ ବ୍ୟୁରୋ: ବନ୍ଧୁକ ମୁନରେ ଶିଖ ଯୁବତୀଙ୍କ ଧର୍ମ ପରିବର୍ତ୍ତନ କରାଯାଇଥିବା ପରି ଏକ ସମ୍ବେଦନଶୀଳ ଅଭିଯୋଗ ଆସିଛି । ଏପରିକି ଇସଲାମ ଧର୍ମକୁ ପରିବର୍ତ୍ତନ କରାଯାଇ ମୁସଲମାନ ଯୁବକଙ୍କ ସହ ବିବାହ ମଧ୍ୟ କରାଯାଇଥିବା ପୀଡିତାଙ୍କ ପରିବାର ଅଭିଯୋଗ କରିଛନ୍ତି । ପାକିସ୍ତାନ ଲାହୋର ନନକାନା ସାହିବ ଅଂଚଳରେ ଜଣେ ଶିଖ ଯୁବତୀଙ୍କୁ ଜୋର ଜବରଦସ୍ତ ଧର୍ମାନ୍ତୀକରଣ କରାଯାଇ ବିବାହ କରାଯାଇଥିବା ଅଭିଯୋଗ ଆସିଛି । ଗତକାଲି ଯୁବତୀଙ୍କ ଧର୍ମାନ୍ତୀକରଣ କରାଯିବା ପରେ ଜଣେ ମୁସଲମାନ ଯୁବକଙ୍କ ସହ ତାଙ୍କୁ ବିବାହ କରାଯାଇଥିଲା ।

ଯୁବତୀଙ୍କୁ ଧର୍ମ ପରିବର୍ତ୍ତନ କରି ବିବାହ କରୁଥିବା ଭିଡ଼ିଓ ମଧ୍ୟ ସାମ୍ନାକୁ ଆସିଛି । ଯେଉଁଥିରେ ଯୁବତୀ ଜଣଙ୍କ ଭୟଭୀତ ହୋଇଥିବା ମଧ୍ୟ ଦେଖିବାକୁ ମିିଳିଛି । ଯୁବତୀ ଜଣଙ୍କ ଗୁରୁଦ୍ୱାରାରେ କାର୍ଯ୍ୟରତ ଥିବା ବ୍ୟକ୍ତିଙ୍କ ଝିଅ । ତାଙ୍କ ବଡ଼ ଭଉଣୀଙ୍କ ଘରକୁ ଯାଇଥିଲେ । ଘରେ କେହି ନଥିବା ସମୟରେ ଯୁବତୀଙ୍କୁ ଜବରଦସ୍ତ ଉଠାଇ ନେଇଥିଲେ ସମ୍ପୃକ୍ତ ଯୁବକ । ନାନକ ଜୟନ୍ତୀର କିଛି ଦିନ ପୂର୍ବରୁ ଏପରି ଘଟଣା ପାକିସ୍ତାନ ଶିଖ ଏବଂ ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକଙ୍କୁ ଚକିତ କରିଦେଇଛି । ଯୁବତୀଙ୍କ ବଡ଼ ଭାଇ ନନକାନ ସାହିବ ଥାନାରେ ଏନେଇ ଅଭିଯୋଗ କରିଛନ୍ତି । ଧର୍ମାନ୍ତୀକରଣ ଏବଂ ଜୋରଜବରଦସ୍ତ ବିବାହ ମାମଲାରେ ଜଣେ ମହିଳାଙ୍କ ସମେତ ୬ ଜଣଙ୍କ ଉପରେ ମାମଲା ଦାୟର କରାଯାଇଛି ।

ମାମଲା ପ୍ରତ୍ୟାହାର କରି ନେବାକୁ ଗୁଣ୍ଡାମାନେ ଧମକ ଦେଉଥିବା ମଧ୍ୟ କହିଛନ୍ତି ଯୁବତୀଙ୍କ ଭାଇ । ପ୍ରଧାନମନ୍ତ୍ରୀ ଇମରାନ ଖାନଙ୍କ ସମେତ ବିଚାରପତି ଆସିଫ ସଇଫ ଖୋସାଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ଅନୁରୋଧ କରିଛନ୍ତି । ଦିଲ୍ଲୀର ଶିଖ ଗୁରୁଦ୍ୱାରର ପ୍ରବନ୍ଦକ ସମିତିର ଅଧ୍ୟକ୍ଷ ତଥା ଶିରୋମଣୀ ଅକାଳୀ ଦଳର ନେତା ମନଜିନ୍ଦର ସିଂହ ସିରସା ଏହି ଘଟଣାକୁ ତ୍ରୀବ ନିନ୍ଦା କରିଛନ୍ତି । ପଂଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ ଏହି ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଅପିଲ କରିଛନ୍ତି ।